ନୂଆଦିଲ୍ଲୀ,୧୫/୦୭: 'ଅପରେସନ ସିନ୍ଦୂର' ପରେ ଭାରତର ପ୍ରତିରକ୍ଷା କ୍ରୟର ଢାଞ୍ଚା ତୀବ୍ର ଗତିରେ ବଦଳିଛି । ଗତ ୧୪ ମାସରେ ମଞ୍ଜୁର ହୋଇଥିବା ରେକର୍ଡ ପ୍ରସ୍ତାବରୁ ଏହା ସଙ୍କେତ ମିଳୁଛି ଯେ, ସେନାକୁ ଏବେ କେବଳ ସୀମିତ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ବରଂ ଲମ୍ବା ଏବଂ ଏକାଧିକସ୍ତରୀୟ ବା ମଲ୍ଟିଲେବଲ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯାଉଛି । ପାକିସ୍ତାନ ବିରୋଧରେ 'ଅପରେସନ ସିନ୍ଦୂର' ପରଠାରୁ ଡିଫେନ୍ସ ଆକ୍ୱିଜିସନ କାଉନସିଲ ୫୫ ପ୍ରସ୍ତାବକୁ ମଞ୍ଜୁରି ଦେଇଛି, ଯାହାର ମୂଲ୍ୟ ୯.୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ଏହି ଟଙ୍କା ଏକସଙ୍ଗରେ ଖର୍ଚ୍ଚ ହେବନାହିଁ ବରଂ କିଛି ବର୍ଷ ପର୍ଯ୍ୟନ୍ତ ପୃଥକ ଚୁକ୍ତି, ନିର୍ମାଣ କାର୍ଯ୍ୟକ୍ରମ ଏବଂ ଆଧୁନିକୀକରଣ ଯୋଜନାରେ ବ୍ୟୟ କରାଯିବ । ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତିର ମୁଖ୍ୟ କାରଣ ହେଉଛି ଏବେ ସଂଘର୍ଷ ହେବା ସାଧାରଣ କଥା ହେବାରେ ଲାଗିଛି । ଯୁଦ୍ଧ ଆରମ୍ଭ ହେବା ପରେ ତାହା ଥମିବା ବି ସହଜ ହେଉନି ।
ଅନ୍ୟ କାରଣ ହେଉଛି, ଲମ୍ବା ଏବଂ ଆର୍ଥିକ ଭାବେ କ୍ଷତି ପହଞ୍ଚାଉଥିବା ଯୁଦ୍ଧକୁ ବି ଜାରି ରଖାଯାଇପାରିବ । ନୂଆ ପ୍ରସ୍ତାବଗୁଡ଼ିକର ଲକ୍ଷ୍ୟ ହେଉଛି ମାସ ମାସ ଧରି ଅସ୍ତ୍ରଶସ୍ତ୍ର ପର୍ଯ୍ୟାପ୍ତ ହୋଇପାରିବ, ଦ୍ରୁତଗତିରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ ଏବଂ ଯୋଗାଣ ବଜାୟ ରହିପାରିବ । ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଲମ୍ବା ଯୁଦ୍ଧ ଭାରତର ସୈନ୍ୟ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିବା ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ । ଅନ୍ୟପକ୍ଷରେ, ଅପରେସନ ସିନ୍ଦୂରରେ ବ୍ରହ୍ମୋସ୍, ଆକାଶ, ଲଏଟୋରିଂ ମ୍ୟୁନେସନ, ନେତ୍ର ଭଳି ଭାରତୀୟ ଅସ୍ତ୍ରଶସ୍ତ୍ରର ବ୍ୟବହାର ପରେ ଦୁନିଆରେ ଏହାର ଚାହିଦା ବଢ଼ିଛି । ଅନେକ ଦେଶ ଏହି ହତିଆରକୁ କ୍ରୟ କରିବାକୁ ରୁଚି ଦେଖାଇଛନ୍ତି । କିଛି ଦେଶ ସହ ହଜାର ହଜାର କୋଟି ଟଙ୍କାର ଚୁକ୍ତି ମଧ୍ୟ ହୋଇସାରିଛି ।
ଏହାର ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କାରୁ ଅଧିକ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ୨୦୨୫- ୨୬ରେ ଭାରତର ପ୍ରତିରକ୍ଷା ରପ୍ତାନୀ ରେକର୍ଡ ୩୮,୪୨୪ କୋଟି ଟଙ୍କାରେ ପହଞ୍ଚିଥିଲା, ଯାହା କି ଗତ ବର୍ଷ ତୁଳନାରେ ୬୨ ପ୍ରତିଶତରୁ ଅଧିକ । ବ୍ରହ୍ମୋସ୍ ପାଇଁ ଫିଲିପାଇନ୍ସ, ଭିଏତନାମ ଏବଂ ଆଉ ଦୁଇ ଦେଶ ସହ ପ୍ରାୟ ୧୨,୫୦୦ କୋଟି ଟଙ୍କାର ଚୁକ୍ତି ହୋଇସାରିଛି । ଇଣ୍ଡୋନେସିଆ ସହ ପ୍ରାୟ ୩,୬୦୦ କୋଟି ଟଙ୍କାର ଡିଲ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ଆକାଶ ମିସାଇଲ ସିଷ୍ଟମ ପାଇଁ ଆର୍ମେନିଆ ସହ ୬,୧୦୦ କୋଟି ଟଙ୍କାର ଚୁକ୍ତି ହୋଇଛି । ଭାରତ ଏବେ ୧୦୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନୀ କରୁଛି । ସେଥିମଧ୍ୟରେ ଆମେରିକା, ଫ୍ରାନ୍ସ, ଆର୍ମେନିଆ ପ୍ରମୁଖ ।