ନୂଆଦିଲ୍ଲୀ, ୧୯।୧୨: ଚୀନ ବିରୁଦ୍ଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ । ଚୀନରୁ ଆମଦାନି ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ଭାରତ ୫ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିଛି । ବାଣିଜ୍ୟ ପ୍ରତିଷେଧକ ମହାନିର୍ଦ୍ଦେଶାଳୟ (DGTR)ର ଏକ ବିଜ୍ଞପ୍ତି ଅନୁଯାୟୀ, ଚୀନରୁ କୋଲ୍ଡ ରୋଲ୍ଡ ନନ୍-ଓରିଏଣ୍ଟେଡ୍ ଇଲେକ୍ଟ୍ରିକାଲ୍ ଷ୍ଟିଲ୍ (CRNO) ଆମଦାନି ଉପରେ ପ୍ରତି ଟନ୍ ପିଛା ୨୨୩.୮୨ ଡଲାର ଶୁଳ୍କ ଲାଗୁ ହେବ । ଗୁରୁବାର ବିଳମ୍ବିତ ରାତିରେ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଭାରତ ଚୀନରୁ ଆମଦାନି ହେଉଥିବା ବିଭିନ୍ନ ପ୍ରକାରର କୋଲ୍ଡ-ରୋଲ୍ଡ ଷ୍ଟିଲ୍ ଉପରେ ୨୨୩.୮ ପ୍ରତି ଟନ୍ରୁ ୪୧୪.୯ ପ୍ରତି ଟନ୍ ପର୍ଯ୍ୟନ୍ତ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

ସିଆର୍ଏନ୍ଓରେ ସିଲିକନ୍-ଇଲେକ୍ଟ୍ରିକାଲ ଷ୍ଟିଲ୍ର କୋଲ୍ଡ-ରୋଲ୍ଡ ଫ୍ଲାଟ୍ ଷ୍ଟିଲ୍ ଉତ୍ପାଦଗୁଡ଼ିକ ସାମିଲ । ଏହା ଏକ ପ୍ରକାରର ଇଲେକ୍ଟ୍ରିକାଲ ଷ୍ଟିଲ୍ ଯାହା ମୁଖ୍ୟତଃ ମୋଟର, ଜେନେରେଟର ଏବଂ ଛୋଟ ଟ୍ରାନ୍ସଫର୍ମର ଭଳି ବୈଦ୍ୟୁତିକ ଉପକରଣରେ ବ୍ୟବହୃତ ହୁଏ । ତେବେ ଭାରତ କୋଲ୍ଡ-ରୋଲ୍ଡ ଫୁଲ୍-ହାର୍ଡ ସିଲିକନ୍ ଇଲେକ୍ଟ୍ରିକାଲ ଷ୍ଟିଲ୍ (CRFH)କୁ ଆଣ୍ଟି-ଡମ୍ପିଂ ଡ୍ୟୁଟିରୁ ବାଦ୍ ଦେଇଛି । 

ଭାରତର ଏହି ପଦକ୍ଷେପର ଲକ୍ଷ୍ୟ ଘରୋଇ ଇସ୍ପାତ ନିର୍ମାତାମାନଙ୍କୁ ଶସ୍ତା ଆମଦାନୀ ଯୋଗୁଁ ହେଉଥିବା କ୍ଷତିରୁ ରକ୍ଷା କରିବା । ଡମ୍ପିଂ ହୋଇଥିବା ଏହି ଉତ୍ପାଦଗୁଡ଼ିକ ପ୍ରାୟତଃ ସ୍ଥାନୀୟ ଭାରତୀୟ ଶିଳ୍ପଗୁଡ଼ିକୁ କ୍ଷତି ପହଞ୍ଚାଏ । ଏହାକୁ ଦୃଷ୍ଟିରେ ରଖି ଇସ୍ପାତ ଶିଳ୍ପ ଭାରତରେ ଏହି ଇସ୍ପାତ ଉତ୍ପାଦଗୁଡ଼ିକର ଡମ୍ପିଂ ଅଭିଯୋଗର ତଦନ୍ତ ଦାବି କରିଥିଲା । ଡିଜିଟିଆର୍ ଏନେଇ ତଦନ୍ତ କରିବା ପରେ ଶୁଳ୍କ ଲାଗୁ କରିବାକୁ ସୁପାରିଶ କରିଥିଲା । ଗତ ମାସରେ, ଭାରତ ୫ ବର୍ଷ ପାଇଁ ଭିଏତନାମରୁ ହଟ୍-ରୋଲ୍ଡ୍ ଫ୍ଲାଟ୍ ଷ୍ଟିଲ୍ ଉତ୍ପାଦ ଆମଦାନୀ ଉପରେ ପ୍ରତି ଟନ୍ ୧୨୧.୫୫ ଡଲାର ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ କରିଥିଲା । ଏହି କମ୍ ଆମଦାନୀ ମୂଲ୍ୟ ଘରୋଇ କମ୍ପାନୀଗୁଡ଼ିକର ଲାଭକୁ ପ୍ରଭାବିତ କରିବ ଏବଂ ବଜାରରେ ସେମାନଙ୍କର ସହଭାଗିତା ହ୍ରାସ କରିବ । ସରକାରୀଙ୍କ ଏହି ପଦକ୍ଷେପ "ମେକ୍ ଇନ୍ ଇଣ୍ଡିଆ"କୁ ପ୍ରୋତ୍ସାହିତ କରିବ ।

ଭାରତରେ ଇସ୍ପାତ ଆମଦାନୀ:

ମାର୍କେଟ ରିସର୍ଚ୍ଚ ଫାର୍ମ ବିଗମିଣ୍ଟ ଅନୁଯାୟୀ, ୨୦୨୫ ଆର୍ଥିକ ବର୍ଷରେ ଭାରତର ଷ୍ଟେନଲେସ୍ ଷ୍ଟିଲ୍ ଆମଦାନୀ ୧.୭୩ ନିୟୁତ ଟନ୍କୁ ବୃଦ୍ଧି ପାଇଛି । ଯେଉଁଥିରେ ଚୀନ, ଇଣ୍ଡୋନେସିଆ, ଭିଏତନାମ ଏବଂ ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକ ଇସ୍ପାତର ପ୍ରମୁଖ ଆମଦାନୀକାରୀ । ରେଟିଂ ଏଜେନ୍ସି ଆଇସିଆର୍ଏ ଅନୁଯାୟୀ, ୨୦୨୫ର ପ୍ରଥମ ୯ ମାସରେ ଚୀନର ଇସ୍ପାତ ରପ୍ତାନି ସର୍ବକାଳୀନ ସର୍ବାଧିକ ୮୮ ମିଲିୟନ ଟନରେ ପହଞ୍ଚିଛି, ଯାହା ସାରା ବିଶ୍ୱ ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି ।

ଆଣ୍ଟି-ଡମ୍ପିଂ ଡ୍ୟୁଟି କ'ଣ ?

ଆଣ୍ଟି-ଡମ୍ପିଂ ଡ୍ୟୁଟି ହେଉଛି ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏକ ଶୁଳ୍କ । ଯେତେବେଳେ କୌଣସି ଦେଶ ନିଜ ଦେଶର ସାମଗ୍ରୀ ଅନ୍ୟ ଦେଶକୁ କମ୍ ମୂଲ୍ୟରେ ବିକ୍ରି କରେ, ଏହା ସେହି ଦେଶର ଘରୋଇ ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ପକାଏ । ଡମ୍ପିଂ ହେଉଛି ଦେଶର ଘରୋଇ ବଜାରରେ ବିକ୍ରି ହେଉଥିବା ମୂଲ୍ୟଠାରୁ କମ୍ ମୂଲ୍ୟରେ ସାମଗ୍ରୀ ରପ୍ତାନି କରିବା । ଏହାକୁ ମୁକାବିଲା କରିବା ପାଇଁ ଏହା ଉପରେ ଏକ ଅତିରିକ୍ତ ଶୁଳ୍କ ଲାଗୁ ହୁଏ, ଯାହାକୁ ଆଣ୍ଟି-ଡମ୍ପିଂ ଶୁଳ୍କ କୁହାଯାଏ । ଡିଜିଟିଆର୍ ଡମ୍ପିଂର ତଦନ୍ତ କରି ଶୁଳ୍କ ଲାଗୁ କରିବାକୁ ସୁପାରିଶ କରେ । ସୁପାରିଶ ପରେ ଅର୍ଥ ମନ୍ତ୍ରଣାଳୟ ୩ ମାସ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ।