ନୂଆଦିଲ୍ଲୀ ୦୯/୦୬: ଭାରତ ପାଖରେ ବର୍ତ୍ତମାନ ୧୯୦ ଅଣୁଅସ୍ତ୍ର ରହିଛି। ପୂର୍ବରୁ ୧୮୦ ଥିଲା ବେଳେ ନିକଟରେ ଭାରତ ଆହୁରି ୧୦ଟି ପ୍ରସ୍ତୁତି କରିଛି। ଷ୍ଟକ୍ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପ୍ରି) ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏଭଳି ଦାବି କରାଯାଇଛି । ସେଥିରେ କୁହାଯାଇଛି କି ଭାରତ ତାର ଅଣୁ ଅସ୍ତ୍ର ସଂଖ୍ୟା ବଢ଼ାଇବା ସହ ରଣନୀତିକ ନିବାରକ ବ୍ୟବସ୍ଥାକୁ ସୁଦୃଢ଼ କରୁଛି। କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଆଣବିକ ଶକ୍ତିସମ୍ପନ୍ନ ଦେଶମାନେ ମଧ୍ୟ ନିଜ ନିଜର ଅଣୁଅସ୍ତ୍ର ବଢ଼ାଉଛନ୍ତି। ଏଭଳି ହେଲେ ଆଗାମୀ ଦିନରେ ଅଣୁଅସ୍ତ୍ରର ପ୍ରତିଯୋଗିତା ଆହୁରି ବଢ଼ିବ। ଯାହା ସମଗ୍ର ବିଶ୍ବ ପାଇଁ ବିପଦ କାରଣ ହେବ ବୋଲି କୁହାଯାଇଛି।
ରିପୋର୍ଟ ଅନୁସାରେ ବିଶ୍ବର ୯ଟି ଆଣବିକ ଶକ୍ତି ସମ୍ପନ୍ନ ଦେଶ ଯଥା ଆମେରିକା, ରୁଷ, ବ୍ରିଟେନ୍, ଫ୍ରାନ୍ସ,ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଓ ଇସ୍ରାଏଲ ୨୦୨୫ରେ ସେମାନଙ୍କ ଆଣବିକ କ୍ଷମତାର ପ୍ରସାର ତଥା ଆଧୁନିକୀକରଣ କହିଛନ୍ତି। ଶୀତଳ ଯୁଦ୍ଧ ପରେ ଅଣୁଅସ୍ତ୍ରର ପ୍ରସାର ଉପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ। ପୂର୍ବରୁ ଯେତିକି ଆକଳନ କରାଯାଉଥିଲା ଭାରତରେ ତା ଠାରୁ ଅଧିକ ୧୦ଟି ଅଣୁଅସ୍ତ୍ର ରହିଛି। ଏହି ସମୟ ଭିତରେ ଭାରତ ତାର ଦୂରଗାମୀ ମିସାଇିଲ ବ୍ୟବସ୍ଥା, ସମୁଦ୍ର ଆଧାରିତ ରଣନୀତିକ କ୍ଷମତା ବୃଦ୍ଧି ଓ ବୈଷୟିକ ଜ୍ଞାନକୌଶଳର ବିକାଶ ଯଥା ଏମ୍ଆଇଆର୍ଭି ( ମଲ୍ଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟବୁଲ ରିଏଣ୍ଟ୍ରି ଭେହିକିଲ୍ ) ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି। ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ଏବଂ ଚୀନ ଓ ପାକିସ୍ତାନ ପଟୁ ସମ୍ଭାବ୍ୟ ବିପଦର ଆଶଙ୍କା ରହିଥିବାରୁ ଭାରତ ତାର ଆଣବିକ ଓ ସାମରିକ ଶକ୍ତି ବଢ଼ାବାରେ ଲାଗିଛି। ଭାରତର ସାମରିକ ପ୍ରସ୍ତୁତି ମୁଖ୍ୟତଃ ଚୀନ୍ ଓ ପାକିସ୍ତାନକୁ ଦୃଷ୍ଟିରେ ରଖି କରାଯାଉଛି।
ସିପ୍ରି ରିପୋର୍ଟ ଅନୁସାରେ ବର୍ତ୍ତମାନ ସମଗ୍ର ବିଶ୍ବରେ ୧୨, ୧୮୭ ଅଣୁଅସ୍ତ୍ର ରହିଛି। ସେଥିରୁ ୯,୭୪୫ଟି ବିଭିନ୍ନ ଦେଶ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ନିମନ୍ତେ ସେନା ନିକଟରେ ମୁତୟନ କରାଯାଉଛି। ସେହିଭଳି ୪,୦୧୨ଟି ଅଣୁଅସ୍ତ୍ର ମିସାଇଲ ଓ ଯୁଦ୍ଧବିମାନରେ ନିୟୋଜିତ କରାଯାଇସାରିଛି। ଆହୁରି ୨୧୦୦ରୁ ୨୨୦୦ ଅଣୁଅସ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅବସ୍ଥାରେ ରଖାଯାଇଛି।ଭାରତର ପଡୋଶୀ ରାଷ୍ଟ୍ର ଚୀନ୍ ପାଖରେ ୬୨୦ ଓ ପାକିସ୍ତାନ ନିକଟରେ ୧୭୦ଟି ଅଣୁଅସ୍ତ୍ର ରହିଛି।
ରୁଷ ପାଖରେ ସର୍ବାଧିକ ୫,୪୨୦ ଓ ଆମେରିକା ପାଖରେ ୫,୦୪୨ ଅଣୁଅସ୍ତ୍ର ରହିଛି। ଅଣୁଅସ୍ତ୍ର ବୃଦ୍ଧି ଆଗାମୀ ଦିନରେ ସମଗ୍ର ବିଶ୍ବରେ ଭୟଙ୍କର ତଥା ବିନାଶକାରୀ ପରିଣତି ଆଣିଦେବ। ଆଧୁନିକ ଯୁଦ୍ଧାସ୍ତ୍ର କୌଶଳର ବିକାଶ, ଆଣବିକ ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥାରରେ ବିଫଳତା ଓ ବର୍ତ୍ତମାନ ଭୂ-ରାଜନୈତିକ ପରିସ୍ଥିତି ହିଁ ଅଣୁଅସ୍ତ୍ର ଆହୁରି ବିପଦ ମଧ୍ୟକୁ ଠେଲିଦେଉଛି। ଆମେରିକା ଓ ରୁଷ ବହୁବର୍ଷ ଧରି ନିଜ ଆଣବିକ ଅସ୍ତ୍ରର ପ୍ରସାର ରୋକିଥିଲେ। କିନ୍ତୁ ବର୍ତ୍ତମାନ ସେହି ପୁରୁଣା ଅଣୁଅସ୍ତ୍ର ସ୍ଥାନରେ ସେମାନେ ନୂଆ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ବୋଲି ରିପୋର୍ଟ କୁହାଯାଇଛି।
ଅଧିକ ପଢ଼ନ୍ତୁ :- US-China Trade War : ଚୀନ ଉପରେ ଆମେରିକାର ମାଷ୍ଟରଷ୍ଟ୍ରୋକ ! ଅଲିବାବା ଓ BYD ସମେତ ୧୮୮ ଚୀନ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା