- ବିଶ୍ୱ ନିବେଶକଙ୍କ ଲାଗି ନିରାପଦ ସ୍ଥଳ ଭାରତ
- ତାଇୱାନ-କୋରିଆ ବଜାର ଚର୍ଚ୍ଚାରେ ଥିଲେ
- ଘରୋଇ ଷ୍ଟକ ବଜାରର ମୂଲ୍ୟ ୪.୯୨ ଟ୍ରିଲିୟନ ଡଲାର
- ବିଦେଶୀ ପୁଞ୍ଜି ପ୍ରତ୍ୟାହାର ସର୍ବନିମ୍ନ ସ୍ତରରେ
ନୂଆଦିଲ୍ଲୀ, ୦୬/୦୭: ବିଶ୍ୱସ୍ତରୀୟ ନିବେଶକଙ୍କ ଲାଗି ଏବେ ଭାରତୀୟ ପୁଞ୍ଜି ବଜାର ପୁଣି ଥରେ ସେଫ୍ ହେଭେନ ବା ନିରାପଦ ସ୍ଥଳ ପାଲଟିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ସମ୍ପର୍କିତ ଶେୟାର ବଜାର ଗୁଡିକରେ ମାନ୍ଦାବସ୍ଥା ଦେଖାଯିବା ପରେ ବିଶ୍ୱର ବଡ଼ ବଡ଼ ନିବେଶକମାନେ ପୁଣି ଥରେ ଭାରତୀୟ ବଜାର ଆଡକୁ ମୁହାଁଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଦେଶର ପୁଞ୍ଜି ବଜାର ଉପରେ ପଡିଛି । ଫଳରେ ଭାରତୀୟ ଶେୟାର ବଜାର ପୁଣି ଥରେ ବିଶ୍ୱର ୫ମ ବୃହତ ବଜାର ଭାବେ ନିଜ ସ୍ଥାନ ହାସଲ କରିଛି ।
କିଛି ଦିନ ପୂର୍ବେ ଦକ୍ଷିଣ କୋରିଆ ଏବଂ ତାଇୱାନ ବଜାର ଏଆଇ ବୁମ୍ ଯୋଗୁ ବେଶ ଚର୍ଚ୍ଚାରେ ଥିଲେ । ଭାରତକୁ ପଛରେ ପକାଇ ଏମାନେ ପଞ୍ଚମ ସ୍ଥାନ ହାସଲ କରିଥିଲେ । ମାତ୍ର ସେହି ଦେଶର ପୁଞ୍ଜି ବଜାର ଗୁଡିକରେ ଏଆଇ ଷ୍ଟକ୍ ଗୁଡିକର କ୍ରେଜ୍ କମିବା ଫଳରେ ଭାରତ ପୁଣି ଥରେ ନିଜର ପୂର୍ବ ସ୍ଥାନ ଫେରି ପାଇଛି । ବର୍ତ୍ତମାନ ଭାରତୀୟ ପୁଞ୍ଜି ବଜାରର ମୂଲ୍ୟ ୪.୯୨ ଟ୍ରିଲିୟନ ଡଲାର ଛୁଇଁଛି । ବଜାର ବିଶେଷଜ୍ଞ କହିଛନ୍ତି ଯେ, ନିଫ୍ଟି ୫୦ ଏବେ ନିରାପଦ ସ୍ଥଳ ଭାବେ ଉଭା ହୋଇଛି । ଆମେରିକା ଏବଂ ଏସୀୟ ବଜାରରେ ଏଆଇ କମ୍ପାନିଗୁଡିକର ଶେୟାର ମୂଲ୍ୟରେ ଅତିରିକ୍ତ ଅସ୍ଥିରତା ଦେଖାଯାଉଛି । ଅନ୍ୟପଟେ ଭାରତୀୟ ବଜାର ଅପେକ୍ଷାକୃତ ସ୍ଥିର ରହିଛି । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଅନ୍ୟ ଉଦୀୟମାନ ବଜାର ତୁଳନାରେ ଭାରତରେ ଅସ୍ଥିରତା କମ୍ ଥିଲା । ଏହା ସହ ଘରୋଇ ବଜାରର ଅର୍ଥନୈତିକ ସୁଧାର ମଧ୍ୟ ପୁଞ୍ଜି ବଜାରକୁ ବଳ ପ୍ରଦାନ କରିଛି ।
ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପରେ ଅଶୋଧିତ ତେଲ ଦରରେ ବଡ ହ୍ରାସ ହୋଇଛି । ସେହିଭଳି ଟଙ୍କା ମୂଲ୍ୟରେ ସ୍ଥିରତା ବଜାରକୁ ଦୃଢ଼ କରିବାରେ ସହାୟତା କରିଛି । ଜୁନ ମାସରେ ଭାରତୀୟ ବଜାରର ଏମ୍ଏସ୍ସିଆଇ ଏମର୍ଜିଂ ମାର୍କେଟ ଇଣ୍ଡେକ୍ସ ତୁଳନାରେ ବେଶ ଭଲ ପ୍ରଦର୍ଶନ କରିଛି । ବିଦେଶୀ ପୁଞ୍ଜି ପ୍ରତ୍ୟାହାର ମଧ୍ୟ ୪ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଛି । ଗତ କିଛି ମାସ ଧରି ଦକ୍ଷିଣ କୋରିଆ ଏବଂ ତାଇୱାନ ଭଳି ବଜାର ଏଆଇ ହାର୍ଡୱେର ଏବଂ ଚିପ୍ ଚାହିଦା ଯୋଗୁ ବେଶ ଚର୍ଚ୍ଚାରେ ଥିଲା । ମାତ୍ର ସେଠାରେ ଏବେ ବଜାର ସ୍ଥିତି ଅସ୍ଥିର ଥିବାରୁ ନିବେଶକମାନେ ଭାରତର ନିଫ୍ଟି ୫୦କୁ ନିରାପଦ ସ୍ଥଳ ବୋଲି ବିବେଚନା କରିଛନ୍ତି । ଅନ୍ୟ ବଜାର ତୁଳନାରେ ଭାରତ ବଜାର ସୁରକ୍ଷିତ ଥିବାରୁ ନିବେଶକ ଏଠାକୁ ଆସିବାକୁ ପସନ୍ଦ କରୁଛନ୍ତି ।
ଷ୍ଟକ ବଜାର ଷ୍ଟ୍ରାଟେଜିଷ୍ଟ କହିଛନ୍ତି, ଏହା କେବଳ ଭାରତୀୟ ବଜାରର କ୍ଷମତା ଉପରେ ବାଜି ଲଗାଇବା ନୁହେଁ ବରଂ ଏକ ଢାଞ୍ଚାଗତ ସ୍ଥିରତା ଆଡକୁ ଅଗ୍ରସର ହେବାକୁ ଦର୍ଶାଉଛି । ବିଶ୍ୱ ବଜାରର ଝଡରୁ ନିଜକୁ ସୁରକ୍ଷିତ କରିବା ଲାଗି ନିବେଶକ ଭାରତ ମୁହାଁ ହେଉଛନ୍ତି । ଘରୋଇ ବଜାରର ଆଭ୍ୟନ୍ତରୀଣ କାରକ ଗୁଡିକ ଏହି ନିବେଶକୁ ଆକର୍ଷିତ କରୁଛି । ଅନ୍ୟପଟେ ବିଶ୍ୱ ବଜାରରେ କମୋଡିଟି ମୂଲ୍ୟ ହ୍ରାସ ମଧ୍ୟ ଭାରତ ପାଇଁ ଶୁଭ ସଙ୍କେତ ଦେଉଛି । ଟଙ୍କାର ସ୍ଥିରତା ଓ ଜିଡିପିର ଉନ୍ନତ ପ୍ରଦର୍ଶନ ଅନ୍ୟ ଦେଶ ଅପେକ୍ଷା ଭାରତକୁ ଦୃଢ଼ ବିକଳ୍ପ ଭାବେ ଛିଡା କରିଛି । ଆଇଟି କ୍ଷେତ୍ର ଲାଗି ଆହ୍ୱାନ: ଭାରତୀୟ ପୁଞ୍ଜି ବଜାର ସାମଗ୍ରିକ ଭାବେ ସୁରକ୍ଷିତ ଥିଲେ ମଧ୍ୟ ଦେଶର ଆଇଟି କ୍ଷେତ୍ର ଏଆଇ ସଙ୍କଟର ସାମ୍ନା କରୁଛି । ସଫ୍ଟୱେର ଟେଷ୍ଟିଂ ଏବଂ ରୁଟିନ ସପୋର୍ଟ ସେବା ଭଳି ପାରମ୍ପରିକ ଆୟ ଉତ୍ସ ଗୁଡିକ ଏଆଇ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷଜ୍ଞ କହିଛନ୍ତି, ଭାରତୀୟ ଆଇଟି କମ୍ପାନି ଗୁଡିକ ନିଜର ଗବେଷଣା ଓ ବିକାଶ (ଆର୍ଆଣ୍ଡଡି) ବ୍ୟୟକୁ ବୃଦ୍ଧି କରି ନୂଆ ସେବା କ୍ଷେତ୍ର ଦିଗରେ ପଦକ୍ଷେପ ନେବାକୁ ପଡିବ । ଭାରତୀୟ ପୁଞ୍ଜି ବଜାର ପ୍ରତି ନିବେଶକଙ୍କ ମନୋଭାବ ସ୍ଥାୟୀ ହେବ କି ନାହିଁ ତାହା କର୍ପୋରେଟ ଗୁଡିକର ଆୟ ସ୍ଥିତାବସ୍ଥା ଉପରେ ନିର୍ଭର କରୁଛି ।
ଅଧିକ ପଢନ୍ତୁ- PO Recruitment 2026: SBIରେ ଚାକିରି ସୁଯୋଗ,୧୫୦୦ ପିଓ ନିଯୁକ୍ତି ପାଇଁ ଖୁବ୍ଶୀଘ୍ର ଆବେଦନ