ନୂଆଦିଲ୍ଲୀ, ୦୩/୦୩:  ମଧ୍ୟପ୍ରାଚ୍ୟରେ ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁ ତେଲ ଯୋଗାଣ ପ୍ରଭାବିତ ହେବା ପରେ ଭାରତ ପୁଣି ଥରେ ରୁଷ ତେଲ କିଣା ଉପରେ ନଜର ରଖିଛି । ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ଭାରତ ଏହାର ଇନ୍ଧନ ଚାହିଦା ପୂରଣ ଲାଗି ରୁଷଠାରୁ ଅଧିକ ଅଶୋଧିତ ତେଲ କ୍ରୟ କରିବାକୁ ଯୋଜନା କରୁଛି । ଗତ କିଛି ଦିନ ହେବ ଷ୍ଟ୍ରେଟ ଅଫ୍ ହୋର୍ମୁଜ ଦେଇ ଭାରତ ଆସୁଥିବା ତେଲ ଯୋଗାଣ ଠପ୍ ହୋଇଛି । ଏହାକୁ ନଜରରେ ରଖି ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ଅଧିକାରୀମାନେ ନୂଆଦିଲ୍ଲୀରେ ଏକ ଜରୁରି ବୈଠକ ଡାକିଥିଲେ ।

ରିପୋର୍ଟ ମୁତାବକ, ଭାରତ ରୁଷର ସେହି ତେଲ କାର୍ଗୋ ଗୁଡ଼ିକୁ କିଣିବାକୁ ଯୋଜନା କରୁଛି ଯାହା ଭାରତୀୟ ସମୁଦ୍ର ନିକଟବର୍ତ୍ତି କିମ୍ବା ଏସିଆର ଜଳକ୍ଷେତ୍ର ମଧ୍ୟରେ ରହିଛି । ବର୍ତ୍ତମାନ ୯୫ ଲକ୍ଷ ବ୍ୟାରେଲ ରୁଷ ତେଲ ଟ୍ୟାଙ୍କର ଏସିୟ ଦେଶ ଗୁଡ଼ିକ ନିକଟରେ ଜଳପଥରେ ରହିଛି । ଯୋଗାଣ ହ୍ରାସ ସ୍ଥିତିରେ ଭାରତ ଏହି ଟ୍ୟାଙ୍କର ଗୁଡ଼ିକୁ ତୁରନ୍ତ ଭିତ୍ତିରେ ଗ୍ରହଣ କରିପାରେ । ଫଳରେ ପରିବହନ ସମୟ ଏବଂ ଖର୍ଚ୍ଚ ଉଭୟ କମ୍ ହୋଇପାରିବ । ରୁଷ ଭାରତକୁ ଅପେକ୍ଷାକୃତ କମ୍ ଦରରେ ତେଲ ଯୋଗାଣ କରିଥାଏ । ହୋର୍ମୁଜ ଜଳପଥରେ ତେଲ ଯୋଗାଣ ଠପ୍ ହୋଇଥିବାରୁ ରୁଷ ତେଲ ଏକ ଉନ୍ନତ ବିକଳ୍ପ ବୋଲି କୁହାଯାଉଛି । ରୁଷ ଶସ୍ତା ତେଲ ମିଳିଲେ ଏହାର ଦେଶର ଇନ୍ଧନ ବିଲ୍ ଉପରେ ମଧ୍ୟ ଚାପ କମାଇବ । ଆମେରିକା ଚାପ ଯୋଗୁ ଭାରତ ରୁଷ ନିକଟରୁ ତେଲ କିଣା କମାଇଛି । ଫେବ୍ରୁଆରି ମାସରେ ଭାରତ ଦୈନିକ ୧୦ ଲକ୍ଷ ବ୍ୟାରେଲ ରୁଷ ତେଲ କିଣିଛି । ଯାହା ୨୦୨୨ ପରଠୁ ସବୁଠାରୁ ସର୍ବନିମ୍ନ ସ୍ତର । ତେବେ ଯୁଦ୍ଧ ସ୍ଥିତିରେ ରୁଷ ତେଲ ବିକଳ୍ପ ହୋଇପାରେ । ଭାରତ ଏହାକୁ ଋଣନୈତିକ ଭାବେ କିଣିବାରେ ବିଚାର କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।