ନୂଆଦିଲ୍ଲୀ, ୨୪।୭: ଦେଶରେ ବାରମ୍ବାର ସାମ୍ନାକୁ ଆସୁଥିବା ପରୀକ୍ଷା ପେପର ଲିକ୍ ଏବଂ ଜାଲିଆତି ରୋକିବା ପାଇଁ କେନ୍ଦ୍ର ସରକାର ଅତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ସନ୍ଦେଶ ପରେ କେନ୍ଦ୍ର ସରକାର 'ସାଧାରଣ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪' ରେ ବଡ଼ ଧରଣର ସଂଶୋଧନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନୂତନ 'ପରୀକ୍ଷା ସଂଶୋଧନ ବିଲ୍' କୁ ମଞ୍ଜୁରୀ ମିଳିବା ପରେ ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହରେ ଏହାକୁ ଉଭୟ ଗୃହରେ ଆଗତ କରାଯିବ । ପୂର୍ବରୁ ବ୍ୟକ୍ତିଗତ ମାମଲାରେ ୩ ରୁ ୫ ବର୍ଷର ଜେଲ୍ ଦଣ୍ଡ ପ୍ରାବଧାନ ଥିବା ବେଳେ, ଏବେ ଏହାକୁ ବୃଦ୍ଧି କରି ୫ ରୁ ୧୦ ବର୍ଷ ଜେଲ୍ ଦଣ୍ଡ କରିବାକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ସର୍ବନିମ୍ନ ୧୦ ଲକ୍ଷ ଜରିମାନା ଥିବା ବେଳେ, ନୂଆ ସଂଶୋଧନ ଅନୁଯାୟୀ ଏହାକୁ ବୃଦ୍ଧି କରି ସର୍ବନିମ୍ନ ୧୦ କୋଟି ପର୍ଯ୍ୟନ୍ତ କରାଯାଇପାରେ । ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ଓ ସେଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରାଯିବ । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ବା ସଂଗଠିତ ଅପରାଧୀ ଦୋଷୀ ସାବ୍ୟସ୍ତ ହେଲେ ୧ କୋଟିରୁ ୧୦ କୋଟି ପର୍ଯ୍ୟନ୍ତ ଜରିମାନା ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢ଼ନ୍ତୁ... Student Protest: ଛାତ୍ର ବିକ୍ଷୋଭ ପଛରେ ପାକିସ୍ତାନୀ ଷଡ଼ଯନ୍ତ୍ର: ୪୮୦ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ଲକ୍ କଲା ଦିଲ୍ଲୀ ପୁଲିସ, ‘ଅପରେସନ୍ ସିନ୍ଦୂର’ କନେକ୍ସନ୍ !

ବିରୋଧୀଙ୍କ ପ୍ରଶ୍ନ ଓ ସରକାରଙ୍କ ସ୍ପଷ୍ଟୀକରଣଏହି ସଂଶୋଧନ ପ୍ରସ୍ତାବକୁ ନେଇ ବିରୋଧୀ ଦଳଗୁଡ଼ିକ ସ୍ୱର ଉତ୍ତୋଳନ କରିଛନ୍ତି । ୨୦୨୪ ଆଇନ ପୂର୍ବରୁ ବଳବତ୍ତର ଥିବା ବେଳେ ପୁଣି ନୂଆ ସଂଶୋଧନର ଆବଶ୍ୟକତା କ’ଣ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।ଏହାର ଉତ୍ତରରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, "ପରୀକ୍ଷା ମାଫିଆ ଓ ଜାଲିଆତି କରୁଥିବା ଦୁର୍ବୃତ୍ତଙ୍କ ମନରେ କଠୋର ଭୟ ସୃଷ୍ଟି କରିବା ଏବଂ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଇନକୁ ଆହୁରି ଶକ୍ତ କରିବା ଜରୁରୀ ।" ସରକାର ଆହୁରି ଜଣାଇଛନ୍ତି ଯେ, ପେପର ଲିକ୍ ମାମଲାରେ ୨୦୨୪ ଆଇନ ଅଧୀନରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇସାରିଛି ଏବଂ ଏହାର ତ୍ୱରିତ ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ମଧ୍ୟ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭିଡିଓ ବାର୍ତ୍ତାରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, କଠୋର ଆଇନଗତ ସଂଶୋଧନ ଦ୍ୱାରା ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଥିବା ଅପରାଧୀଙ୍କ ବିରୋଧରେ ଜିରୋ ଟୋଲେରାନ୍ସ ବା ଶୂନ୍ୟ ସହନଶୀଳତା ନୀତି ଆପଣାଯିବ ।