ନୂଆଦିଲ୍ଲୀ,୦୪/୧୧: ଆମେରିକାରେ ଆୟୋଜିତ ୧୯ବର୍ଷରୁ  କମ୍‌ ବକ୍ସିଂ ବିଶ୍ୱ ଚାମ୍ପିଅନସିପ୍‌ରେ  ଭାରତ ମୋଟ ୧୭ ପଦକ ସହ ଅଭିଯାନ ଶେଷ କରିଛି । ସେଥିମଧ୍ୟରେ  ୪ ସ୍ୱର୍ଣ୍ଣ, ୮ ରୌପ୍ୟ, ୫ ବ୍ରୋଞ୍ଜ ପଦକ  ସାମିଲ ରହିଛି । ରବିବାର ଅନ୍ତିମ ଦିବସରେ  ଭାରତକୁ ୩ଟି ସ୍ୱର୍ଣ୍ଣ ସହ ମୋଟ ୬ଟି  ପଦକ ମିଳିଥିଲା ।

ମହିଳା ବକ୍ସର  ପାର୍ଥବୀ ଗ୍ରେୱାଲ, ବଂଶିକା ଗୋସ୍ୱାମୀ  ଓ ପୁରୁଷ ବକ୍ସର ହେମନ୍ତ ସାଙ୍ଗୱାନ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ମହିଳା ୬୫କିଲୋ ବର୍ଗ  ଫାଇନାଲ୍‌ରେ ପାର୍ଥବୀ ନେଦରଲାଣ୍ଡ୍‌ସର ଆଲିୟା ହୋପେମାଙ୍କୁ, ବଂଶିକା (୮୦ରୁ  ଊଦ୍ଧ୍ୱର୍ କିଲୋ) ଜର୍ମାନୀର ଭିକ୍ଟୋରିଆ  ଗାଟ୍‌ଙ୍କୁ ଏବଂ ହେମନ୍ତ (୯୦କିଲୋ)  ୪-୧ରେ ଆମେରିକାର ରିଶନ  ସିମ୍ସଙ୍କୁ ପରାଜିତ କରିଥିଲେ । ମାତ୍ର  ନିଶା (୫୧କିଲୋ), ସୁପ୍ରିୟା ଦେବୀ  (୫୪କିଲୋ) ଓ କ୍ରିତିକା ୱାସନ  (୮୦କିଲୋ) ଫାଇନାଲ୍‌ରେ ହାରି  ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ଏହି  ଚାମ୍ପିଅନସିପ୍‌ରେ ଭାରତୀୟ ମହିଳା  ବକ୍ସର ୩ଟି ସ୍ୱର୍ଣ୍ଣ ଓ ୭ଟି ରୌପ୍ୟ ଏବଂ  ପୁରୁଷ ବକ୍ସର ୧ସ୍ୱର୍ଣ୍ଣ, ୧ରୌପ୍ୟ ଏବଂ  ୫ବ୍ରୋଞ୍ଜ ପଦକ ହାସଲ କରିଥିଲେ ।