ନୂଆଦିଲ୍ଲୀ, ୯।୬: ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ଧାରଣ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଏକ ବଡ଼ ଆର୍ଥିକ ଓ ରଣନୀତିକ ଧକ୍କା ଦେଇଛନ୍ତି । ଚୀନର ସାମରିକ ବାହିନୀ 'ପିପୁଲ୍ସ ଲିବରେସନ ଆର୍ମି' କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସହାୟତା କରୁଥିବା ଅଭିଯୋଗରେ ଆମେରିକା ପ୍ରତିରକ୍ଷା ବିଭାଗ 'ପେଣ୍ଟାଗନ' ଚୀନର କେତେକ ବୃହତ୍ତମ ତଥା ପ୍ରତିଷ୍ଠିତ କମ୍ପାନୀକୁ ନିଜର 'ବ୍ଲାକଲିଷ୍ଟ' ବା କଳାତାଲିକାରେ ସାମିଲ କରିଛି । ଏହି ତାଲିକାରେ ଇ-କମର୍ସ କିଙ୍ଗ ଅଲିବାବା, ସର୍ଚ୍ଚ ଇଞ୍ଜିନ ବାଇଡୁ ଏବଂ ବିଶ୍ୱର ଅଗ୍ରଣୀ ଇଭି ନିର୍ମାତା ବିୱାଇଡି (BYD) ଭଳି ୧୮୮ଟି ଦିଗ୍ଗଜ ଚୀନ କମ୍ପାନୀ ରହିଛନ୍ତି ।
ବେଜିଂ ବୈଠକ ପରେ ବଢ଼ିଲା ଟ୍ରେଡ୍ ୱାର୍ ତିକ୍ତତା:
ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଅଗ୍ରଣୀ ବ୍ୟବସାୟୀଙ୍କ ସହ ବେଜିଂ ଗସ୍ତ କରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ସାକ୍ଷାତ କରିଥିଲେ । ସେହି ସମୟରେ ଅନୁମାନ କରାଯାଉଥିଲା ଯେ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ବାଣିଜ୍ୟ ବିବାଦର ଅନ୍ତ ଘଟିବ । ମାତ୍ର ଏହି ଉଚ୍ଚସ୍ତରୀୟ ବୈଠକରୁ କୌଣସି ସକରାତ୍ମକ ସୁଫଳ ମିଳିନାହିଁ । ବରଂ ଏହି ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ମୋର୍ଚ୍ଚାରେ ତିକ୍ତତା ଓ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।
ପେଣ୍ଟାଗନର ଟାର୍ଗେଟରେ ଚୀନର 'ଫ୍ୟୁଚର ଟେକ୍ ଇକୋସିଷ୍ଟମ':
ୟୁଏସ୍ ମିଡିଆ ରିପୋର୍ଟ ଅନୁଯାୟୀ, ପେଣ୍ଟାଗନ କେବଳ ପାରମ୍ପରିକ ଉଦ୍ୟୋଗକୁ ନୁହେଁ, ବରଂ ଚୀନର ଆଗାମୀ ପିଢ଼ିକୁ ଟାର୍ଗେଟ କରିଛି । ଆମେରିକାର ଅଭିଯୋଗ ଯେ ଏହି କମ୍ପାନୀଗୁଡ଼ିକ ଚୀନର ସାମରିକ ଏବଂ ଶିଳ୍ପ କ୍ଷମତାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଗୁପ୍ତରେ କାମ କରୁଛନ୍ତି । ବ୍ଲାକ୍ ଲିଷ୍ଟ ହୋଇଥିବା ପ୍ରମୁଖ କମ୍ପାନୀଗୁଡ଼ିକ ହେଲେ ଟେକ୍ନୋଲୋଜି ଓ ସର୍ଚ୍ଚ ଅଲିବାବା ଏବଂ ବାଇଡୁ, ବିଶ୍ୱର ସବୁଠାରୁ ବଡ଼ ଇଭି ନିର୍ମାତା BYD, ଚୀନର ପ୍ରମୁଖ ଚିପ୍ ପ୍ରସ୍ତୁତକାରୀ କମ୍ପାନୀ CXMT ଏବଂ YMTC, ପ୍ରସିଦ୍ଧ ବାୟୋଟେକ୍ କମ୍ପାନୀ WuXi AppTec, ମଣିଷ ଭଳି ଦେଖାଯାଉଥିବା 'ହ୍ୟୁମାନଏଡ୍' ରୋବୋଟ୍ ତିଆରି କରୁଥିବା RoboSense Technology ଏବଂ ଚାରି ଗୋଡ଼ିଆ ଆଡଭାନ୍ସ ରୋବୋଟ୍ ପ୍ରସ୍ତୁତ କରୁଥିବା ୟୁନିତ୍ରି କମ୍ପାନୀ, ଚୀନର ସରକାରୀ ତେଲ କମ୍ପାନୀ CNOOC ର ସହଯୋଗୀ ସଂସ୍ଥା 'ଚାଇନା ବ୍ଲୁ କେମିକାଲ ଲିମିଟେଡ' । ବର୍ତ୍ତମାନ ସୁଦ୍ଧା ପେଣ୍ଟାଗନ ଏହି ସୂଚୀରେ ସମୁଦାୟ ୧୮୮ଟି ଚୀନ କମ୍ପାନୀକୁ ସାମିଲ କରିସାରିଲାଣି ।
କମ୍ପାନୀଗୁଡ଼ିକ ଉପରେ କେଉଁ ପଡ଼ିବ ପ୍ରଭାବ ?
ପେଣ୍ଟାଗନ ପକ୍ଷରୁ ବ୍ଲାକଲିଷ୍ଟ କରାଯିବା ଅର୍ଥ ଆମେରିକାରେ ଏହି କମ୍ପାନୀଗୁଡ଼ିକର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ ହେବ ନାହିଁ । କିନ୍ତୁ, ଆମେରିକାର ସଂବେଦନଶୀଳ କ୍ଷେତ୍ରଗୁଡ଼ିକରେ ଏହି କମ୍ପାନୀଗୁଡ଼ିକର ପ୍ରବେଶ ପାଇଁ ସମସ୍ତ ରାସ୍ତା ସଦାସର୍ବଦା ପାଇଁ ବନ୍ଦ ହୋଇଯିବ । ଚଳିତ ଜୁନ୍ ୨୦୨୬ ମାସ ଶେଷ ସୁଦ୍ଧା ଆମେରିକା ପ୍ରତିରକ୍ଷା ବିଭାଗ ଏହି କମ୍ପାନୀଗୁଡ଼ିକ ସହିତ କୌଣସି ବି ପ୍ରତ୍ୟକ୍ଷ ବ୍ୟବସାୟିକ କାରବାର ବା ଚୁକ୍ତି କରିବ ନାହିଁ । ଆଗାମୀ ଦିନରେ ଆମେରିକା ପ୍ରତିରକ୍ଷା ବିଭାଗ କୌଣସି ଥାର୍ଡ ପାର୍ଟି ଜରିଆରେ ମଧ୍ୟ ଏହି ସବୁ ବ୍ଲାକଲିଷ୍ଟେଡ୍ କମ୍ପାନୀଗୁଡ଼ିକର ଉତ୍ପାଦ କିମ୍ବା ସେବା କ୍ରୟ କରିପାରିବ ନାହିଁ । ଏହାଦ୍ୱାରା ଚୀନ କମ୍ପାନୀଗୁଡ଼ିକୁ ବିଶ୍ୱ ବଜାରରେ ବହୁତ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିବ ।
ଚୀନର ତୀବ୍ର ପାଲଟା ଆକ୍ରମଣ:
ଆମେରିକାର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଚୀନ ଶିବିରରେ ହଲଚଲ ସୃଷ୍ଟି ହୋଇଛି । ୱାଶିଂଟନ ସ୍ଥିତ ଚୀନ ଦୂତାବାସ ଏହି ପଦକ୍ଷେପକୁ ଦୃଢ଼ ଭାଷାରେ ବିରୋଧ କରିଛି । ଚୀନ ସରକାର ଅଭିଯୋଗ କରିଛନ୍ତି ଯେ ଆମେରିକା ଉଦ୍ଦେଶ୍ୟମୂଳକ ଭାବେ ଚୀନ କମ୍ପାନୀଗୁଡ଼ିକୁ ଟାର୍ଗେଟ କରୁଛି ଏବଂ ଏଥିପାଇଁ ପେଣ୍ଟାଗନ ପକ୍ଷରୁ ଏକ ପାତରଅନ୍ତର ନୀତି ଆପଣାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଚୀନ ପ୍ରଶାସନ ସ୍ପଷ୍ଟୀକରଣ ଦେଇ କହିଛି ଯେ, ସେମାନଙ୍କର ସମସ୍ତ କମ୍ପାନୀ ଆନ୍ତର୍ଜାତୀୟ ତଥା ସ୍ଥାନୀୟ ବ୍ୟବସାୟିକ ନିୟମ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ଆମେରିକା କେବଳ ରାଜନୈତିକ ଆକ୍ରୋଶ ରଖି ଏଭଳି କରୁଛି । ଏହା ସହ ଚୀନ ଆମେରିକାକୁ ଏକ ସ୍ୱଚ୍ଛ ବ୍ୟବସାୟିକ ପରିବେଶ ପ୍ରଦାନ କରିବାକୁ ଦାବି କରିଛି ।
ଆହୁରି ପଢ଼ନ୍ତୁ... PoK Protest: ପାକ୍ ଅଧିକୃତ କାଶ୍ମୀରରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼, ୨୭ ଜଣଙ୍କର ମୃତ୍ୟୁ