ନୂଆଦିଲ୍ଲୀ,୨୫/୦୮: ଭାରତ ସରକାର  ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ  ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି । ପ୍ରଥମ ଚୁକ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍‌ (ଏମ୍‌ଡିଏଲ୍‌)  ଜର୍ମାନୀଠାରୁ ୬ଟି ବୁଡ଼ାଜାହାଜ କିଣିବେ । ସରକାର  ‘ପ୍ରୋଜେକ୍ଟ ୭୫ ଇଣ୍ଡିଆ’ରେ ଭାରତରେ ନିର୍ମିତ ହେଉଥିବା ଏହି ବୁଡ଼ାଜାହାଜର କ୍ରୟକୁ ନେଇ କଥାବାର୍ତ୍ତା ଆରମ୍ଭ ଲାଗି ଅନୁମୋଦନ ଦେଇଛନ୍ତି । ଏହି ଚୁକ୍ତି ୭୦ ହଜାର କୋଟି ଟଙ୍କାରେ  ହୋଇପାରେ ।ସେହିଭଳି ଭାରତ ସରକାର ଇସ୍ରାଏଲଠାରୁ ର‌୍ୟାମ୍ପେଜ୍‌ ଏୟାର-ଟୁ-ଗ୍ରାଉଣ୍ଡ ମିସାଇଲ କିଣିବେ । 

ସୂତ୍ର ମୁତାବକ, ଖୁବଶୀଘ୍ର ଏହି ଅର୍ଡର ପାଇଁ ଫାଷ୍ଟଟ୍ରାକ୍‌ ଭିତ୍ତିରେ ପ୍ରକ୍ରିୟା  ଆରମ୍ଭ ହେବ । ଅପରେସନ ସିନ୍ଦୂର ବେଳେ  ପାକିସ୍ତାନର ମୁରିଦ୍‌କେ ଓ ବହାବଳପୁରସ୍ଥିତ  ଆତଙ୍କବାଦୀଙ୍କ ମୁଖ୍ୟାଳୟ ଉପରେ ସଠିକ୍‌  ଆକ୍ରମଣ ପାଇଁ ର‌୍ୟାମ୍ପେଜ୍‌ ମିସାଇଲ୍‌କୁ  ବ୍ୟବହାର କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତବର୍ଷ ଜାନୁଆରୀରେ ଜର୍ମାନ୍‌ କମ୍ପାନି  ଥିସେନକ୍ରୁପ୍‌ ମେରାଇନ୍‌ ସିଷ୍ଟମ୍ସ ସହ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ସନ ସିଷ୍ଟମ୍‌ ବିଶିଷ୍ଟ ୬ଟି  ବୁଡ଼ାଜାହାଜ ଉତ୍ପାଦନ ଲାଗି ମଝଗାଓଁ ଡକ୍‌ୟାର୍ଡକୁ  ନିଜ ଭାଗୀଦାର ଭାବେ ଚୟନ କରିଥିଲା।