ନୂଆଦିଲ୍ଲୀ,୨୯।୧: ସମ୍ବିଧାନ ସଂଶୋଧନ ପରେ ଅସୀମ ମୁନିରଙ୍କୁ ପାକିସ୍ତାନରେ ମିଳିଛି ଅଖଣ୍ଡ କ୍ଷମତା। ଯାହାଦ୍ବାରା ସେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଭାରତ ଏବେ ବିଶ୍ୱସ୍ତରୀୟ ମଞ୍ଚରେ ପାକିସ୍ତାନକୁ ସମାଲୋଚନା କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ପି. ହରିଶ, ସାମ୍ବିଧାନିକ ବିକାଶରେ ନିଜ ସଶସ୍ତ୍ର ବାହିନୀର ଭୂମିକା ଉପରେ ଆତ୍ମସମୀକ୍ଷା କରିବାକୁ ଇସଲାମାବାଦକୁ ପରାମର୍ଶ ଦେଇଛନ୍ତି।
ଜାତିସଂଘରେ ପାକିସ୍ତାନକୁ ଭାରତର ନିନ୍ଦା
ଜାତିସଂଘରେ ଭାରତର ପ୍ରତିନିଧି କହିଛନ୍ତି,ଶାହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ନିକଟରେ ଗୃହୀତ ୨୭ତମ ସଂଶୋଧନ ମାଧ୍ୟମରେ, ନିଜର ସେନାକୁ ସାମ୍ବିଧାନିକ ବିଦ୍ରୋହ କରିବାକୁ କ୍ଷମତା ଦେଇଛି। ପାକିସ୍ତାନ ପ୍ରଥମେ ନିଜକୁ ପଚାରିବା ଉଚିତ ଯେ ସେ କିପରି ନିଜ ସେନାକୁ ସାମ୍ବିଧାନିକ ବିଦ୍ରୋହ କରିବାକୁ ଅନୁମତି ଦେଇଛି ? ପାକିସ୍ତାନ ସେନା ଏହାର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସାରା ଜୀବନ ସୁରକ୍ଷା ଦେବ। ଜାତିସଂଘରେ, ଭାରତ ଏହା ମଧ୍ୟ ଚେତାବନୀ ଦେଇଛି ଯେ ପାକିସ୍ତାନରେ ସେନାର ପ୍ରାଧାନ୍ୟ ସେଠାକାର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ଆଞ୍ଚଳିକ ଶାନ୍ତି ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି।
ଅସୀମ ମୁନିରଙ୍କୁ କିପରି ସିଡିଏଫ୍ କରାଗଲା ?
ପାକିସ୍ତାନର ଆଇନକୁ ମଧ୍ୟ ଭାରତ କଡ଼ା ସମାଲୋଚନା କରିଛି, ଯାହା ଅସୀମ ମୁନିରଙ୍କୁ ରାଷ୍ଟ୍ରପତି ଭଳି ଆଇନଗତ ସୁରକ୍ଷା ପ୍ରଦାନ କରେ। ବର୍ତ୍ତମାନ, ଅସୀମ ମୁନିର ଏବଂ ଅନ୍ୟ ସେନା ମୁଖ୍ୟଙ୍କ ଉପରେ ଜୀବନସାରା କୌଣସି ମାମଲା ରୁଜୁ କରିବାକୁ ପଡ଼ିବ ନାହିଁ। ପାକିସ୍ତାନରେ ସାମରିକ ନେତୃତ୍ବକୁ କେନ୍ଦ୍ରୀଭୂତ କରିବା ଲକ୍ଷ୍ୟରେ ନଭେମ୍ବର ୨୦୨୫ରେ ସମ୍ବିଧାନର ୨୭ତମ ସଂଶୋଧନ ଅଧୀନରେ ପ୍ରତିରକ୍ଷା ବାହିନୀ ମୁଖ୍ୟଙ୍କ ଭୂମିକା ଧାର୍ଯ୍ୟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟି (CJCSC) ର ଅଧ୍ୟକ୍ଷ ପଦବୀକୁ ଶେଷକରି ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେଜ୍ (ସିଡିଏଫ୍) ପଦବୀ ସୃଷ୍ଟି କରାଯାଇଥିଲା।
ପାକିସ୍ତାନର ଶକ୍ତିଶାଳୀ ସାମରିକ ଅଧିକାରୀ ମୁନୀର
ପୂର୍ବତନ ଆଇଏସଆଇ ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସିଡିଏଫ୍ ନିଯୁକ୍ତ କରାଯାଇଥିଲା। ସେ ବର୍ତ୍ତମାନ ସମସ୍ତ ତିନି ସଶସ୍ତ୍ର ବାହିନୀ (ସେନା, ବାୟୁସେନା ଏବଂ ନୌସେନା) ର କମାଣ୍ଡର ଅଛନ୍ତି। ମୁନିର ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ (COAS) ର ଦାୟିତ୍ୱ ମଧ୍ୟ ବହନ କରନ୍ତି।ସିଡିଏଫ୍ ପାକିସ୍ତାନରେ ଏକ ଶକ୍ତିଶାଳୀ ସାମରିକ ପଦବୀ। ଏହି ନିଯୁକ୍ତି ପାଞ୍ଚ ବର୍ଷ ପାଇଁ ରହିଛି। ମୁନୀରଙ୍କ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ରର କମାଣ୍ଡ ମଧ୍ୟ ରହିବ।