ସାମୂହିକ ନରସଂହାର ମାମଲାରେ ଅଷ୍ଟମ ସ୍ଥାନରେ ଭାରତ,୨୦୨୧-୨୨ରେ ଥିଲା ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ: ସାମୂହିକ ନରସଂହାର ମାମଲାରେ ଅଷ୍ଟମ ସ୍ଥାନରେ ରହିଛି ଭାରତ। ସାମୂହିକ ନରସଂହାରକୁ ନେଇ ଜାରି କରାଯାଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ୨୦୨୨-୨୩ରେ ମାସ୍ କିଲିଙ୍ଗ ବିପଦକୁ ନେଇ ଆମେରିକାର ଏକ ରିସର୍ଚ୍ଚ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । ନୂଆ ରିପୋର୍ଟରେ ଭାରତରେ ରାଙ୍କିଂ ହ୍ରାସ ହୋଇଛି । ୨୦୨୧-୨୨ର ରିପୋର୍ଟରେ ଭାରତ ସବୁଠୁ ଅଧିକ ସାମୂହିକ ନରସଂହାର ବିପଦ ଥିବା ୧୫ ଦେଶ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିଲା।
ସାମୂହିକ ହିଂସାର ବିପଦ ଥିବା ଦେଶ ଚିହ୍ନଟ କରୁଥିବା ଅର୍ଲି ୱାର୍ଣ୍ଣିଂ ପ୍ରଜେକ୍ଟ ନିଜ ରିପୋର୍ଟ ନଭେମ୍ୱରରେ ଜାରି କରିଥିଲା । ଏହା ଅନୁସାରେ ୨୦୨୨-୨୩ରେ ଭାରତରେ ସାମୂହିକ ହତ୍ୟାର ଆଶଂକା ୭.୪ ପ୍ରତିଶତ କିମ୍ୱା ପ୍ରତି ୧୪ରେ ଗୋଟିଏ ।
ପ୍ରଥମ ସ୍ଥାନରେ ପାକିସ୍ତାନ
ଏହି ତାଲିକାର ପ୍ରଥମ ସ୍ଥାନରେ ପଡୋଶୀ ଦେଶ ପାକିସ୍ତାନ ରହିଛି । ଦ୍ୱିତୀୟ ସ୍ଥାନରେ ୟେମନ, ତୃତୀୟ ସ୍ଥାନରେ ମିଆଁମାର, ପଞ୍ଚମ ସ୍ଥାନରେ ଇଥୋପିଇଆ ରହିଛି । ଷଷ୍ଠ ସ୍ଥାନରେ ନାଇଜେରିଆ ଏବଂ ସପ୍ତମ ସ୍ଥାନରେ ଆଫଗାନିସ୍ତାନ ରହିଛି । ରିପୋର୍ଟ ଅନୁସାରେ ପାକିସ୍ତାନରେ ପ୍ରତି ଛଅରେ ଗୋଟିଏ ଥର ନରସଂହାର ସମ୍ଭାବନା ରହିଛି । ଯଦି ଭାରତ କଥା କହିବା ତେବେ ଏହା ସୁଡାନ(୯), ସୋମାଲିଆ (୧୦), ସିରିଆ (୧୧), ଇରାକ (୧୨) ଏବଂ ଜିମ୍ୱାୱେ (୧୪)ଠାରୁ ମଧ୍ୟ ଖରାପ ରହିଛି ।