ନୂଆଦିଲ୍ଲୀ, ୧୯/୦୮: ଆଗାମୀ ଏସିଆ  କପ୍‌ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯିବ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମୁମ୍ବାଇ ଠାରେ ଏକତ୍ରିତ ହୋଇ  ଦଳ ଚୟନ କରିବେ । ଭାରତୀୟ ଟି-ଟ୍ୱେଣ୍ଟି  ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂର୍ଯ୍ୟକୁମାରଙ୍କ ଫିଟ୍‌ନେସ୍‌ ଉପରେ ମଧ୍ୟ ଜାତୀୟ  କ୍ରିକେଟ୍‌ ଏକାଡେମୀ ରିପୋର୍ଟ ପ୍ରଦାନ କରିବ ।  ସେ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର ପରେ ସୁସ୍ଥ  ହୋଇ ଅଭ୍ୟାସ ଚଳାଇଛନ୍ତି । ଏଥର ଏସିଆ କପ୍‌  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଆୟୋଜନ କରାଯାଉଥିବାରୁ  ୧୫ଜଣିଆ ଦଳ ପ୍ରସ୍ତୁତ କରିବା ଚୟନ କମିଟି ପାଇଁ  ଅଗ୍ନି ପରୀକ୍ଷା ସଦୃଶ ହେବ । ୧୫ଜଣିଆ ଦଳରୁ ପାଖାପାଖି ୧୧ଟି ସ୍ଥାନ ନିଶ୍ଚିତ ହୋଇ ସାରିଛି ।  ବାକି ୪ଟି ସ୍ଥାନ ପାଇଁ ବହୁ ଦାବିଦାର ରହିଛନ୍ତି । 

ତୃତୀୟ ଓପନର ସ୍ଥାନ 

ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଟି-ଟ୍ୱେଣ୍ଟି ଦଳର ସ୍ଥାୟୀ ଓପନର । କ୍ରିକେଟ୍‌ର ଏହି  ଛୋଟ ଫର୍ମାଟ୍‌ରେ ଅଭିଷେକ ୨ଟି ଶତକ ଓ ସାମସନ ୩ଟି ଶତକ ଅର୍ଜନ କରିସାରିଛନ୍ତି ।  ଏସିଆ କପ୍‌ ଦଳରେ ଉଭୟଙ୍କ ସ୍ଥାନ ସୁରକ୍ଷିତ  ରହିଛି । ବର୍ତ୍ତମାନ ତୃତୀୟ ଓପନର ସ୍ଥାନ ପାଇଁ ଯଶସ୍ୱୀ ଜୈସ୍ୱାଲ୍‌ ଓ ଶୁଭମନ ଗିଲଙ୍କ ମଧ୍ୟରେ  ପ୍ରତିଦ୍ୱନ୍ଦ୍ୱିତା ହେବ । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ବେଳେ ଜୈସ୍ୱାଲ୍‌ ତୃତୀୟ ଓପନର ଓ ଗିଲ୍‌ ରିଜର୍ଭ  ଖେଳାଳି ରହିଥିଲେ । ବର୍ତ୍ତମାନ ଗିଲ୍‌ ଟେଷ୍ଟ ଦଳର  ଅଧିନାୟକ ଓ ଆଗାମୀ ଦିନରେ ସମସ୍ତ ଫର୍ମାଟ୍‌ରେ  ଅଧିନାୟକ ହେବେ । ତେଣୁ ତାଙ୍କୁ ଅଗ୍ରାଧିକାର ମିଳିବା ସମ୍ଭାବନା ରହିଛି । 

ନଂ-୩ରେ ଆୟର ଦାବିଦାର 

ଟି-ଟ୍ୱେଣ୍ଟି ଦଳରେ ସୂର୍ଯ୍ୟକୁମାର ଯାଦବ ଓ  ତିଳକ ବର୍ମା ଯଥାକ୍ରମେ ବ୍ୟାଟିଂ କ୍ରମର ୩ନଂ  ସ୍ଥାନ ସମ୍ଭାଳୁଛନ୍ତି । ତିଳକ ୩ନଂ ସ୍ଥାନରେ ସୀମିତ ସୁଯୋଗ ପାଇଛନ୍ତି ଓ ୨ଟି ଶତକ ଅର୍ଜନ କରିଛନ୍ତି ।  ଏସିଆ କପ୍‌ରେ ସୂର୍ଯ୍ୟକୁମାର ୪ନଂ ସ୍ଥାନ  ସମ୍ଭାଳିବା ନିଶ୍ଚିତ । ତେଣୁ ତିଳକ ୩ନଂ ସ୍ଥାନରେ  ଖେଳିବା ସମ୍ଭାବନା ରହିଛି । ବର୍ତ୍ତମାନ ଏହି ସ୍ଥାନ  ପାଇଁ ତାଙ୍କୁ ଚ୍ୟାଲେଞ୍ଜ ଦେବେ ଶ୍ରେୟାସ ଆୟର ।  ଗତ ଆଇପିଏଲ୍‌ରେ ସେ ୩ନଂ ସ୍ଥାନରେ ବ୍ୟାଟିଂ  କରି ୧୭୫.୦୫ ଷ୍ଟ୍ରାଇକ ରେଟ୍‌ରେ ମୋଟ୍‌ ୬୦୪  ରନ ସଂଗ୍ରହ କରିଥିଲେ । ସ୍ପିନରଙ୍କ ବିପକ୍ଷରେ  ତାଙ୍କ ବିସ୍ଫୋରକ ବ୍ୟାଟିଂ କ୍ଷମତା ହିଁ ତାଙ୍କୁ ପ୍ରବଳ  ଦାବିଦାର ରୂପେ ଛିଡ଼ା କରିଛି । ଦ୍ୱିତୀୟ ୱିକେଟ୍‌ କିପର ପ୍ରଥମ ୱିକେଟ୍‌ କିପର ଭାବେ ସାମସନ ଦଳରେ  ସ୍ଥାନ ପାଇବେ ।

ଦ୍ୱିତୀୟ ୱିକେଟ୍‌ କିପର 

ଦୌଡ଼ରେ ଜିତେଶ ଶର୍ମା ରହିଛନ୍ତି । ଗତ  ଆଇପିଏଲ୍‌ର ପ୍ରଦର୍ଶନ ବଳରେ ଜିତେଶ ପ୍ରମୁଖ  ଦାବିଦାର ରୂପେ ଉଭା ହୋଇଛନ୍ତି । ରିଷଭ ପନ୍ତ  ଓ ଇଶାନ କିଷନ ଆହତ ଥିବାରୁ ଜିତେଶଙ୍କ  ସୁଯୋଗ ଅଧିକ ରହିଛି । ବ୍ୟାଟିଂ କ୍ରମର ୫ ଓ ୬  ନଂ ସ୍ଥାନ ସମ୍ଭାଳିବେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା  ଓ ଅକ୍ଷର ପଟେଲ । 

ବରୁଣ/କୁଲଦୀପ

ସ୍ପିନର ସ୍ଥାନ ପାଇଁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ  ଯାଦବ ପ୍ରମୁଖ ଦାବିଦାର ରହିବେ । ଅକ୍ଷର ସ୍ପିନ  ବୋଲିଂ ଅଲ୍‌ରାଉଣ୍ଡର ରହିଥିବାରୁ ଏକାଦଶରେ  ବରୁଣ ଓ କୁଲଦୀପଙ୍କ ମଧ୍ୟରୁ କେବଳ ଜଣଙ୍କୁ  ସୁଯୋଗ ମିଳିବ । 

ନିମ୍ନ କ୍ରମ ବ୍ୟାଟର 

ନିମ୍ନ ଭାଗରେ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ  ଚୟନକର୍ତ୍ତା କିଛି ଖେଳାଳିଙ୍କୁ ତାଲିକାଭୁକ୍ତ  କରିଛନ୍ତି । ବିଶେଷ କରି ବ୍ୟାଟିଂ କ୍ରମର ୭ନଂ ସ୍ଥାନରେ ଖେଳିବା ପାଇଁ ରିଙ୍କୁ ସିଂହ, ଶିବମ  ଦୁବେ, ୱାସିଂଟନ ସୁନ୍ଦର ଓ ରିୟାନ ପରାଗ  ଦୌଡ଼ରେ ରହିବେ । ନୀତିଶ କୁମାର ରେଡ୍ଡୀ ଆହତ ଥିବାରୁ ଦୌଡ଼ରେ ନାହାନ୍ତି । ଏହି ସ୍ଥାନ  ପାଇଁ ଅଲ୍‌ରାଉଣ୍ଡର ଆବଶ୍ୟକ ହେଉଥିବାରୁ  ରିଙ୍କୁ ସିଂହ ମଧ୍ୟ ସ୍ଥାନ ପାଇବା କଷ୍ଟକର । ଫଳରେ  ପରାଗ, ସୁନ୍ଦର ଓ ଦୁବେଙ୍କ ମଧ୍ୟରେ ଏହି ସ୍ଥାନ  ପାଇଁ ଜୋରଦାର ଲଢ଼େଇ ହେବ ।

ତୃତୀୟ ପେସ୍‌ ବୋଲର 

ଯଶପ୍ରୀତ ବୁମରା ଏସିଆ କପ୍‌ ଖେଳିବାକୁ ପ୍ରସ୍ତୁତ  ରହିଥିବା ସ୍ପଷ୍ଟ କରିସାରିଛନ୍ତି । ତେଣୁ ସେ ଦଳରେ  ସ୍ଥାନ ପାଇବା ନିଶ୍ଚିତ । ଅଶର୍ଦୀପ ସିଂହ ଅନ୍ୟ  ପେସ୍‌ ବୋଲର ଭାବେ ସ୍ଥାନ ବଜାୟ ରଖିବେ ।  ଇଂଲଣ୍ଡରେ ଦମ୍‌ଦାର ପ୍ରଦର୍ଶନ କରିଥିବା ମହମ୍ମଦ  ସିରାଜଙ୍କୁ ବିଶ୍ରାମ ଦେବାର ସମୟ ଆସିଛି । ତେଣୁ  ତୃତୀୟ ପେସ୍‌ ବୋଲର ସ୍ଥାନ ପାଇଁ ପ୍ରସିଦ୍ଧ କ୍ରିଷ୍ଣା  ଓ ହର୍ଷିତ ରାଣାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।  ପ୍ରସିଦ୍ଧ ଗତ ଆଇପିଏଲରେ ସର୍ବାଧିକ ୱିକେଟ୍‌  ନେଇ ପର୍ପଲ କ୍ୟାପ୍‌ ହାସଲ କରିଥିଲେ । ରାଣା ମଧ୍ୟ  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଘାତକ ସାବ୍ୟସ୍ତ ହେଉଛନ୍ତି।