ନୂଆଦିଲ୍ଲୀ, ୧୯/୦୮: ଆଗାମୀ ଏସିଆ କପ୍ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯିବ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମୁମ୍ବାଇ ଠାରେ ଏକତ୍ରିତ ହୋଇ ଦଳ ଚୟନ କରିବେ । ଭାରତୀୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂର୍ଯ୍ୟକୁମାରଙ୍କ ଫିଟ୍ନେସ୍ ଉପରେ ମଧ୍ୟ ଜାତୀୟ କ୍ରିକେଟ୍ ଏକାଡେମୀ ରିପୋର୍ଟ ପ୍ରଦାନ କରିବ । ସେ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଅଭ୍ୟାସ ଚଳାଇଛନ୍ତି । ଏଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଆୟୋଜନ କରାଯାଉଥିବାରୁ ୧୫ଜଣିଆ ଦଳ ପ୍ରସ୍ତୁତ କରିବା ଚୟନ କମିଟି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ । ୧୫ଜଣିଆ ଦଳରୁ ପାଖାପାଖି ୧୧ଟି ସ୍ଥାନ ନିଶ୍ଚିତ ହୋଇ ସାରିଛି । ବାକି ୪ଟି ସ୍ଥାନ ପାଇଁ ବହୁ ଦାବିଦାର ରହିଛନ୍ତି ।
ତୃତୀୟ ଓପନର ସ୍ଥାନ
ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଟି-ଟ୍ୱେଣ୍ଟି ଦଳର ସ୍ଥାୟୀ ଓପନର । କ୍ରିକେଟ୍ର ଏହି ଛୋଟ ଫର୍ମାଟ୍ରେ ଅଭିଷେକ ୨ଟି ଶତକ ଓ ସାମସନ ୩ଟି ଶତକ ଅର୍ଜନ କରିସାରିଛନ୍ତି । ଏସିଆ କପ୍ ଦଳରେ ଉଭୟଙ୍କ ସ୍ଥାନ ସୁରକ୍ଷିତ ରହିଛି । ବର୍ତ୍ତମାନ ତୃତୀୟ ଓପନର ସ୍ଥାନ ପାଇଁ ଯଶସ୍ୱୀ ଜୈସ୍ୱାଲ୍ ଓ ଶୁଭମନ ଗିଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବେଳେ ଜୈସ୍ୱାଲ୍ ତୃତୀୟ ଓପନର ଓ ଗିଲ୍ ରିଜର୍ଭ ଖେଳାଳି ରହିଥିଲେ । ବର୍ତ୍ତମାନ ଗିଲ୍ ଟେଷ୍ଟ ଦଳର ଅଧିନାୟକ ଓ ଆଗାମୀ ଦିନରେ ସମସ୍ତ ଫର୍ମାଟ୍ରେ ଅଧିନାୟକ ହେବେ । ତେଣୁ ତାଙ୍କୁ ଅଗ୍ରାଧିକାର ମିଳିବା ସମ୍ଭାବନା ରହିଛି ।
ନଂ-୩ରେ ଆୟର ଦାବିଦାର
ଟି-ଟ୍ୱେଣ୍ଟି ଦଳରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଯଥାକ୍ରମେ ବ୍ୟାଟିଂ କ୍ରମର ୩ନଂ ସ୍ଥାନ ସମ୍ଭାଳୁଛନ୍ତି । ତିଳକ ୩ନଂ ସ୍ଥାନରେ ସୀମିତ ସୁଯୋଗ ପାଇଛନ୍ତି ଓ ୨ଟି ଶତକ ଅର୍ଜନ କରିଛନ୍ତି । ଏସିଆ କପ୍ରେ ସୂର୍ଯ୍ୟକୁମାର ୪ନଂ ସ୍ଥାନ ସମ୍ଭାଳିବା ନିଶ୍ଚିତ । ତେଣୁ ତିଳକ ୩ନଂ ସ୍ଥାନରେ ଖେଳିବା ସମ୍ଭାବନା ରହିଛି । ବର୍ତ୍ତମାନ ଏହି ସ୍ଥାନ ପାଇଁ ତାଙ୍କୁ ଚ୍ୟାଲେଞ୍ଜ ଦେବେ ଶ୍ରେୟାସ ଆୟର । ଗତ ଆଇପିଏଲ୍ରେ ସେ ୩ନଂ ସ୍ଥାନରେ ବ୍ୟାଟିଂ କରି ୧୭୫.୦୫ ଷ୍ଟ୍ରାଇକ ରେଟ୍ରେ ମୋଟ୍ ୬୦୪ ରନ ସଂଗ୍ରହ କରିଥିଲେ । ସ୍ପିନରଙ୍କ ବିପକ୍ଷରେ ତାଙ୍କ ବିସ୍ଫୋରକ ବ୍ୟାଟିଂ କ୍ଷମତା ହିଁ ତାଙ୍କୁ ପ୍ରବଳ ଦାବିଦାର ରୂପେ ଛିଡ଼ା କରିଛି । ଦ୍ୱିତୀୟ ୱିକେଟ୍ କିପର ପ୍ରଥମ ୱିକେଟ୍ କିପର ଭାବେ ସାମସନ ଦଳରେ ସ୍ଥାନ ପାଇବେ ।
ଦ୍ୱିତୀୟ ୱିକେଟ୍ କିପର
ଦୌଡ଼ରେ ଜିତେଶ ଶର୍ମା ରହିଛନ୍ତି । ଗତ ଆଇପିଏଲ୍ର ପ୍ରଦର୍ଶନ ବଳରେ ଜିତେଶ ପ୍ରମୁଖ ଦାବିଦାର ରୂପେ ଉଭା ହୋଇଛନ୍ତି । ରିଷଭ ପନ୍ତ ଓ ଇଶାନ କିଷନ ଆହତ ଥିବାରୁ ଜିତେଶଙ୍କ ସୁଯୋଗ ଅଧିକ ରହିଛି । ବ୍ୟାଟିଂ କ୍ରମର ୫ ଓ ୬ ନଂ ସ୍ଥାନ ସମ୍ଭାଳିବେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ।
ବରୁଣ/କୁଲଦୀପ
ସ୍ପିନର ସ୍ଥାନ ପାଇଁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ପ୍ରମୁଖ ଦାବିଦାର ରହିବେ । ଅକ୍ଷର ସ୍ପିନ ବୋଲିଂ ଅଲ୍ରାଉଣ୍ଡର ରହିଥିବାରୁ ଏକାଦଶରେ ବରୁଣ ଓ କୁଲଦୀପଙ୍କ ମଧ୍ୟରୁ କେବଳ ଜଣଙ୍କୁ ସୁଯୋଗ ମିଳିବ ।
ନିମ୍ନ କ୍ରମ ବ୍ୟାଟର
ନିମ୍ନ ଭାଗରେ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ ଚୟନକର୍ତ୍ତା କିଛି ଖେଳାଳିଙ୍କୁ ତାଲିକାଭୁକ୍ତ କରିଛନ୍ତି । ବିଶେଷ କରି ବ୍ୟାଟିଂ କ୍ରମର ୭ନଂ ସ୍ଥାନରେ ଖେଳିବା ପାଇଁ ରିଙ୍କୁ ସିଂହ, ଶିବମ ଦୁବେ, ୱାସିଂଟନ ସୁନ୍ଦର ଓ ରିୟାନ ପରାଗ ଦୌଡ଼ରେ ରହିବେ । ନୀତିଶ କୁମାର ରେଡ୍ଡୀ ଆହତ ଥିବାରୁ ଦୌଡ଼ରେ ନାହାନ୍ତି । ଏହି ସ୍ଥାନ ପାଇଁ ଅଲ୍ରାଉଣ୍ଡର ଆବଶ୍ୟକ ହେଉଥିବାରୁ ରିଙ୍କୁ ସିଂହ ମଧ୍ୟ ସ୍ଥାନ ପାଇବା କଷ୍ଟକର । ଫଳରେ ପରାଗ, ସୁନ୍ଦର ଓ ଦୁବେଙ୍କ ମଧ୍ୟରେ ଏହି ସ୍ଥାନ ପାଇଁ ଜୋରଦାର ଲଢ଼େଇ ହେବ ।
ତୃତୀୟ ପେସ୍ ବୋଲର
ଯଶପ୍ରୀତ ବୁମରା ଏସିଆ କପ୍ ଖେଳିବାକୁ ପ୍ରସ୍ତୁତ ରହିଥିବା ସ୍ପଷ୍ଟ କରିସାରିଛନ୍ତି । ତେଣୁ ସେ ଦଳରେ ସ୍ଥାନ ପାଇବା ନିଶ୍ଚିତ । ଅଶର୍ଦୀପ ସିଂହ ଅନ୍ୟ ପେସ୍ ବୋଲର ଭାବେ ସ୍ଥାନ ବଜାୟ ରଖିବେ । ଇଂଲଣ୍ଡରେ ଦମ୍ଦାର ପ୍ରଦର୍ଶନ କରିଥିବା ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦେବାର ସମୟ ଆସିଛି । ତେଣୁ ତୃତୀୟ ପେସ୍ ବୋଲର ସ୍ଥାନ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ପ୍ରସିଦ୍ଧ ଗତ ଆଇପିଏଲରେ ସର୍ବାଧିକ ୱିକେଟ୍ ନେଇ ପର୍ପଲ କ୍ୟାପ୍ ହାସଲ କରିଥିଲେ । ରାଣା ମଧ୍ୟ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଘାତକ ସାବ୍ୟସ୍ତ ହେଉଛନ୍ତି।