ଚେନ୍ନାଇ,୨୫/୦୧: ଶନିବାର ଘରୋଇ ଭାରତ ଓ  ଇଂଲଣ୍ଡ ମଧ୍ୟରେ ଚିପକ ଷ୍ଟାଡ଼ିୟମ୍‌ରେ  ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ୫ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଯଥା ସମ୍ଭବ ସହଳ ସିରିଜକୁ ଫେରିବା ପାଇଁ ତତ୍ପର ଥିବା ଇଂଲଣ୍ଡ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଭାରତୀୟ ଦଳର ସ୍ପିନ୍‌ ବୋଲିଂ ଶକ୍ତିକୁ ନେଇ  ଇଂଲଣ୍ଡର ଚିନ୍ତା ବଢି ଯାଇଛି । ଇଂଲଣ୍ଡ ଦଳରେ ବହୁ ଯୁବ ଖେଳାଳି ରହିଛନ୍ତି । ଭାରତରେ ଖେଳିବାର ଅଭିଜ୍ଞତା ଅଧିକାଂଶ ଖେଳାଳିଙ୍କ ନିକଟରେ ନାହିଁ । ଚିପକ୍‌ ପିଚ୍‌ ମଧ୍ୟ ପାରମ୍ପରିକ ଭାବେ ସ୍ପିନରଙ୍କୁ  ସହାୟତା କରିବାର ରେକର୍ଡ ରହିଛି । ଏଠାରେ  ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା ସହଜ ହେବ  ନାହିଁ । 

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ୍‌ରେ  ମଧ୍ୟ ଇଂଲଣ୍ଡ ବ୍ୟାଟରମାନେ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନଥିଲେ । କୁଲଦୀପ ଯାଦବ, ରବିନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କୁ  ନେଇ ଗଠିତ ସ୍ପିନ ବାହିନୀ ଉକ୍ତ ମ୍ୟାଚ୍‌ରେ ୧୧  ଓଭର ବୋଲିଂ କରି ୫୮ ରନ୍‌ରେ ୬ଟି ୱିକେଟ୍‌  ନେଇଥିଲେ । ସେହିପରି କୋଲକାତାରେ ବରୁଣ  ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୁହରେ ଫଶିଥିଲା ଇଂଲଣ୍ଡ ଦଳ । 

ଶନିବାର ଭାରତ ଏକାଦଶରେ ପରିବର୍ତ୍ତନ  କରିବାର ସମ୍ଭାବନା ନାହିଁ । ଫଳରେ କୋଲକାତା  ଭଳି ଚିପକରେ ମଧ୍ୟ ମହମ୍ମଦ ସାମିଙ୍କୁ ବିଶ୍ରାମ  ମିଳିବ । ଆଗକୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଚାମ୍ପିଅନ୍ସ ଟ୍ରଫି ରହିଛି । ଉଭୟ ଦଳରେ ସାମି ସ୍ଥାନ ପାଇଛନ୍ତି । ତେଣୁ ତାଙ୍କୁ ଯଥା ସମ୍ଭବ ବିଶ୍ରାମ ଦେଇ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ରଖିବା ଜରୁରି । 

ଇଂଲଣ୍ଡ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଯୁବ ବ୍ୟାଟିଂ ବିସ୍ମୟ ଜାକବ ବେଥେଲ ଅସୁସ୍ଥ  ରହିଥିବାରୁ ଶୁକ୍ରବାର ଅଭ୍ୟାସକୁ ଓହ୍ଲାଇ ନଥିଲେ ।  ସେ ଶନିବାର ବାଦ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଜାମି ସ୍ମିଥ୍‌ଙ୍କୁ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ସେହିପରି ପ୍ରଥମ  ମ୍ୟାଚ୍‌ରେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିବା  ଗସ ଆଟକିନସନଙ୍କ ସ୍ଥାନରେ ପେସ୍‌ ବୋଲର  ବ୍ରାଇଡନ କାର୍ସଙ୍କୁ ସୁଯୋଗ ମିଳିପାରେ ।

ଅର୍ଶଦୀପ ମ୍ୟାଚ୍‌ରେ ଏକ ରେକର୍ଡ କରିପାରନ୍ତି । କୋଲକାତାରେ ୨ଟି ୱିକେଟ୍‌ ନେଇଥିବା  ଅର୍ଶଦୀପ ଆଉ ୩ଟି ୱିକେଟ୍‌ ନେଲେ ପ୍ରଥମ ଭାରତୀୟ  ଭାବେ ଟି-ଟ୍ୱେଣ୍ଟିରେ ୧୦୦ ୱିକେଟ୍‌ ପୂରଣ କରିବେ ।  

ଏହି ମ୍ୟାଚ୍‌ ପାଇଁ ଏକ କଳା ମାଟିର ପିଚ୍‌  ପ୍ରସ୍ତୁତ କରାଯାଇଛି । ଏଠାରେ ଘରୋଇ କ୍ରିକେଟ୍‌  ଖେଳାଯାଇ ନଥିବାରୁ ପିଚ୍‌ ସମ୍ପୂର୍ଣ୍ଣ ସତେଜ ରହିଛି । ଫଳରେ ସ୍ପିନରମାନେ ଏହି ପିଚ୍‌ର ଭରପୁର  ଫାଇଦା ଉଠାଇ ପାରିବେ । ରାତ୍ରିରେ କାକର ପ୍ରଭାବ  ରହିବ ।ଫଳରେ ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ  ଭାଗରେ ବ୍ୟାଟିଂ ସହଜ ହେବ । ଟସ୍‌ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଭାରତ: ସଞ୍ଜୁ ସାମସନ, ଅଭିଷେକ  ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ  (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ,  ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି  ବିଷ୍ଣୋଇ/ମହମ୍ମଦ ସାମି, ଅର୍ଶଦୀପ ସିଂହ,  ବରୁଣ ଚକ୍ରବର୍ତ୍ତୀ । 

ଇଂଲଣ୍ଡ: ଫିଲ ସଲ୍ଟ, ବେନ ଡକେଟ୍‌, ଜୋସ  ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌, ଲାଏମ  ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ/ଜାମି ସ୍ମିଥ,  ଜାମି ଓଭରଟନ, ବ୍ରାଇଡନ କାର୍ସ, ଜୋଫ୍ରା  ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍‌ ।