ନୂଆଦିଲ୍ଲୀ: ଇରାନର ବଦଳୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ, ଭାରତ ସେଠାରୁ ତାହାର ନାଗରିକ ମାନଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଫେରିବାକୁ ଚାହୁଁଥିବା ସମସ୍ତ ଭାରତୀୟଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହାୟତା କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନକୁ ଧମକ ପରେ ଭାରତୀୟ ଅଧିକାରୀ ମାନେ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛନ୍ତି।

ଇରାନରେ ଥିବା ଭାରତୀୟ ଦୂତାବାସ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିଛି। ଇଣ୍ଟରନେଟ୍ ବିଭ୍ରାଟ ଏହି କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି କରୁଛି। ଗତ ୧୦ ଦିନରେ ଇରାନ ସମ୍ପର୍କରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୁଇଟି ଆଡଭାଇଜରୀ ଜାରି କରିଛି।

ଇରାନ ଯାତ୍ରା ନକରିବାକୁ ଭାରତୀୟଙ୍କୁ ପରାମର୍ଶ…

ଭାରତ ଇରାନରେ ରହୁଥିବା ସମସ୍ତ ନାଗରିକଙ୍କୁ ବିଭିନ୍ନ ଉପାୟ ବ୍ୟବହାର କରି ଦେଶ ଛାଡିବାକୁ ଏବଂ ଯାତ୍ରା ଏଡାଇବାକୁ ଅନୁରୋଧ କରିଛି। ଇରାନରେ ଥିବା ଭାରତୀୟ ଦୂତାବାସ ଏକ ନୂତନ ଆଡଭାଇଜରି ଜାରି କରି ଭାରତୀୟ ନାଗରିକ, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ବିମାନ ସମେତ ଉପଲବ୍ଧ ପରିବହନ ପଦ୍ଧତି ବ୍ୟବହାର କରି ଦେଶ ଛାଡିବାକୁ ଅନୁରୋଧ କରିଛି। ଏହା ପରେ, ଭାରତ ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି।

ସୂଚନାଥାଉକି, ଗତ ମାସରେ ଇରାନୀ କରେନ୍ସି, ରିଆଲ ରେକର୍ଡ ନିମ୍ନକୁ ଖସିବା ପରେ ତେହେରାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ସେବେଠାରୁ, ଏହି ପ୍ରତିବାଦ ଗୁଡ଼ିକ ସମସ୍ତ ୩୧ ଟି ପ୍ରଦେଶରେ ବ୍ୟାପିଛି, ଯାହା ଆର୍ଥିକ ସଙ୍କଟ ବିରୁଦ୍ଧରେ ଏକ ଆନ୍ଦୋଳନରୁ ଆରମ୍ଭ ହୋଇ ରାଜନୈତିକ ପରିବର୍ତ୍ତନର ଦାବିରେ ପରିଣତ ହୋଇଛି।

ଇରାନ ଟ୍ରମ୍ପଙ୍କୁ ଚେତାବନୀ ଦେଇଛି...

ଇରାନର ବର୍ତ୍ତମାନର ପରିସ୍ଥିତି ଚିନ୍ତାଜନକ। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର ଭୟ ମଧ୍ୟରେ, ଇରାନ ଏବେ ଏକ ଫଟୋଗ୍ରାଫ ମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚେତାବନୀ ଜାରି କରିଛି। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ, ବ୍ରିଟେନ ତେହେରାନରେ ଏହାର ଦୂତାବାସକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି ଏବଂ ସମସ୍ତ କୂଟନୈତିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିନେଇଛି। ଇରାନ ପେନସିଲଭାନିଆରେ ଟ୍ରମ୍ପଙ୍କ ଉପରେ ୨୦୨୪ ମସିହାରେ ହୋଇଥିବା ହତ୍ୟା ଉଦ୍ୟମର ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ତାଙ୍କୁ ଏକ ପ୍ରଚାର ରାଲିରେ ଦର୍ଶାଯାଇଛି, ଏବଂ ଏକ ଚେତାବନୀ ସହିତ କୁହାଯାଇଛି: "ଏଥର, ଟାର୍ଗେଟ ହାତଛଡ଼ା ହେବ ନାହିଁ।"

ଏହା ସହ ପଢନ୍ତୁ : ‘ଘାତକ ଆକ୍ରମଣ ଥିଲା ଅପରେସନ ସିନ୍ଦୂର’…’ମୃତ୍ୟୁକୁ ଅତି ନିକଟରୁ ଦେଖିଛୁ, ଆଲ୍ଲା ଆମକୁ ବଞ୍ଚାଇ ଦେଲେ’…