ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଧରଣର ଭୂ-ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତ ଏବଂ ରୁଷ ମଧ୍ୟରେ ହୋଇଥିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି RELOSକୁ ନେଇ ମସ୍କୋ ଏବେ ନୂତନ ତଥ୍ୟ ସାର୍ବଜନୀନ କରିଛି । ଏହି ଚୁକ୍ତି ଅନୁଯାୟୀ, ଦୁଇ ଦେଶର ସେନା ଏବେ ଏକାଠି ଅପରେସନ କରିବା ସହ ପରସ୍ପରର ସାମରିକ ଶିବିର ବ୍ୟବହାର କରିପାରିବେ, ଯାହା ପାକିସ୍ତାନ ଏବଂ ତା’ର ସହଯୋଗୀଙ୍କ ନିଦ ହଜାଇ ଦେଇଛି ।
କ’ଣ ଏହି ‘RELOS’ ଚୁକ୍ତି ?
ଏହି ସାମରିକ ବୁଝାମଣା ଅନୁଯାୟୀ, ଭାରତ ଏବଂ ରୁଷ ପରସ୍ପରର ସେନା, ଯୁଦ୍ଧପୋତ ଏବଂ ସାମରିକ ବିମାନ ନିଜ ନିଜ କ୍ଷେତ୍ରରେ ମୁତୟନ କରିପାରିବେ । ଏଥିପାଇଁ କିଛି ସୀମା ନିର୍ଦ୍ଧାରଣ କରାଯାଇଛି । ଭାରତ ଓ ରୁଷ ପରସ୍ପର ମାଟିରେ ସର୍ବାଧିକ ୩,୦୦୦ ସୈନିକ ରଖିପାରିବେ । ଉଭୟ ଦେଶର ୫ଟି ଲେଖାଏଁ ଯୁଦ୍ଧପୋତ ପରସ୍ପରର ବନ୍ଦରରେ ମୁତୟନ ହୋଇପାରିବେ। ଦୁଇ ଦେଶର ବାୟୁସେନା ମଧ୍ୟ ଏକାଠି ରହି ଅପରେସନ୍ କରିପାରିବେ । ଏହି ଚୁକ୍ତି ଜାନୁଆରୀ ୨୦୨୬ରୁ ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇସାରିଛି । ଏହା କେବଳ ଏକ ଚୁକ୍ତି ନୁହେଁ, ବରଂ ଆମେରିକାକୁ ଏକ ସ୍ପଷ୍ଟ ସନ୍ଦେଶ ଯେ ଭାରତ ନିଜର ସାମରିକ ନିଷ୍ପତ୍ତି ନେବାରେ ସମ୍ପୂର୍ଣ୍ଣ ସ୍ୱାଧୀନ ।
ରୁଷକୁ ଏବେ ଭାରତୀୟ ବନ୍ଦର ଏବଂ ବିଶେଷ କରି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବାକୁ ସୁଯୋଗ ମିଳିବ । ଫଳରେ ରୁଷ ଭାରତ ମହାସାଗର କ୍ଷେତ୍ରରେ ସିଧାସଳଖ ନଜର ରଖିପାରିବ । ଭାରତକୁ ଏବେ ରୁଷର ସାହାଯ୍ୟରେ ଆର୍କଟିକ୍ ସିପିଂ ରୁଟ୍ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ନିଜର ଉପସ୍ଥିତି ବଢ଼ାଇବାକୁ ସୁବିଧା ମିଳିବ ।
ପାକିସ୍ତାନର କାହିଁକି ବଢ଼ିଲା ଚିନ୍ତା ?
ପାକିସ୍ତାନ ଦୀର୍ଘ ଦିନ ହେବ ରୁଷ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଭାରତ ଏବଂ ରୁଷ ମଧ୍ୟରେ ହୋଇଥିବା ଏହି ‘ଲଜିଷ୍ଟିକ୍’ ଚୁକ୍ତି ପରେ ପାକିସ୍ତାନର ରଣନୀତି ଫେଲ୍ ମାରିଛି । ଭାରତର ପ୍ରାୟ ୬୦ରୁ ୭୦ ପ୍ରତିଶତ ସାମରିକ ଉପକରଣ (ସୁଖୋଇ-୩୦, ଏସ୍-୪୦୦, ସବ୍ମାରିନ) ରୁଷ ନିର୍ମିତ । ଏହି ଚୁକ୍ତି ଦ୍ୱାରା ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ସଞ୍ଚାଳନ ଅଧିକ ସହଜ ହୋଇଯିବ, ଯାହା ଭାରତର ସାମରିକ ଶକ୍ତିକୁ କାହିଁକି ଗୁଣା ବଢ଼ାଇ ଦେବ ।
ଆଧୁନିକ ଯୁଦ୍ଧ କୌଶଳରେ ସହଯୋଗ:
ଏହି ଚୁକ୍ତି କେବଳ ସୈନ୍ୟ ମୁତୟନ ମଧ୍ୟରେ ସୀମିତ ନାହିଁ । ଏବେ ଦୁଇ ଦେଶର ସେନା ସାଇବର ଯୁଦ୍ଧ, ଇଲେକ୍ଟ୍ରୋନିକ ଯୁଦ୍ଧ କୌଶଳ, ହାଇପରସୋନିକ୍ ମିସାଇଲ୍ ଟେକ୍ନୋଲୋଜି ଉପରେ ମିଳିତ ଭାବେ କାମ କରିବେ । କେବଳ ସେତିକି ନୁହେଁ, ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ଶକ୍ତି ଏବଂ ଖଣିଜ ବ୍ୟବସାୟ ମଧ୍ୟ ଅଧିକ ସରଳ ହେବ । ଦିଲ୍ଲୀର ସେଣ୍ଟର ଫର୍ ଏୟାର ପାୱାର ଷ୍ଟଡିଜ୍ ଅନୁଯାୟୀ, ଏହି ‘RELOS’ ଚୁକ୍ତି ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଶକ୍ତି ସନ୍ତୁଳନ ବଜାୟ ରଖିବାରେ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହେବ । ଏହା ପ୍ରମାଣିତ କରୁଛି ଯେ ବିଶ୍ୱ ଯେତେ ବଦଳିଲେ ବି ଭାରତ ଓ ରୁଷର ବନ୍ଧୁତା ଅତୁଟ ରହିଛି ।
ଆହୁରି ପଢ଼ନ୍ତୁ... ଯୁଦ୍ଧବିରତି ପରେ ବି ଖୋଲିବନି ହୋର୍ମୁଜ ! ସମୁଦ୍ର ମଝିରେ ବିଛା ହୋଇଛି ମରଣଯନ୍ତା, ଆକାଶଛୁଆଁ ହେବ ପେଟ୍ରୋଲ-ଡିଜେଲ ଦର