ନୂଆଦିଲ୍ଲୀ, ୧୬/୧୨ : ଏବେ 5Gରେ ବ୍ୟବହାର ହେବ ଦେଶୀ ଚିପ୍। ସେମିକଣ୍ଡକ୍ଟର ଆତ୍ମନିର୍ଭରତା ଦିଗରେ ଭାରତର ବଡ଼ ଉପଲବ୍ଧି। ପ୍ରଥମ ସ୍ଵଦେଶୀ ୬୪-ବିଟ୍ ମାଇକ୍ରୋପ୍ରୋସେସର୍ ଧ୍ରୁବ-୬୪ ଲଞ୍ଚ। ଇଲେକ୍ଟ୍ରୋନିକ୍ସ୍ ଡିଜାଇନ୍ ଏବଂ ଉତ୍ପାଦନର ହବ୍ ପାଲଟିବ ଭାରତ।

ଦେଶର ପ୍ରଥମ ସ୍ଵଦେଶୀ 1.0 GHz, ୬୪-ବିଟ୍ ଡୁଆଲ୍ କୋର୍ ମାଇକ୍ରୋପ୍ରୋସେସର୍ ଧ୍ରୁବ-୬୪ ଲଞ୍ଚ ହୋଇଛି। ଏହି ଚିପ୍ କୁ ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ୍ କମ୍ପ୍ୟୁଟିଂ (C-DAC) ତିଆରି କରିଛି। ମାଇକ୍ରୋପ୍ରୋସେସର ଡେଭଲପମେଣ୍ଟ ପ୍ରୋଗ୍ରାମ ଅନ୍ତର୍ଗତ ଏହି ଚିପ୍ କୁ ତିଆରି କରାଯାଇଛି। ଏହା ବିଦେଶୀ ଚିପ୍ ଉପରୁ ଭାରତର ନିର୍ଭରତାକୁ ହ୍ରାସ କରିବ। ବିଶେଷ କରି ପ୍ରତିରକ୍ଷା, ଅନ୍ତରୀକ୍ଷ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଉପଯୋଗୀ ହେବ। ଧ୍ରୁବ-୬୪ ରିସ୍କ-ବି ଟେକନିକ୍ ଉପରେ ଆଧାରିତ। ଏହା ଡିଜିଟାଲ୍ ଇଣ୍ଡିଆ ରିସ୍କ-ବି ପ୍ରୋଗ୍ରାମର ଅଂଶ। ଏହା ସାହାଯ୍ୟରେ ଭାରତ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଏବଂ ଉତ୍ପାଦନ କ୍ଷେତ୍ରରେ ବୈଶ୍ଵିକ ହବ୍ ପାଲଟିବ। ଏହା ଆତ୍ମନିର୍ଭର ଭାରତକୁ ନୂଆ ଦିଗ ଦେବ।

କେତେ ସ୍ପିଡ୍ ରେ କାମ କରିବ ?

ଧ୍ରୁବ-୬୪ ଏକ ଅତ୍ୟାଧୁନିକ ଚିପ୍। ଏହା ୧ ଗିଗାହର୍ଜ୍ ସ୍ପିଡ୍ ରେ କାମ କରୁଛି। ଏହା ୬୪-ବିଟ୍ ର ଚିପ୍। ଏଥିରେ ଦୁଇଟି କୋର୍ ରହିଛି। ଏହା ଏକାସାଙ୍ଗରେ ଏକାଧିକ କାମ କରିବାର କ୍ଷମତା ରଖିଛି। ଏହି ଚିପ୍ ବହୁ ପ୍ରକାରର ଉପକରଣ ସହ ସହଜରେ ଯୋଡ଼ି ହୋଇପାରିବ। ମାଇକ୍ରୋପ୍ରୋସେସର୍ କୁ ଇଲେକ୍ଟ୍ରୋନିକ୍ ଉପକରଣର ହେଡ୍ କୁହାଯାଏ।

ଧ୍ରୁବ-୬୪ କେଉଁଠି ବ୍ୟବହାର ହେବ ?

ଏହି ଚିପ୍ ବିଭିନ୍ନ କ୍ଷେତ୍ରରେ କାମ କରିବ। 5G ନେଟୱର୍କ ଷ୍ଟ୍ରକ୍ଚର, କାର୍ ଗୁଡ଼ିକର ସିଷ୍ଟମ, ଘରୋଇ ଇଲେକ୍ଟ୍ରୋନିକ୍ସ ଉପକରଣ, ଫ୍ୟାକ୍ଟ୍ରି ଅଟୋମେଶନ ଏବଂ ଇଣ୍ଟରନେଟ୍ ଅଫ ଥିଙ୍ଗ୍ସ୍ ଉପକରଣରେ ଏହି ଚିପ୍ ବ୍ୟବହାର ହେବ। ଏହା ମୋବାଇଲ୍, କମ୍ପ୍ୟୁଟର, କାର, ସାଟେଲାଇଟ୍ ଏବଂ ପ୍ରତିରକ୍ଷା ସିଷ୍ଟମରେ ବ୍ୟବହାର ହେବ।

ଭାରତ ପାଇଁ ପାଲଟିବ ଗେମ୍ ଚେଞ୍ଜର

ସାରା ଦୁନିଆରେ ଯେତିକି ମାଇକ୍ରୋପ୍ରୋସେସର ତିଆରି ହୁଏ ତାହାର ୨୦ ପ୍ରତିଶତ କେବଳ ଭାରତ ବ୍ୟବହାର କରେ। ଭାରତ ତାହାର ଆବଶ୍ୟକତାକୁ ପୂରଣ କରିବା ପାଇଁ ବାହାର ଦେଶ ଉପରେ ନିର୍ଭର କରେ। ଧ୍ରୁବ-୬୪ ଆସିବା ପରେ ଭାରତର ନିର୍ଭରତା କମିବ। ଭାରତ ପାଇଁ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। ଭାରତୀୟ କମ୍ପାନୀ, ଛାତ୍ରଙ୍କ ରିସର୍ଚ୍ଚ ଏବଂ ନୂଆ ପ୍ରଡକ୍ଟ ତିଆରି କରିବାରେ ଏହା ସବୁଠୁ ଶସ୍ତା ଏବଂ ସ୍ଵଦେଶୀ ବିକଳ୍ପ ହେବ। ଏହାର ଆଧୁନିକ ଆର୍କିଟେକଚର ସହଜରେ ଭାରୀ କମ୍ପ୍ୟୁଟିଂ ଏବଂ ଏମ୍ବେଡେଡ୍ ସିଷ୍ଟମଗୁଡ଼ିକୁ ପରିଚାଳନା କରିପାରିବ।

ଆଗକୁ ଲଞ୍ଚ ହେବ 'ଧନୁଷ' ଏବଂ 'ବିକ୍ରମ' ପ୍ରୋସେସର୍

ଧ୍ରୁବ-୬୪ କେବଳ ଏକ ଆରମ୍ଭ ମାତ୍ର। ଏହାର ସଫଳତା ପରେ ଏହାର ପରବର୍ତ୍ତୀ ପୀଢି ଧନୁଷ ଏବଂ ବିକ୍ରମ ପ୍ରୋସେସର୍ ଲଞ୍ଚ ହେବ। ଧନୁଷର ପ୍ରୋସେସିଂ ସ୍ପିଡ୍ 1.2 GHz ରୁ 2 GHz ମଧ୍ୟରେ ରହିବ। ସେହିପରି କିଛି ଦିନ ତଳେ ଇସ୍ରୋ ବିକ୍ରମ ୩୨-ବିଟ୍ ଚିପ୍ ଦୁନିଆ ସାମ୍ନାରେ ରଖିଥିଲା। ଅର୍ଥାତ୍ ଏବେ ସ୍ପେସ୍ ହେଉ କିମ୍ଵା କମ୍ପ୍ୟୁଟର ଭାରତ ସବୁ ଜାଗାରେ ଛାପ ଛାଡ଼ିବାକୁ ପ୍ରସ୍ତୁତ।