ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ସଙ୍କଟ ମଧ୍ୟରେ, ସରକାର ଏବେ ବିମାନ କମ୍ପାନୀଗୁଡ଼ିକ ଉପରେ ଭଡ଼ା ସୀମା ଲାଗୁ କରିଛନ୍ତି। ଘରୋଇ ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ବଢ଼ୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ଉପରେ ଫେୟାର କ୍ୟାପ୍ ବା ଅସ୍ଥାୟୀ ଭଡ଼ା ସୀମା ଲାଗୁ କରିଛି। ଏହା ସହ ସେବାରେ ଜାରି ବ୍ୟବଧାନ ବେଳେ ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି। ଏହାର ଅର୍ଥ ହେଉଛି ବିମାନ କମ୍ପାନୀଗୁଡ଼ିକ ଆଉ ମନଇଚ୍ଛା ଭଡ଼ା ଲାଗୁ କରିପାରିବେ ନାହିଁ।

ନୂତନ ଫେୟାର କ୍ୟାପ୍ ବା  ଭଡା ସୀମା

-୫୦୦ କିଲୋମିଟର ପର୍ଯ୍ୟନ୍ତ ବିମାନ ଯାତ୍ରା: ସର୍ବାଧିକ ଭଡ଼ା ₹୭,୫୦୦

-୫୦୦ ରୁ ୧୦୦୦ କିଲୋମିଟର: ସର୍ବାଧିକ ଭଡା ୧୨,୦୦୦ ଟଙ୍କା

 -୧୦୦୦ ରୁ ୧୫୦୦ କିଲୋମିଟର: ସର୍ବାଧିକ ଭଡା ୧୫,୦୦୦ ଟଙ୍କା

-୧୫୦୦ କିଲୋମିଟରରୁ ଅଧିକ ଦୂରତା: ସର୍ବାଧିକ ଭଡା ୧୮,୦୦୦ ଟଙ୍କା

ଏହି ଭଡ଼ା ସୀମାଗୁଡ଼ିକ ଉପଭୋକ୍ତା ବିକାଶ ଶୁଳ୍କ (UDF), ଯାତ୍ରୀ ସେବା ଶୁଳ୍କ (PSF) ଏବଂ ଟ୍ୟାକ୍ସକୁ ବାଦ୍ ଦେଇ ରହିଛି । ଏହି ସୀମାଗୁଡ଼ିକ ବିଜନେସ୍ କ୍ଲାସ ଏବଂ ଉଡାଣ ଯୋଜନା ଥିବା ବିମାନ ପାଇଁ ଲାଗୁ ହେବ ନାହିଁ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହି ନିର୍ଦ୍ଦେଶ ଏୟାରଲାଇନ୍ସ ୱେବସାଇଟ୍, ଅନଲାଇନ୍ ଟ୍ରାଭେଲ୍ ଏଜେନ୍ସି ଏବଂ ସମସ୍ତ ବୁକିଂ ବିକଳ୍ପ ଉପରେ ଲାଗୁ ହେବ।  ସମସ୍ତ ବିମାନ କମ୍ପାନୀଗୁଡ଼ିକୁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶାବଳୀରେ ନିର୍ଦ୍ଧାରିତ ଭଡ଼ା ସୀମାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଏହି ସୀମା ସେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଯେଉଁ ଯାଏଁ ସ୍ଥିତି ସ୍ଥିର ନହୋଇଛି । ଏହି ନିର୍ଦ୍ଦେଶାବଳୀର ଉଦ୍ଦେଶ୍ୟ ହେଉଛି ବଜାରରେ ମୂଲ୍ୟ ନିର୍ଦ୍ଧାରଣ ଶୃଙ୍ଖଳା ବଜାୟ ରଖିବା, ସଙ୍କଟଗ୍ରସ୍ତ ଯାତ୍ରୀଙ୍କ ଶୋଷଣକୁ ରୋକିବା ଏବଂ ବରିଷ୍ଠ ନାଗରିକ, ଛାତ୍ର ଏବଂ ରୋଗୀଙ୍କ ସମେତ ଜରୁରୀ ଯାତ୍ରା ଆବଶ୍ୟକତା ଥିବା ନାଗରିକମାନେ ଏହି ସମୟ ମଧ୍ୟରେ ଯେପରି ଆର୍ଥିକ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।

ମନ୍ତ୍ରଣାଳୟ ପ୍ରକୃତ-ସମୟ ତଥ୍ୟ ଏବଂ ଏୟାରଲାଇନ୍ସ ଏବଂ ଅନଲାଇନ୍ ଯାତ୍ରା ପ୍ଲାଟଫର୍ମଗୁଡ଼ିକ ସହିତ ସକ୍ରିୟ ସମନ୍ୱୟ ମାଧ୍ୟମରେ ଭଡ଼ା ସ୍ତରର କଡ଼ା ନଜର ରଖିବ। ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରିବାରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ସରକାର ଇଣ୍ଡିଗୋକୁ ରଦ୍ଦ କରାଯାଇଥିବା ଉଡାଣର ଟିକେଟ ଟଙ୍କା ରବିବାର ରାତି ୮ଟା ସୁଦ୍ଧା ଲୋକଙ୍କୁ ଫେରାଇବାକୁ ନିର୍ଦେଶ ଦେଇଛି।

ଉଲ୍ଲେଖନୀୟ ଯେ, ଚାଳକ ଦଳର ଅଭାବ ଏବଂ ପରିଚାଳନାଗତ ସମସ୍ୟା ସହିତ ସଂଘର୍ଷ କରୁଥିବା ଇଣ୍ଡିଗୋ ଶୁକ୍ରବାର ଦିନ ସାରା ଦେଶରେ ୧୦୦୦ ରୁ ଅଧିକ ବିମାନ ବାତିଲ କରିଥିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧା ହୋଇଥିଲା। ଶନିବାର ମଧ୍ୟ ବହୁ ୪୫୨ଟି ବିମାନ ବନ୍ଦ ରହିଥିଲା। ଏହି ପରିସ୍ଥିତିରେ, ଶୁକ୍ରବାର ଏବଂ ଶନିବାର  ବିମାନ ଭଡା ଆକାଶଛୁଆଁ ହୋଇଥିଲା। ଏୟାରଲାଇନ୍ସ ୱେବସାଇଟ ଅନୁଯାୟୀ, ଡିସେମ୍ବର ୬ ତାରିଖରେ ସ୍ପାଇସଜେଟରେ ଏକପାଖିଆ କୋଲକାତା-ମୁମ୍ବାଇ ବିମାନ ପାଇଁ ଇକୋନୋମି କ୍ଲାସ ଟିକେଟର ମୂଲ୍ୟ ୯୦ହଜାରରେ ରେ ପହଞ୍ଚିଥିଲା। ସେଭଳି ଏୟାର ଇଣ୍ଡିଆରେ ମୁମ୍ବାଇ-ଭୁବନେଶ୍ୱର ଟିକେଟ ୮୪,୪୮୫ ରେ ବିକ୍ରି ହେଉଥିଲା। କିଛି ରୁଟରେ, ଶୁକ୍ରବାର ଦିନ ଭଡା ୧ ଲକ୍ଷ ଅତିକ୍ରମ କରି ଯାତ୍ରୀଙ୍କ ଭିତରେ ଆତଙ୍କ ସୃଷ୍ଟି କରିଥିଲା। ଏବେ, ସରକାରଙ୍କ କଡ଼ା ନିର୍ଦେଶ ପରେ ବିମାନ ଭଡା ନିୟନ୍ତ୍ରଣରେ ରହିବା ସମ୍ଭାବନା ରହିଛି।