ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

Pahalgam Attack: ଚରମ ସୀମାରେ ପହଞ୍ଚିଛି ଭାରତ ଓ ପାକିସ୍ତାନର ସମ୍ପର୍କ; ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଇରାନ

Published By : Bijay Swain | April 25, 2025 10:33 PM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ଇରାନ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି। ଇରାନର ବୈଦେଶିକ ମନ୍ତ୍ରୀ ସେୟେଦ ଆବ୍ବାସ ଆରାଘଚୀ ଶୁକ୍ରବାର ଏକ ଟୁଇଟରେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଇରାନର "ଭାଇଚାରା ପଡୋଶୀ"। ଇରାନ ନୂଆଦିଲ୍ଲୀ ଓ ଇସ୍ଲାମାବାଦ ସହ ନିଜର ସୁସମ୍ପର୍କକୁ କାମରେ ଲଗାଇ ଉଭୟ ଦେଶ ମଧ୍ୟରେ ବୁଝାମଣା ସ୍ଥାପନ କରିବାକୁ ପ୍ରସ୍ତୁତ।

ଗତ ମଙ୍ଗଳବାର ଅନନ୍ତନାଗ ଜିଲ୍ଲାର ପାହାଲଗାମ ନିକଟ ବୈସରଣ ମେଡୋରେ ଏକ ଆତଙ୍କବାଦୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହି ହମଲାର ଦାୟିତ୍ୱ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ନାମକ ସଂଗଠନ ନେଇଛି, ଯାହା ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଛାୟା ସଂଗଠନ ଭାବେ ଜଣାଯାଏ।

ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚୀ ପହଲଗାମ ଆତଙ୍କୀ ଆକ୍ରମଣକୁ ଦୃଢ଼ ଓ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ସହ ଇରାନର ଶତାବ୍ଦୀ ପୁରୁଣା ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ରହିଛି। ସେ ପାରସ୍ୟ କବି ସାଦିଙ୍କ ଏକ ପଙ୍କ୍ତି ଉଦ୍ଧୃତ କରି ମାନବୀୟ ସମ୍ପର୍କ, ସହାନୁଭୂତି ଓ ସହମର୍ମିତାର ବାର୍ତ୍ତା ଦେଇଛନ୍ତି।

ତେବେ, ଭାରତ ଐତିହାସିକ ଭାବେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମସ୍ୟା ସମାଧାନ ପାଇଁ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଆରମ୍ଭରୁ ବିରୋଧ କରି ଆସିଛି। ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଏଭଳି ମଧ୍ୟସ୍ଥତାକୁ କଦାପି ଗ୍ରହଣ କରିବ ନାହିଁ।

ପହଲଗାମ ଆତଙ୍କୀ ଆକ୍ରମଣ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଜଟିଳ କରିଛି। ଇରାନର ମଧ୍ୟସ୍ଥତା ପ୍ରସ୍ତାବ ଏ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ହୋଇପାରେ। କିନ୍ତୁ ଭାରତର ଦୃଢ଼ ଅବସ୍ଥାନ ଓ ପାକିସ୍ତାନର ଦୋମୁହାଁ ନୀତି ଏହାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ ଉଭୟ ଦେଶର ସଂଯମ ଏବଂ କୂଟନୈତିକ ଆଲୋଚନା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ବିସେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.