ନୂଆଦିଲ୍ଲୀ, ୧୫/୦୮: ସ୍ଵାଧୀନତା ଦିବସ ଅବସରରେ ଭାରତର ଐତିହାସିକ ଉପଲବ୍ଧି। ମହାସାଗରର ନୀଳ ଜଳରାଶିରେ ଲେଖିଲା ସ୍ଵର୍ଣ୍ଣିମ ଅଧ୍ୟାୟ। ସମୁଦ୍ର ଗର୍ଭର ୫ ହଜାର ମିଟର ତଳେ ଉଡ଼ିଲା ତ୍ରିରଙ୍ଗା। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ପାଞ୍ଚ ହଜାର ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ମିଶନ ପଠାଇବାରେ ସଫଳ ହୋଇଛି। ଇଣ୍ଡୋ-ଫ୍ରେଞ୍ଚ୍ କୋଲାବରେସନରେ ଏହି ମିଶନ ସଫଳ ହୋଇଛି। ସମୁଦ୍ର ଗର୍ଭକୁ ଯିବା ପାଇଁ ବୈଜ୍ଞାନିକମାନଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। ମିଶନ ପୁରା କରିବାକୁ ଦୀର୍ଘ ୪ ଘଣ୍ଟା ସମୟ ଲାଗିଥିଲା। ଏହାପରେ ଜଳରାଶିରୁ ବାହାରକୁ ଆସିବାକୁ ଅଢେଇ ଘଣ୍ଟା ସମୟ ଲାଗିଥିଲା।
ସୂଚନା ଥାଉକି, ୧୯୭୫ରେ ଭାରତ ଅନ୍ତରୀକ୍ଷକୁ ପ୍ରଥମ ଉପଗ୍ରହ ପଠାଇଥିଲା। ୨୦୧୪ରେ ମଙ୍ଗଳ ଗ୍ରହର କକ୍ଷପଥରେ ପାଦ ଥାପିଥିଲା। ଏବେ ମହାସାଗରରେ ସ୍ଵର୍ଣ୍ଣିମ ଅଧ୍ୟାୟ ଲେଖିଛି। ଭାରତର ସାହସୀ ଆକ୍ୱାନାଟ୍ସମାନେ ଫ୍ରାନ୍ସର ନଟାଇଲ୍ ସବମର୍ସିବଲରେ ବସି ଅଗଷ୍ଟ ୫ ଏବଂ ୬ ତାରିଖରେ ପ୍ରଥମ ଥର ପାଇଁ ଆଟଲାଣ୍ଟିକ୍ ମହାସାଗରର ଅନ୍ଧକାର ଏବଂ ନିସ୍ତବ୍ଦ ଜଳରାଶିରେ ପ୍ରବେଶ କରିଛନ୍ତି। ଯେଉଁଠାରେ ସୂର୍ଯ୍ୟଙ୍କ କିରଣ କେବେ ପହଞ୍ଚିପାରି ନାହିଁ ଏବଂ ସାମୁଦ୍ରିକ ଚାପରେ ଜଣେ ମଣିଷ ମୁହୂର୍ତ୍ତକରେ ମରିବାର ସମ୍ଭାବନା ରହିଛି ସେଠାରେ ତ୍ରିରଙ୍ଗା ଉଡ଼ାଇଛନ୍ତି। କମାଣ୍ଡର ଜତିନ୍ଦର ପାଲ ସିଂହ ୫୦୦୨ ମିଟର, ଚେନ୍ନାଇର ବରିଷ୍ଠ ବୈଜ୍ଞାନିକ ଆର.ରମେଶ ୪୦୨୫ ମିଟର ଗଭୀରତାକୁ ପ୍ରବେଶ କରି ତ୍ରିରଙ୍ଗା ଉଡ଼ାଇଛନ୍ତି। ସବମର୍ସିବଲର ରୋବଟିକ୍ ଆର୍ମସ୍ ଦ୍ଵାରା ସମୁଦ୍ର ଗଭୀରର ନମୁନା ଓ ମାଟି ସଂଗ୍ରହ କରାଯାଇଛି।
ଭାରତର ପରବର୍ତ୍ତୀ ମିଶନ ଡିପ୍ ଓସେନ୍ ମିଶନ-ମହାସାଗର ମିଶନ ଓ ମତ୍ସ୍ୟ ୬୦୦୦ ରହିଛି। ୨୦୨୬ରେ ମାନବ-ସବମର୍ସିବଲ ମତ୍ସ୍ୟ-୬୦୦୦ ଗଭୀର ସମୁଦ୍ରରେ ମୁତୟନ ହେବ। ଏହା ସମୁଦ୍ରୟାନ ପ୍ରୋଜେକ୍ଟର ଏକ ଅଂଶ। ଯାହାକି ଭାରତ ମହାସାଗର ଅଭିଯାନର ଏକ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ ହେବ। ଏହି ମିଶନରେ ଉଭୟ NIOT ଓ ISROର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ।
ମିଶନର ୬ଟି ବଡ଼ ଲକ୍ଷ୍ୟ-
- ଗଭୀର ସମୁଦ୍ରରେ ଖଣି ସଂଚାଳନ କାର୍ଯ୍ୟ
- ସାମୁଦ୍ରିକ ଜଳବାୟୁ ପରିବର୍ତ୍ତନ ଉପରେ ଅଧ୍ୟୟନ
- ଗଭୀର ସମୁଦ୍ର ଜୈବ ବିବିଧତାର ଆବିଷ୍କାର ଏବଂ ସଂରକ୍ଷଣ
- ସମୁଦ୍ର ଭୂଗର୍ଭ ତଳେ ସର୍ଭେ ଏବଂ ଅନୁସନ୍ଧାନ
- ଶକ୍ତି ଏବଂ ମଧୁର ଜଳର ନୂତନ ଉତ୍ସ ଖୋଜିବା
- ସାମୁଦ୍ରିକ ଜୀବବିଜ୍ଞାନ ଏବଂ କ୍ଷମତା ନିର୍ମାଣ
ମିଶନ ମତ୍ସ୍ୟ-୬୦୦୦ର ବୈଶିଷ୍ଟ୍ୟ :-
-ତିନି ଜଣଙ୍କୁ ୬,୦୦୦ ମିଟର ପର୍ଯ୍ୟନ୍ତ ବହନ କରିବାର କ୍ଷମତା
-୧୨ ଘଣ୍ଟାର ଅପରେସନ ଓ ୯୬ ଘଣ୍ଟାର ଜରୁରୀକାଳୀନ ସହାୟତା
-ଟାଇଟାନିୟମ୍ ପ୍ରେଶର ସ୍ଫିଅର, ଚାପ-ସନ୍ତୁଳିତ ବ୍ୟାଟେରୀ
-ଜରୁରୀକାଳୀନ ଡ୍ରପ୍ ଓଜନ ପ୍ରଣାଳୀ ଏବଂ ଡିଜିଟାଲ୍ ସହ-ପାଇଲଟ୍
-ଅତ୍ୟାଧୁନିକ ସ୍ୱାସ୍ଥ୍ୟ ମନିଟରିଂ, ପାଣି ତଳେ ଏକଷ୍ଟିକ୍ ଟେଲିଫୋନ୍ ଏବଂ ISRO-ଡିଜାଇନ୍ ନାଭିଗେସନ୍ ୟୁନିଟ୍
ମିଶନ କାହିଁକି ଖାସ୍ ?
-ଭାରତର ନୀଳ ଅର୍ଥନୀତି ଏକ ନୂତନ ଦିଗ ପାଇବ
-ଅସ୍ପୃଶ୍ୟ ସାମୁଦ୍ରିକ କ୍ଷେତ୍ରରେ ବୈଜ୍ଞାନିକ ଅଧ୍ୟୟନ
-ନୂତନ ଶକ୍ତି, ଖଣିଜ ଏବଂ ଜୈବ ବିବିଧତାର ଆବିଷ୍କାର
-ବିଶ୍ୱ ସାମୁଦ୍ରିକ ଗବେଷଣାରେ ଭାରତର ନେତୃତ୍ୱ