ନୂଆଦିଲ୍ଲୀ, ୨୪/୧୧ : ବିଶ୍ୱର ପ୍ରମୁଖ ନେତାମାନଙ୍କର ଆଚରଣ କିଭଳି, ସେମାନଙ୍କ ଭାବଭଙ୍ଗୀ, ବୟାନର ନିରନ୍ତରତା, କଥା ଓ କାମ ମଧ୍ୟରେ କ’ଣ ସମାନତା ରହିଛି ଇତ୍ୟାଦି ପ୍ରଶ୍ନର ଜବାବ ସଂପର୍କରେ ଠିକ୍ ଭାବେ ଜାଣିବାକୁ ଭାରତ ଏବେ ଲିଡରଶିପ୍ ଆନାଲିସିସ୍ ଫ୍ରେମୱର୍କ ପ୍ରସ୍ତୁତ କରୁଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଉଥିବା ଏହି କାର୍ଯ୍ୟକୁ ‘ବିହେବିୟର ପ୍ରୋଫାଇଲିଂ’ ବୋଲି କୁହାଯାଉଛି । ଫ୍ରେମୱର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍, ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ଆଦି ବିଶ୍ୱ ନେତାଙ୍କୁ ସାମିଲ କରାଯାଇଛି। ଏହି ସଫ୍ଟ କୂଟନୈତିକ ଅସ୍ତ୍ର ଯୋଗେ ଅନ୍ୟ ଦେଶ ସହ ଭାରତର ସମ୍ପର୍କର ରୋଡମ୍ୟାପ୍ ପ୍ରସ୍ତୁତ କରିବା ସହଜ ହେବ ବୋଲି କୁହାଯାଉଛି । ଏହାଦ୍ୱାରା ଆଲୋଚନା ସମୟରେ ଭାରତୀୟ ପକ୍ଷକୁ ପୂର୍ବ ପ୍ରସ୍ତୁତିର ସହିତ ହାଜର ହେବାରେ ବି ସହାୟତା ମିଳିବ ।
ସୂତ୍ର ଅନୁସାରେ, ଭାରତରେ ୨୦୨୩ରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ଭିଡିଓ ଭଣ୍ଡାରରୁ ଏହି କାମରେ ବହୁ ସହାୟତା ମିଳିଛି । ସେଠାରେ କେବଳ ବିଶ୍ୱ ନେତା ନୁହନ୍ତି, ତାଙ୍କ ସହଯୋଗୀ ଅଧିକାରୀ ଏବଂ ପରାମର୍ଶଦାତାଙ୍କ ସଂପର୍କରେ ମଧ୍ୟ ବ୍ୟାପକ ଡାଟା ଉପଲବ୍ଧ ରହିଛି । ଏଥିସହ ବିଭିନ୍ନ ଦେଶରେ ଭାରତୀୟ ଦୂତାବାସର ଫିଲ୍ଡ ରିପୋର୍ଟ, ଭିଡିଓ ଆର୍କାଇଭ୍, ନେତାଙ୍କ ଭାଷଣ ଭିଡିଓ, ସୋସିଆଲ୍ ମିଡିଆ ଅପଡେଟ୍ ଏବଂ ଏଆଇ ଆଧାରିତ ବିଶ୍ଳେଷଣ ଯୋଗେ ପ୍ରୋଫାଇଲିଂ କରାଯାଉଛି। ଏହି ସମୟରେ ନେତାଙ୍କ ବୟାନର ନିରନ୍ତରତାକୁ ଅନୁଧ୍ୟାନ କରାଯାଉଛି । ବିଶେଷ କରି ସେମାନଙ୍କ କଥା ଓ କାମରେ କେତେ ଫରକ କିମ୍ବା ସମାନତା ରହିଛି ତାହା ଦେଖାଯାଉଛି । ଏପରିକି ନେତାଙ୍କର ସୂକ୍ଷ୍ମ ଭାବଭଙ୍ଗୀର ମଧ୍ୟ ରେକର୍ଡିଂ ହେଉଛି । ନେତାଙ୍କ ଭାବଭଙ୍ଗୀ ସହଜ, ସରଳ କିମ୍ବା ଆକ୍ରମଣାତ୍ମକ କି ସଂଶୟପୂର୍ଣ୍ଣ ଥିଲା ତାହା ଦେଖାଯାଉଛି ।
ଜି-୨୦ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିବା ଅନ୍ୟ ବହୁପକ୍ଷୀୟ ମଞ୍ଚ ଯେପରିକି ଜି-୭, ବ୍ରିକ୍ସ, କ୍ୱାଡ୍, ଇଷ୍ଟ ଏସିଆ ଆଣ୍ଡ ଆସିଆନ୍ ଶିଖର ସମ୍ମିଳନୀରେ ବିଶ୍ୱ ନେତାଙ୍କର ସୂକ୍ଷ୍ମ ଭାବଭଙ୍ଗୀର ଭିଡିଓକୁ ଏକତ୍ର କରାଯାଉଛି । ସେସବୁର ମନସ୍ତାତ୍ତ୍ୱିକ ଏବଂ ରାଜନୈତିକ ବିଶ୍ଳେଷଣ ଚାଲିଛି । ପୂର୍ବତନ କୂଟନୀତିଜ୍ଞ ଦୀପକ ବୋରା କହିଛନ୍ତି, କିଛି ବୈଶ୍ୱିକ ନେତା ଯାହା କହନ୍ତି ତାହା କରିଥାନ୍ତି । କିଛି ତାର ଓଲଟା କରନ୍ତି । ଯେପରିକି ଟ୍ରମ୍ପଙ୍କୁ ‘ଅନପ୍ରେଡିକ୍ଟେବଲ’ ବୋଲି କୁହାଯାଏ । ଜିନପିଙ୍ଗ ଜଟିଳ-କୁଟୀଳ ହୋଇଥିବାବେଳେ ପୁଟିନଙ୍କୁ ସବୁଠୁ ବିଶ୍ୱସନୀୟ ନେତାଙ୍କ ମଧ୍ୟରେ ଗଣନା କରାଯାଏ । ଏପରିସ୍ଥଳେ ବିଶ୍ୱ ନେତାଙ୍କ ଆଚରଣର ପ୍ରୋଫାଇଲ୍ ପ୍ରସ୍ତୁତ ହୋଇଗଲେ ଆମର ନେତୃତ୍ୱକୁ ସେ ଅନୁସାରେ ନିଜର କଥା ଉପସ୍ଥାପନ କରିବାରେ ସହାୟତା ମିଳିବ । ଆଜିର ସମୟରେ ଏହା ସବୁଠୁ ବଡ଼ କୂଟନୈତିକ ଅସ୍ତ୍ର ପାଲଟିଛି ।