ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ସୀମାରେ ଶାନ୍ତି ଦେଖିବାକୁ ମିଳିଛି। ଏହି ସମୟରେ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ସେନା ମୁଖ୍ୟ, ସିଡିଏସ୍ ଅନିଲ ଚୌହାନ, ଏନଏସଏ ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ସହ ଏକ ବୈଠକ କରିଥିଲେ। ସେହି ସମୟରେ, ସେନା ପ୍ରେସ୍ କନଫରେନ୍ସ ମାଧ୍ୟମରେ 'ଅପରେସନ୍ ସିନ୍ଦୂର' ବିଷୟରେ ଲଗାତାର ସୂଚନା ଦେଉଛି।
ଏୟାର ମାର୍ଶାଲ ଏ କେ ଭାରତୀ କହିଛନ୍ତି, 'ଗତକାଲି ଆମେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ଅପରେସନ ବିଷୟରେ ବିସ୍ତୃତ ସୂଚନା ଦେଇଥିଲୁ।' ଆମର ଲଢ଼େଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଥିଲା। ତେଣୁ ୭ ମଇରେ ଆମେ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲୁ, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ଉଚିତ ମନେ କଲା ଏବଂ ଆତଙ୍କବାଦୀଙ୍କ ଲଢ଼େଇକୁ ନିଜର ଲଢେଇ ଭାବିଥିଲା। ଆମେ କିନ୍ତୁ ଆଗରୁ ସ୍ପଷ୍ଟ କରିଥିଲୁ ପାକିସ୍ତାନୀ ସେନା କିମ୍ବା ତା’ର ଆଡ୍ଡାକୁ ଧ୍ବଂସ କରିବା ଆମର ଉଦେଶ୍ୟ ନୁହେଁ। ପାକ୍ ସେନା ଆମକୁ ଜବାବ ଦେବାକୁ ବାଧ୍ୟ କରିଥିଲା ଏବଂ ଆମେ ସମ୍ପୂର୍ଣ୍ଣ ବଳ ସହିତ ଜବାବ ଦେଇଥିଲୁ। ପାକିସ୍ତାନୀ ସେନା ଆମ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ପକ୍ଷରୁ ପଠାଯାଇଥିବା ତୁର୍କୀ ଓ ଚୀନ୍ ଡ୍ରୋନ୍ ଏବଂ ରକେଟକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେଇଥିଲୁ। ଆମର ବାୟୁ ପ୍ରତିରକ୍ଷା ଭେଦ କରିବା ଅସମ୍ଭବ। ଆମେ ଚୀନ୍ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛୁ।
ଜେନେରାଲ ରାଜୀବ ଘାଇ କହିଛନ୍ତି, ଗତ କିଛି ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଛି, ଆମର ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ପାପର ପାତ୍ର ଭରିଯାଇଛି, ଏହାପରେ ଯାହା ହୋଇଛି, ସେ ବିଷୟରେ ଆମେ ପୂର୍ବରୁ ବିସ୍ତାରିତ ଭାବରେ ଆଲୋଚନା କରିଛୁ। ଆମେ LOC ପାର କରି ଆକ୍ରମଣ କଲୁ। ଆମେ ସମ୍ପୂର୍ଣ୍ଣ ସଚେତନ ଥିଲୁ ଯେ ପାକିସ୍ତାନ ମଧ୍ୟ ଆକ୍ରମଣ କରିବ। ସେଥିପାଇଁ ଆମେ ଆମର ବାୟୁ ପ୍ରତିରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲୁ। ଭାରତ ବିରୋଧରେ ପାକିସ୍ତାନ ୟୁଏଭି ଏବଂ ପିଏଲ୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହାର ଧ୍ବଂସାବଶେଷ ଠାବ କରାଯାଇଛି।
ଭାଇସ୍ ଆଡମିରାଲ୍ ଏ.ଏନ୍. ପ୍ରମୋଦ କହିଛନ୍ତି, 'ବର୍ତ୍ତମାନର ଯୁଦ୍ଧରେ, ଆମର ଏୟାରକ୍ରାଫ୍ଟ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଶହ ଶହ କିଲୋମିଟର ଦୂରରୁ ମଧ୍ୟ କୌଣସି ସନ୍ଦିଗ୍ଧ ଶତ୍ରୁ ବିମାନ କିମ୍ବା ଅନ୍ୟ ବିପଦକୁ ନିକଟକୁ ଆସିବାକୁ ଦେଇ ନଥିଲା।' ନୌସେନା ଏକକାଳୀନ ଜଳ,ସ୍ଥଳ ଏବଂ ଆକଶରେ ଥିବା ବିପଦକୁ ଜାଣିବାରେ ସକ୍ଷମ ହୋଇଥିଲା। ବିଭିନ୍ନ ପ୍ରକାର ସେନ୍ସର ଏବଂ ଇନପୁଟକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରି ସ୍ଥିତି ଉପରେ ନଜର ରଖିଥିଲୁ। ଆମେ ସର୍ବାଧିକ ରାଡାର ବ୍ୟବହାର କରିଥିଲୁ ଏବଂ ସମସ୍ତ ଉଡ଼ନ୍ତା ବସ୍ତୁ ଉପରେ ନଜର ରଖିଥିଲୁ, ତାହା ଡ୍ରୋନ୍ ହେଉ, ଯୁଦ୍ଧ ବିମାନ ହେଉ। ଆମର ପାଇଲଟମାନେ ଆମ ବିମାନରେ ଦିନରାତି କାମ କରିବାରେ ସକ୍ଷମ। କୌଣସି ଶତ୍ରୁ ପକ୍ଷର ବିମାନ ଶହ ଶହ କିଲୋମିଟର ଭିତରକୁ ଆସିପାରିବ ନାହିଁ। ଆମେ ଆମର ଆଣ୍ଟି ମିସାଇଲ ଏବଂ ଆଣ୍ଟି ଏୟାରକ୍ରାଫ୍ଟ ଟେକ୍ନୋଲୋଜିକୁ ପ୍ରମାଣିତ କରିଛୁ। ଏହା ଭାବରେ ପାକିସ୍ତାନୀ ପ୍ରତିପକ୍ଷମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କଲା।’