ନୂଆଦିଲ୍ଲୀ,୨୨/୦୪; ଭାରତରେ ଡୋପ୍ କଳଙ୍କ ସ୍ଥିତି ଅତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ଭାରତ ଡୋପିଂରେ ନମ୍ବର ୱାନ୍‌ରେ ରହିଛି ! ଯାହାକୁ ନେଇ ଆଥଲେଟିକ ସାଧୁତା ୟୁନିଟ୍ (ଏଆଇୟୁ) ସତର୍କ କରାଇ ଦେଇଛି । ୨୦୩୦ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ । ପୁଣି ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଆଗ୍ରହୀ ରହିଛି । ଏବେଠୁ ଯଦି ଡୋପ୍ କଳଙ୍କକୁ ନିୟନ୍ତ୍ରଣ କରାନଯାଏ ତେବେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ବାସନ୍ଦ ହେବାକୁ ପଡ଼ିବ । ଏମିତି ହେଲେ କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧା ଉପୁଜିପାରେ ।

ଗତ ସୋମବାର ଦିନ ଏଆଇୟୁର ତାଲିକା ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି । ଭାରତ ବିଶ୍ୱରେ କ୍ରୀଡ଼ା ମହାଶକ୍ତି ଭାବେ ଉଭା ହେବାକୁ ସ୍ୱପ୍ନ ଦେଖୁଥିବାବେଳେ ଆମ କ୍ରୀଡ଼ାବିତମାନଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଛି । ଏଆଇୟୁ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ) ଏବେ ଡୋପ କଳଙ୍କ ତାଲିକାର ବିପଦ ସଂକେତ ଉପରେ ରହିଛି । ଏବେ ଭାରତୀୟ ଖେଳାଳିଙ୍କୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା କଠିନ ଡୋପ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ । ସଦ୍ୟ ପ୍ରକାଶିତ ଡୋପ୍ ତାଲିକାରେ ଏଏଫ୍ଆଇ ଗ୍ରୁପ୍ ବି’(ମଧ୍ୟମ)ରୁ ଏ’ (ଅତି ବିପଜ୍ଜନକ) ବର୍ଗକୁ ଉନ୍ନୀତ ହୋଇଛି । ଏ’ ବର୍ଗରେ ରୁଷିଆ, ବେଲାରୁଷ, ଇଥିଓପିଆ, କେନିଆ, ନାଇଜେରିଆ ଓ ୟୁକ୍ରେନ ସହ ଭାରତ ସାମିଲ ରହିଛି । ଏହିସବୁ ଦେଶରେ ଆଥଲେଟମାନେ ମାତ୍ରାଧିକ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ।

ଏହା ବି ପଢନ୍ତୁ...IPL 2026 : ଘରୋଇ ଗ୍ରାଉଣ୍ଡ୍ରେ ରାଜସ୍ଥାନକୁ ଭେଟିବ ଲକ୍ଷ୍ନୌ, ପନ୍ତ ନା ପରାଗ ? କିଏ ପଡ଼ିବେ ଭାରି

ଡୋପ୍ କଳଙ୍କ ତାଲିକା ପ୍ରକାଶ ପାଇବା ପରେ ଏଏଫ୍ଆଇକୁ ଏଆଇୟୁ କିଛି ପରାମର୍ଶ ଦେଇଛି । ଏବେ ନିୟମିତ ଭାବେ ଖେଳାଳିମାନଙ୍କର ପରୀକ୍ଷା କର ଏବଂ ସେମାନେ କେଉଁଠି ରହୁଛନ୍ତି କ’ଣ କରୁଛନ୍ତି ସତର୍କ ନଜର ରଖ । ଏଏଫ୍ଆଇ ପରମର୍ଶକୁ ଗ୍ରହଣ କରିବା ସହ ପରିସ୍ଥିତିରେ ସୁଧାର ଆଣିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଛି । କେବଳ ଆଥଲେଟିକ୍ସ ନୁହେଁ, ଅନ୍ୟାନ୍ୟ କ୍ରୀଡ଼ାରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ ଡୋପରେ ବିଫଳ ହୋଇ ବର୍ଷ ବର୍ଷ ବାସନ୍ଦ ହେଉଛନ୍ତି । ନିକଟରେ ଡୋପିଂରେ ଦୋଷୀ ସାବ୍ୟସ୍ତ ହୋଇଥିବା ଖେଳାଳିମାନଙ୍କ ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତ କେନିଆକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି । ଏହି କାରଣରୁ ୧୪୮ ଜଣ ଭାରତୀୟ ଖେଳାଳି ଏବଂ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । AIU ଆଣ୍ଟି-ଡୋପିଂ ନିୟମ ୧୫ ଅନୁଯାୟୀ ଭାରତୀୟ ଆଥଲେଟିକ୍ସ ଫେଡେରେସନ (AFI)କୁ ବି ବର୍ଗରୁ ଏ ବର୍ଗ କୁ ହ୍ରାସ କରିଛି । ଏଆଇୟୁର ସଭାପତି ଡେଭିଡ ହୋମାନ କହିଛନ୍ତି,  '' ଭାରତରେ ଡୋପିଂ ପରିସ୍ଥିତି ଦୀର୍ଘ ଦିନ ଧରି ବିପଦପୂର୍ଣ୍ଣ ରହିଛି।  ଡୋପିଂ ମୁକାବିଲା ପାଇଁ କରାଯାଉଥିବା ପ୍ରୟାସ ଏଥିରେ ଥିବା ବିପଦକୁ ପୂରଣ କରିପାରୁନାହିଁ ।