ନୂଆଦିଲ୍ଲୀ,୨୫।୧୨: କମ୍ବୋଡିଆରେ ହିନ୍ଦୁ ଦେବତାଙ୍କ ପ୍ରତିମା ଭାଙ୍ଗିବା ମାମଲାକୁ ନେଇ ବଢିଲା ବିବାଦ। ଥାଇ ସେନା ପକ୍ଷରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗା ଯିବା ଘଟଣାକୁ ଭାରତର କଡା ନିନ୍ଦା କରାଯାଇଛି । ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି,ଅପମାନଜନକ କାର୍ଯ୍ୟ ସାରା ବିଶ୍ବର ହିନ୍ଦୁ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି। ଏହା ହେବା ଉଚିତ୍ ନୁହେଁ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ନିକଟରେ ଥାଇ-କମ୍ବୋଡିଆ ସୀମା ବିବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ଏକ ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଖବର ପାଇଛୁ। ସେ ଆହୁରି କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ହିନ୍ଦୁ ଏବଂ ବୌଦ୍ଧ ଦେବତାମାନଙ୍କୁ ଗଭୀର ଭାବରେ ସମ୍ମାନ କରନ୍ତି ଏବଂ ପୂଜା କରନ୍ତି। ସେମାନଙ୍କ ପ୍ରତି ସେମାନଙ୍କର ଅଟଳ ବିଶ୍ୱାସ ରହିଛି। ଏହା ଆମର ସହଭାଗୀ ସଭ୍ୟତା ଐତିହ୍ୟର ଏକ ଅଂଶ।

​​​​​​​

ଭାରତ ଉଭୟ ଦେଶ (ଥାଇଲାଣ୍ଡ ଏବଂ କାମ୍ବୋଡିଆ)କୁ ଶାନ୍ତି ପ୍ରତିଷ୍ଠା ଏବଂ ସମ୍ପତ୍ତି କ୍ଷତି ରୋକିବା ପାଇଁ ଆଲୋଚନା ଏବଂ କୂଟନୀତିର ଆଶ୍ରୟ ନେବାକୁ ଅନୁରୋଧ କରିଛି। ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅସ୍ତ୍ରବିରତି ସତ୍ତ୍ୱେ, ଏହି ମାସରେ ସଂଘର୍ଷ ପୁଣି ଆରମ୍ଭ ହୋଇଥିଲା। ବ୍ୟାକହୋ ଲୋଡର ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ପ୍ରତିମା ଭାଙ୍ଗିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏଏଫ୍‌ପି ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ,ପ୍ରେହ ବିହୟାର ମୁଖପାତ୍ର ଲିମ୍ ଚାନପାହ୍ନା କହିଛନ୍ତି, ପ୍ରତିମାଟି କାମ୍ବୋଡିଆନ୍ ଅଞ୍ଚଳ ଆନ୍ ସାସ୍ ଅଞ୍ଚଳରେ ଅବସ୍ଥିତ। ୨୦୧୪ ରେ ନିର୍ମିତ ବିଷ୍ଣୁ ପ୍ରତିମାକୁ ଡିସେମ୍ବର ୨୨ ରେ ଥାଇ ସୀମାରୁ ପ୍ରାୟ ୧୦୦ ମିଟର ଦୂରରେ ଭାଙ୍ଗି ଦିଆଯାଇଥିଲା, ଚାନପାନ୍ହା କହିଛନ୍ତି। ’ବୌଦ୍ଧ ଏବଂ ହିନ୍ଦୁ ଅନୁଗାମୀମାନଙ୍କ ଦ୍ୱାରା ପୂଜା ପାଉଥିବା ପ୍ରାଚୀନ ମନ୍ଦିର ଏବଂ ମୂର୍ତ୍ତିଗୁଡ଼ିକର ଭଙ୍ଗାରୁଜାକୁ ଆମେ ନିନ୍ଦା କରୁଛୁ।’