ଭୁବନେଶ୍ବର ୨୮/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୨୯ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୨୫ ବର୍ଷରେ ଭାରତ କରିଥିବା ବିଭିନ୍ନ ଉପଲବ୍ଧି ସମ୍ପର୍କରେ କହିଛନ୍ତି । ଜାତୀୟ ସୁରକ୍ଷା ଠାରୁ ଆରମ୍ଭ କରି କ୍ରୀଡ଼ା ଓ ବିଜ୍ଞାନ କ୍ଷେତ୍ରରେ କିଭଳି ସାରା ବିଶ୍ୱରେ ଭାରତ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛି ସେ ବିଷୟରେ ଆଲୋକପାତ କରିଛନ୍ତି । ନୂତନ ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରସାର କରି ବିଶ୍ୱର ଦେଶଗୁଡ଼ିକୁ ବହୁତ ପ୍ରଭାବିତ କରିଛି । ଭାରତ ତାର ସୁରକ୍ଷା ସହ କୌଣସି ପ୍ରକାର ସାଲିସ କରେ ନାହିଁ ବୋଲି ଅପରେଶନ ସିନ୍ଦୁର ମାଧ୍ୟମରେ ଦେଖାଇ ଦେଇଛି । ଆତ୍ମନିର୍ଭର ଭାରତ ପାଇଁ ମୋଦିଜୀ ସ୍ୱଦେଶୀ ଅଭିଯାନ ଉପରେ ଗୁରୁତ୍ୱ ଦେବା ଯୋଗୁଁ ସୁଦେଶୀ ସାମଗ୍ରୀ କ୍ରୟ ଉପରେ ଆଜି ଭାରତ ସମେତ ଓଡ଼ିଶାର ଲୋକଙ୍କ ମଧ୍ୟରେ ଆକର୍ଷଣ ବଢ଼ିଛି । ଏହାଦ୍ୱାରା ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀ ତିଆରି ପାଇଁ ଆତ୍ମବିଶ୍ୱାସ ବଢ଼ିଛି ।

ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ପାବର୍ତୀ ଗିରିଙ୍କ ଯୋଗଦାନକୁ ଲୋକଲୋଚନକୁ ଆଣିଛନ୍ତି ମୋଦୀ । ଜାନୁୟାରୀ ୨୦୨୬ରେ ତାଙ୍କ ଜନ୍ମ ଶତାବାର୍ଷିକୀ ପାଳନ କରିବା ପାଇଁ ମୋଦୀ ନିଷ୍ପତ୍ତି ନେଇଛନ୍ତି । ଏହାସବୁ ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଭୁବେଶ୍ୱରର ଉତ୍ତର ନିର୍ବାଚନ ମଣ୍ଡଳୀର ଶ୍ରୀକୃଷ୍ଣ ମଣ୍ଡଳ ଅନ୍ତର୍ଗତ ୱାର୍ଡ ନଂ.୨୭ଠାରେ “ମନ୍ କି ବାତ୍” ରେଡିଓ କାର୍ଯ୍ୟକ୍ରମରେ ମନମୋହନ ଯୋଗଦେଇ କହିଛନ୍ତି ଯେ, ମାତ୍ର ୧୬ ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ପାର୍ବତୀ ଗିରି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ସ୍ୱାଧୀନତା ସଂଗ୍ରାମ ପରେ ସେ ସମାଜ ସେବା ଓ ଆଦିବାସୀ କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ। ମାତ୍ର ପାର୍ବତୀ ଗିରିଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଲୋକଲୋଚନକୁ ଆସିପାରୁ ନ ଥିଲା । ତାଙ୍କୁ ଯଥେଷ୍ଟ ସମ୍ମାନ ମିଳିପାରୁ ନ ଥିଲା।

ମୋଦି ଏହି ମହାନ୍ ନାୟିକାଙ୍କୁ କେବଳ ମନେ ପକାଇନାହନ୍ତି, ତାଙ୍କ ସମ୍ମାନରେ ଜନ୍ମଶତବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ପାର୍ବତୀ ଗିରିଙ୍କ ତ୍ୟାଗ, ବଳିଦାନ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇ ପରବର୍ତ୍ତୀ ପୀଢ଼ିକୁ ମାର୍ଗଦର୍ଶନ ଦେଇଛନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ମୋଦି ଯୁବପିଢ଼ୀଙ୍କ ଯୋଗଦାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜାନୁୟାରୀ ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ଜାତୀୟ ଯୁବଦିବସ ପାଳନ କରାଯିବ । ଏଥିରେ ଯୁବପିଢ଼ୀ ନବସ୍ୱଜନ, ଫିଟନେସ୍, ଷ୍ଟାର୍ଟଅପ୍ ଏବଂ କୃଷି ଭଳି ବିଭିନ୍ନ ଗୁରୁତ୍ୱ ବିଷୟ ଉପରେ ସେମାନଙ୍କ ଚିନ୍ତାଧାରା ବାଣ୍ଟିବେ। ଏଥିରେ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହିବେ ବୋଲି ସେ “ମନ କି ବାତ୍” କାର୍ଯ୍ୟକ୍ରମରେ କହିଛନ୍ତି। ଏଣୁ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବତୀ ଯୁବକମାନେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗ ଦିଅନ୍ତୁ।

ପ୍ରଧାନମନ୍ତ୍ରୀଙ୍କ ନେତତ୍ୱରେ ୨୦୨୬ରେ ନୂଆ ସଂକଳ୍ପ ନେଇ ଭାରତ ସହ ତାଳଦେଇ ଓଡ଼ିଶା ଆଗକୁ ବଢ଼ିବାକୁ ପ୍ରସ୍ତୁତ ହୋଇସାରିଛି ବୋଲି ମନମୋହନ କହିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ରାଜ୍ୟ ସମ୍ପାଦକ ସରୋଜ କର, ପୂର୍ବତନ ସାଂସଦ ଅମର ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ନେତା ମହେଶ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ “ମନ କି ବାତ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।