ନୂଆଦିଲ୍ଲୀ,୮।୬: ‘ଅପରେସନ୍‌ ସିନ୍ଦୂର’ ବେଳେ ଭାରତର ଜୋରଦାର ବିମାନ ଆକ୍ରମଣରେ ପାକିସ୍ତାନର ସ୍ଥିତି ଖୁବ୍ ଖରାପ ହୋଇଯାଇଥିଲା। ଏବେ ଭୟରେ ଆମେରିକାଠାରୁ ଉନ୍ନତ ଅସ୍ତ୍ରଶସ୍ତ୍ର ପାଇଁ ଗୁହାରୀ କରିଛି। ଓ୍ବାଶିଂଟନ୍‌ରେ ଥିବ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀର ସଦସ୍ୟ ଓ ନଓ୍ବାଜ ଶରିଫ୍‌ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ମୁସାଦିକ ମଲିକଙ୍କ ଏକ ଭିଡିଓ ଭାଇରାଲ ହେଉଛି,  ଯେଉଁଥିରେ ସେ ଆମେରିକାକୁ ଏୟାର ଡିଫେନ୍ସ ସିଷ୍ଟମ ଓ ଫାଇଟର ଜେଟସ ବିକ୍ରି କରିବାର ଗୁହାରୀ କରୁଛି। ତାଙ୍କର ଏହି ବୟାନ ପାକିସ୍ତାନ‌ରେ ସରକାରଙ୍କ ଦ୍ବାରା କରାଯାଉଥିବା ‘ବିଜୟ’ର ଦାବି  ପରେ ଏକଦମ୍ ଓଲଟା ଲାଗୁଛି।

ଭାଇରାଲ ଭିଡିଓରେ ମଲିକ୍ କହିଛନ୍ତି ଭାରତ ୮୦ ବିମାନ ଓ ୪୦୦ ମିସାଇଲ ସହ ଆସିଥିଲା, ଯେଉଁଥିରେ କିଛି ପରମାଣୁ ହତିଆର ନେବାରେ ସକ୍ଷମ ଥିଲା। ଆମ ସହ କିଛି ବି ହୋଇପାରିଥାନ୍ତି। ଯଦି ଆମ ପାଖରେ ଏୟାର ଡିଫେନ୍ସ ସିଷ୍ଟମ ନଥାନ୍ତା ତେବେ ମାଟିରେ ମିଶି ଯାଇଥାନ୍ତୁ। ଭାରତ ଟେକ୍ନୋଲୋଜିର ବ୍ୟବହାର କରୁଛି। ସେ ବହୁତ ଆଡଭାନ୍ସ। ଆପଣ ସେଭଳି ଟେକ୍ନୋଲୋଜି ଆଣନ୍ତୁ, ଆମେ କିଣିବାକୁ ପ୍ରସ୍ତୁତ ଅଛୁ।’

ଉଲ୍ଲେଖନୀୟ ଯେ, ମଲିକ୍ ବୈଦେଶିକ ମନ୍ତ୍ରୀ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଚେୟାରମ୍ୟାନ୍ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରୀଙ୍କ ନେତୃତ୍ବରେ ଆମେରିକା ଅଧିକାରୀଙ୍କ ଓ ସାଂସଦଙ୍କ ସହ ବାର୍ତ୍ତାକୁ ନେଇ ଆମେରିକା ଗସ୍ତରେ ଅଛନ୍ତି। ମଲିକ୍‌ଙ୍କ ଏହି ସ୍ବୀକାରରୋକ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ଦିଆଯାଇଥିବା ବୟାନଠାରୁ ସମ୍ପୂର୍ଣ୍ଣ ଅଲଗା। ଶେହବାଜ କହି ବୁଲୁଛନ୍ତି ପାକିସ୍ତାନର ବିଜୟ ହୋଇଛି। ଏଥିପାଇଁ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ସେ ଫିଲ୍ଡ ମାର୍ଶଲ ମଧ୍ୟ କରିଥିଲେ। ଉଲ୍ଲେଖନୀୟ ଯେ, ନିଜେ ଶେହବାଜ ମଧ୍ୟ ସ୍ବୀକାର କରିସାରିଛନ୍ତିଯେ, ଭାରତ ରାଓ୍ବଲପିଣ୍ଡି ସହିତ ବହୁ ପାକିସ୍ତାନର ଅଞ୍ଚଳରେ ମିସାଇଲ ମାଡ କରିଥିଲା। ଭାରତ ବ୍ରହ୍ମୋସ ମିସାଇଲ ମଧ୍ୟ ମାଡ କରିଥିଲା, ଯାହାକି ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ପଡିଛି। ଏଥିରେ ରାଓ୍ବଲପିଣ୍ଡି ଏୟାରପୋର୍ଟ ମଧ୍ୟ ରହିଛି।