ନୂଆଦିଲ୍ଲୀ - ସାରା ବିଶ୍ୱରେ କରୋନା ମହାମାରୀର ବିଭୀଷିକା ପରେ ଏବେ ଏକ ନୂଆ ଭାଇରସ୍ ଚିନ୍ତା ବଢ଼ାଇ ଦେଇଛି। 'ହନ୍ତା ଭାଇରସ୍' ନାମକ ଏହି ସଂକ୍ରମଣକୁ ନେଇ ଏବେ ସବୁଠି ଭୟର ବାତାବରଣ। ଡଚ୍ କ୍ରୁଜ୍ ସିପ୍ 'ଏମଭି ହୋଣ୍ଡିଅସ୍'ରୁ ଏହି ସଂକ୍ରମଣ ବ୍ୟାପିବା ପରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ଅନେକ ଦେଶରେ ଏହାକୁ ନେଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏବେ ଭାରତ ସରକାର ମଧ୍ୟ ସତର୍କ ହୋଇଛନ୍ତି ଏବଂ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, କ୍ରୁଜ୍ ସିପରେ ବର୍ତ୍ତମାନ ସୁଦ୍ଧା ୮ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୫ଟି ନିଶ୍ଚିତ ହୋଇଛି। ମେ ମାସର ପ୍ରଥମ ସପ୍ତାହରେ ଏହି ଖବର ସାମ୍ନାକୁ ଆସିବା ପରେ ଆନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।

ଜାହାଜରେ ଥିବା ଭାରତୀୟଙ୍କ କଣ ରହିଛି ସ୍ଥିତି?

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, 'ଏମଭି ହୋଣ୍ଡିଅସ୍'ରେ ଥିବା ଦୁଇଜଣ ଭାରତୀୟ ନାଗରିକଙ୍କ ଠାରେ ହନ୍ତା ଭାଇରସର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ଅନୁଯାୟୀ ସେମାନଙ୍କୁ ସର୍ଭେଲାନ୍ସରେ ରଖା ଯାଇଛି। ଭାରତ ସରକାର ଏ ସମ୍ପର୍କରେ WHO ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ଲାଟଫର୍ମ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ବଢ଼ୁଥିବା ବିପଦକୁ ଦେଖି ଭାରତ ନିଜର ସର୍ଭେଲାନ୍ସ ସିଷ୍ଟମକୁ ସକ୍ରିୟ କରି ଦେଇଛି। ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ (NCDC) ଏବଂ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପ୍ରୋଗ୍ରାମ (IDSP) ସ୍ଥିତି ଉପରେ ନଜର ରଖିଛନ୍ତି। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ଯାଞ୍ଚ ସୁବିଧାକୁ ସୁଦୃଢ଼ କରିବା ଏବଂ ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି କ୍ରୁଜ୍ ସିପରେ ହନ୍ତା ଭାଇରସ୍ର 'ଏଣ୍ଡିଜ୍ ଷ୍ଟ୍ରେନ୍' ମିଳିଛି। ଏହି ଷ୍ଟ୍ରେନ୍ ସାଧାରଣତଃ ଦକ୍ଷିଣ ଆମେରିକାରେ ଦେଖାଯାଏ। ବୈଜ୍ଞାନିକଙ୍କ ପାଇଁ ଏହା ଚିନ୍ତାର ବିଷୟ କାରଣ ଏହା ମଣିଷରୁ ମଣିଷକୁ ବ୍ୟାପୁଥିବା ହନ୍ତା ଭାଇରସର ଏକମାତ୍ର ଷ୍ଟ୍ରେନ୍।

କିଭଳି ବ୍ୟାପିଥାଏ ଏହି ଭାଇରସ୍?

ସାଧାରଣତଃ ଏହା ସଂକ୍ରମିତ ମୂଷାଙ୍କ ପରିସ୍ରା, ଲାଳ କିମ୍ବା ମଳ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ। ଏଣ୍ଡିଜ୍ ଷ୍ଟ୍ରେନ୍ କ୍ଷେତ୍ରରେ, ଦୀର୍ଘ ସମୟ ଧରି ସଂସ୍ପର୍ଶରେ ରହିଲେ ଏହା ଜଣେ ମଣିଷଠାରୁ ଅନ୍ୟ ଜଣକୁ ଯାଇପାରେ। ତେବେ WHO ବିଶେଷଜ୍ଞ ମାରିଆ ଭାନ୍ କେରଖୋଭ୍ କହିଛନ୍ତି ଯେ, ଏହା କୋଭିଡ-୧୯ ଭଳି ପବନ ମାଧ୍ୟମରେ ଦ୍ରୁତ ଗତିରେ ବ୍ୟାପେ ନାହିଁ, ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ହନ୍ତା ଭାଇରସର ଲକ୍ଷଣ-

ପ୍ରାରମ୍ଭିକ ଲକ୍ଷଣ ଭାବେ ଜ୍ୱର, ଦେହ ହାତ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଏବଂ କ୍ଲାନ୍ତି ଲାଗେ। ପରବର୍ତ୍ତୀ ସମୟରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ହୋଇଥାଏ। ଏହି ଭାଇରସର 'ଇନକ୍ୟୁବେସନ୍ ପିରିୟଡ୍' ଲମ୍ବା, ଅର୍ଥାତ୍ ସଂକ୍ରମିତ ହେବାର ବହୁ ଦିନ ପରେ ଲକ୍ଷଣ ଦେଖାଯାଏ। ବର୍ତ୍ତମାନ ପାଇଁ WHO ଏହି ବିପଦକୁ କମ୍ ବୋଲି କହିଛି, କିନ୍ତୁ ସତର୍କ ରହିବାକୁ ପରାମର୍ଶ ଦେଇଛି।