ବିଶାଖାପାଟଣା: ମହିଳା ବିଶ୍ବକପ୍ ୨୦୨୫ରେ ଭାରତୀୟ ଟିମ୍ ଦମଦାର ପ୍ରଦର୍ଶନ ଜାରି ରଖିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଭାରତୀୟ ଦଳ ୨୫୧ ରନ୍ କରିଛି । ଦକ୍ଷିଣ ଆଫ୍ରିକାକୁ ୨୫୨ ରନ୍ ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଓ୍ବିକେଟ କିପର ରିଚା ଘୋଷ ବିସ୍ଫୋରକ ବ୍ୟାଟିଂ କରି ୯୪ ରନ୍ କରିଛନ୍ତି ।ଏହି ସମୟରେ ସେ ୧୧ ଚୌକା ଏବଂ ୪ ଛକା ମାରିଛନ୍ତି । ଗୋଟିଏ ସମୟରେ ଟିମ୍ ଇଣ୍ଡିଆ ୨୦୦ ରନ୍ କରିପାରିବ କି ନାହିଁ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଦଳ ୪୯.୫ ଓଭରରେ ୧୦ ଓ୍ବିକେଟ ଖର୍ଚ୍ଚ କରି ୨୫୧ ରନର ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି ।
ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୪୯.୫ ଓଭରରେ ୨୫୧ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ୧୦୨ ରନରେ ୬ ୱିକେଟ୍ ହରାଇଥିଲା। ଏହା ପରେ ରିଚା ଘୋଷ ୭୭ ବଲରୁ ୯୪ ରନ୍ କରି ଦଳକୁ ଭଲ ସ୍କୋର କରିବାରେ ସହାୟକ ହୋଇଛନ୍ତି । ରିଚା ଅମନଜୋତ କୌରଙ୍କ ସହିତ ୭ମ ୱିକେଟ୍ ପାଇଁ ୫୧ ରନ୍ ଏବଂ ସ୍ନେହ ରାଣାଙ୍କ ସହିତ ୮ମ ୱିକେଟ୍ ପାଇଁ ୮୮ ରନ୍ ଭାଗୀଦାରୀ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ କ୍ଲୋଏ ଟ୍ରାୟନ୍ ୩ ୱିକେଟ୍ ନେଇଛନ୍ତି।
ସେପଟେ ସ୍ମୃତି ମନ୍ଧାନା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ODIରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସେ ଅଷ୍ଟମ ଓଭରର ପ୍ରଥମ ବଲରେ ଛକା ମାରି ଚଳିତ ବର୍ଷ ୯୭୨ ରନ ସଂଗ୍ରହ କରିଛନ୍ତି । ସେ ୨୩ ରନ କରି ଆଉଟ ହୋଇଥିଲେ। ମନ୍ଧାନା ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଲାର୍କଙ୍କ ୨୮ ବର୍ଷର ପୁରୁଣା ୯୭୦ ରନ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।