ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲଦ୍ବୀପ ଯାତ୍ରା ୨୬ ଜୁଲାଇ ଅର୍ଥାତ ଆଜି ଶେଷ ହୋଇଯିବ। ମାଲଦ୍ବୀପର ୬୦ ତମ ସ୍ବାଧିନତା ଦିବସ ଅବସରରେ ଆଜି ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗେଷ୍ଟ ଅଫ୍ ଅନର ରୂପରେ ସାମିଲ ହୋଇଥିଲେ, ଯାହାକି ଚୀନ୍ ସହ ପୁରା ଦୁନିଆ ପାଇଁ କଡା ବାର୍ତ୍ତା ଥିଲା। ରାଜଧାନୀ ମାଲେର ପ୍ରତିଷ୍ଠିତ 'ରିପବ୍ଲିକ୍ ସ୍କୋୟାର'ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସହିତ ଠିଆ ହୋଇଥିବାର ଦେଖାଯାଇଥିଲା। ପିଏମ୍ ମୋଦି ନିଜ ଗସ୍ତର ଦ୍ବିତୀୟ ଦିନରେ ମାଲଦ୍ବୀପର ବହୁ ଶୀର୍ଷ ନେତାଙ୍କୁ ଭେଟିଛନ୍ତି। ଯାହାଙ୍କ ଭିତରେ ଉପ-ରାଷ୍ଟ୍ରପତି ମହମ୍ମଦ ନଶିଦ ଓ ପିପୁଲ୍ସ ମଜଲିସ୍ (ସଂସଦ)ର ଅଧ୍ୟକ୍ଷ ଅବଦୁଲ ରହିବ ଅବଦୁଲ୍ଲା ସାମିଲ ଥିଲେ।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, 'ଦୁଇ ଦେଶ ମୌଳିକ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ଏହା ଆମ ଲୋକଙ୍କ ପାଇଁ ବହୁତ ଲାଭଦାୟକ। ଆମେ ଏହି ସହଭାଗୀତାକୁ ଆହୁରି ମଜବୁତ କରିବାକୁ ଚାହୁଁଛୁ।' 

ମହମ୍ମଦ ମୁଇଜ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି  କହିଛନ୍ତି, ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ୱୀପ ଗସ୍ତରେ ଆସିଥିବାରୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛୁ। ଆମେ ୪ଟି ଏମଓୟୁ ଏବଂ ୩ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ କରିଛୁ। ଏହାଛଡା  ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଉପରେ ଆଲୋଚନା ଆରମ୍ଭ କରିବାର ଘୋଷଣା ମଧ୍ୟ କରିଛୁ। ଆମେ ସବୁ ଦେଖିଚୁ ଭାରତ ପୂର୍ବରୁ କିଭଳି ମାଳଦ୍ବୀପର ସାହାଯ୍ୟ କରିଛି। ଏଥିରେ କୌଣସି ସନ୍ଦେହ ନାହିଁ ଆଗକୁ ଭାରତ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ହେବ। ଭାରତ ସେହି ପର୍ଯ୍ୟଟନ ଦେଶ ଭିତରୁ ଅନ୍ୟତମ ଯାହାକି ମାଳଦ୍ବୀପକୁ ପର୍ଯ୍ୟଟନ କ୍ଷେତ୍ରରେ ସାହାଯ୍ୟ କରିଥାଏ। ମୋତେ ବିଶ୍ବାସ ରହିଛି, ଏହି ଯାତ୍ରା ଦୁଇ ଦେଶର ଲୋକଙ୍କ ଭିତରେ ପାରସ୍ପାରିକ ବିନିମୟରେ ବୃଦ୍ଧି ଘଟିବ। ଏହା ସହ ସୁନ୍ଦର ଭବିଷ୍ୟତ ପାଇଁ ରାସ୍ତା ଫିଟିଛି।