ନୂଆଦିଲ୍ଲୀ,୨୬/୧୧; ଭାରତର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ କୂଟନୀତି ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଛି । ପ୍ରାୟ ୪୫୦ ନିୟୁତ ଡଲାରର ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ଏବଂ ରୁଷ ମଧ୍ୟରେ ମିଳିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିକଶିତ ଏହି କ୍ଷେପଣାସ୍ତ୍ର ବିଶ୍ୱର ସବୁଠାରୁ ଦ୍ରୁତ ଏବଂ ନିର୍ଭରଯୋଗ୍ୟ ରଣନୈତିକ ପ୍ରଣାଳୀ ମଧ୍ୟରେ ଅନ୍ୟତମ । ଅନେକ ଦେଶ ଏହାକୁ କିଣିବା ପାଇଁ ଦୀର୍ଘ ସମୟ ଧରି ଆଗ୍ରହ ପ୍ରକାଶ କରିଛନ୍ତି । ବିଶେଷ କରି ଅପରେସନ୍ ସନ୍ଦୂର ପରେ ବ୍ରହ୍ମୋସର ଚାହିଦା ବଢିଛି । ପାକିସ୍ତାନକୁ ଧୂଳି ଚଟାଇଥିଲା ବ୍ରହ୍ମୋସ୍ ମିସାଇଲ । ଏହି ଚୁକ୍ତି ଭାରତର ପ୍ରତିରକ୍ଷା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ଜାତୀୟ ଗଣାମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ପ୍ରତିଷ୍ଠାନରୁ ମିଳିଥିବା ସୂଚନା ଅନୁସାରେ କ୍ରେତା ଦେଶମାନେ ସାମରିକ ଅଭିଯାନରେ ବ୍ରହ୍ମୋସ ଦ୍ୱାରା ହାସଲ କରାଯାଇଥିବା ଫଳାଫଳକୁ ଅନୁଧ୍ୟାନ କରିଛନ୍ତି ଏବଂ ଏହାର ସଠିକତା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି । ଏହି ପ୍ରଭାବ ଚୁକ୍ତିକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛି । ଆଗାମୀ ମାସଗୁଡ଼ିକରେ ଏକ ସରକାରୀ ହସ୍ତାକ୍ଷର ଆଶା କରାଯାଉଛି । ବ୍ରହ୍ମୋସର ବିଶ୍ୱସନୀୟତା ଏହାର କ୍ଷମତା ପର୍ଯ୍ୟନ୍ତ ସୀମିତ ନୁହେଁ । ସ୍ଥଳ, ସମୁଦ୍ର ଏବଂ ଆକାଶରୁ ଏହାର ଲଞ୍ଚ କରିବାର କ୍ଷମତା ଏହାକୁ ଆହୁରି ରଣନୈତିକ ଭାବରେ ପ୍ରଭାବଶାଳୀ କରିଛି । ଏହି କାରଣରୁ ଭାରତ କେବଳ ଏକ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ନୁହେଁ, ବରଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବାର କ୍ଷମତା ସହିତ ଶକ୍ତିଶାଳୀ ରପ୍ତାନିକାରୀ ଭାବରେ ଉଭା ହେଉଛି ।
ଗତ ମେ ରେ ପହଲଗାମ ପ୍ରତିଶୋଧ ନେଇ କରାଯାଇଥିବା ଅପରେସନ ସିନ୍ଦୁରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରତିଷ୍ଠାକୁ ନୂଆ ଶିଖରରେ ପହଞ୍ଚାଇଥିଲା । ଏହି ଅପରେସନ ପ୍ରଥମ ଥର ପାଇଁ ବ୍ରହ୍ମୋସକୁ ଯୁଦ୍ଧରେ ନିୟୋଜିତ କରିଥିଲା। ଭାରତୀୟ ସେନା ଦ୍ୱାରା ବ୍ରହ୍ମୋସ ବ୍ୟବହାର କରି କରାଯାଇଥିବା ଦ୍ରୁତ, ସଠିକ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ଆକ୍ରମଣ ବିଶ୍ୱବ୍ୟାପୀ ରାଜନୈତିକ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅପରେସନ୍ ସିନ୍ଦୂରରେ ବ୍ରହ୍ମୋସର ଶକ୍ତି ସାରା ବିଶ୍ୱକୁ ପାଗଳ କରିଛି ତେଣୁ ତାର ଚାହିଦା ବଢିଛି ।