ନୂଆଦିଲ୍ଲୀ, ୧୫।୭: ଭାରତ ଏବଂ ୟୁକେ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବ୍ୟାପାର ଚୁକ୍ତି (FTA) ଆଜିଠାରୁ ଆନୁଷ୍ଠାନିକ ଭାବେ ଲାଗୁ ହୋଇଯାଇଛି । ଦୀର୍ଘ ପ୍ରାୟ ତିନି ବର୍ଷର ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏହି ଐତିହାସିକ ଚୁକ୍ତି କାର୍ଯ୍ୟକାରୀ ହୋଇଛି, ଯାହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ବ୍ରିଟେନ ବଜାରକୁ ଆହୁରି ସହଜ ଓ ପ୍ରଶସ୍ତ କରିବ । ଏହି ଚୁକ୍ତି ଅଧୀନରେ ଭାରତର ୯୯% ସାମଗ୍ରୀକୁ ବ୍ରିଟେନରେ 'ଡ୍ୟୁଟି-ଫ୍ରି' ବା ବିନା ଆମଦାନୀ ଶୁଳ୍କରେ ପ୍ରବେଶ ମିଳିବ । ଏହାଦ୍ୱାରା ବିଶେଷ କରି କପଡ଼ା, ଚମଡ଼ା, ଫୁଟ୍ୱେର, ସାମୁଦ୍ରିକ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ, କେମିକାଲ୍ସ ଏବଂ ପ୍ରୋସେସଡ୍ ଫୁଡ୍ କ୍ଷେତ୍ର ବେଶ୍ ଉପକୃତ ହେବେ ।
ଅର୍ଥନୀତି ଓ ରପ୍ତାନି କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ:
କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, 'India-UK Comprehensive Economic and Trade Agreement' (CETA) ୧୫ ଜୁଲାଇ, ୨୦୨୬ ରୁ ସାରା ଦେଶରେ ପ୍ରଭାବୀ ହୋଇଛି । ଏହି ଚୁକ୍ତି ବ୍ରିଟେନ ବଜାରରେ ଭାରତୀୟ କୃଷକ, ମତ୍ସ୍ୟଜୀବୀ, ଶ୍ରମିକ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ MSMEs ମାନଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ । ଏହା ଏକ ସନ୍ତୁଳିତ ଏବଂ ସମାବେଶୀ ସାମଗ୍ରିକ ଭାଗିଦାରୀ, ଯାହା ଉଭୟ ଦେଶର ବ୍ୟବସାୟକୁ ବିଶ୍ୱସ୍ତରୀୟ ଭାଲ୍ୟୁ ଚେନ୍ ସହ ଯୋଡ଼ିବାରେ ସାହାଯ୍ୟ କରିବ ।
ଏହା ବି ପଢ଼ନ୍ତୁ... Stock market : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ୍ରେ ଝଡ଼, ବଜାର ଖୋଲିବା ମାତ୍ରେ ଉଡ଼ିଗଲା ୩ ଲକ୍ଷ କୋଟି
କେଉଁ ସବୁ ଉଦ୍ୟୋଗକୁ ମିଳିବ ସବୁଠୁ ବଡ଼ ଫାଇଦା ?
ବିଶ୍ୱ ସପ୍ଲାଇ ଚେନ୍ରେ ଭାରତ ନିଜର ସ୍ଥିତି ମଜବୁତ କରୁଥିବା ବେଳେ ବ୍ରେକ୍ସିଟ୍ ପରେ ବ୍ରିଟେନ ପାଇଁ ମଧ୍ୟ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର ଚୁକ୍ତି । ବ୍ରିଟେନ ବଜାରରେ ଭାରତୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ ହଟିବା ଫଳରେ ଏହି ଉତ୍ପାଦଗୁଡ଼ିକ ସେଠାରେ ଅଧିକ ଶସ୍ତା ଏବଂ ପ୍ରତିଯୋଗିତାମୂଳକ ହୋଇପାରିବ । ବିଶେଷ କରି ରେଡିମେଡ୍ ଗାର୍ମେଣ୍ଟସ ଓ ଟେକ୍ସଟାଇଲ୍ସ, ଚମଡ଼ା ଜାତୀୟ ସାମଗ୍ରୀ ଏବଂ ଜୋତା, ସାମୁଦ୍ରିକ ଖାଦ୍ୟ ଓ ପ୍ରୋସେସଡ୍ ଫୁଡ୍, ଇଞ୍ଜିନିୟରିଂ ଓ କୃଷି ଜାତୀୟ ଉତ୍ପାଦ ।
ଏହି ଚୁକ୍ତି କେବଳ ସାମଗ୍ରୀ କାରବାର ମଧ୍ୟରେ ସୀମିତ ନାହିଁ, ବରଂ ଆଇଟି, ଆର୍ଥିକ ସେବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ଭାରତୀୟ କମ୍ପାନୀଗୁଡ଼ିକୁ ମଧ୍ୟ ବ୍ରିଟେନରେ କାମ କରିବା ସହଜ ହେବ । ଏଥିସହ ଭାରତୀୟ ସେଫ୍, ଯୋଗ ପ୍ରଶିକ୍ଷକ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଚୁକ୍ତି ଅନୁସାରେ, ଭାରତ ମଧ୍ୟ ବ୍ରିଟେନରୁ ଆସୁଥିବା ଦାମୀ କାର୍ ଉପରୁ ପର୍ଯ୍ୟାୟକ୍ରମେ ଆମଦାନୀ ଶୁଳ୍କ ହ୍ରାସ କରିବ । ବର୍ତ୍ତମାନ ଏହି ଶୁଳ୍କ ୧୧୦% ପର୍ଯ୍ୟନ୍ତ ରହିଛି, ଯାହାକୁ ଆସନ୍ତା ୫ ବର୍ଷ ମଧ୍ୟରେ କୋଟା ସିଷ୍ଟମ ଆଧାରରେ ୧୦% କୁ ଅଣାଯିବ । ତେବେ ଇଲେକ୍ଟ୍ରିକ୍, ହାଇବ୍ରିଡ୍ ଏବଂ ହାଇଡ୍ରୋଜେନ୍ ଚାଳିତ ଗାଡ଼ିଗୁଡ଼ିକୁ ପ୍ରଥମ ୫ ବର୍ଷ ପାଇଁ ଏହି ରିହାତିରୁ ବାହାରେ ରଖାଯାଇଛି । ଷଷ୍ଠ ବର୍ଷରୁ ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ, ଏହା ଉପରେ ରିହାତି ମିଳିବ ।