ନୂଆଦିଲ୍ଲୀ,୦୮/୦୬: କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଲିଗାଲ ମେଟାଲର୍ଜି ଫ୍ରେମୱାର୍କ ଅଧିନରେ ଖାଇବା ତେଲ ଲାଗି ଷ୍ଟାଣ୍ଡାର୍ଡ ପ୍ୟାକ୍ ଆକାରକୁ ଅନିବାର୍ଯ୍ୟ କରିଛି । ଭିନ୍ନ ଭିନ୍ନ ବ୍ରାଣ୍ଡ୍ର ଖାଇବା ତେଲ କ୍ଷେତ୍ରରେ ମୂଲ୍ୟର ତୁଳନା କରିବା ଏବଂ ଠିକ୍ ନିଷ୍ପତ୍ତି ନେବାରେ ଏହା ଗ୍ରାହକଙ୍କ ଲାଗି ସହାୟକ ହେବ । ଏଥିଲାଗି ବିଭାଗ ନେଟ୍ ପରିମାଣ ଏବଂ ଷ୍ଟାଣ୍ଡାର୍ଡ ପ୍ୟାକ୍ ସାଇଜ୍ ନିଷ୍ପତ୍ତି ଲାଗି ଏସ୍ଓପିରେ ପରିବର୍ତ୍ତନ କରିଛି । ଖାଇବା ତେଲ କମ୍ପାନି ଏବଂ ଆମଦାନିକାରୀ ଏହି ନିୟମ ପାଳନ କରିବା ଲାଗି ୩ ମାସର ସମୟ ଦିଆଯାଇଛି ।
ଏସ୍ଓପି ମୁତାବକ, ଦେଶର ଖାଇବା ତେଲ ବ୍ରାଣ୍ଡ୍ ଗୁଡିକ ୯ ଷ୍ଟାଣ୍ଡାର୍ଡ ପ୍ୟାକ୍ ସାଇଜ୍ରେ ଉପଲବ୍ଧ କରାଯିବ । ଏହି ନିୟମ ପାମ୍ ଅଏଲ, ସୋୟାବିନ, ସୂର୍ଯ୍ୟମୁଖୀ, ସୋରିଷ, ବାଦାମ, ରାଇସ୍ବ୍ରାନ, ରାଶି, କଟନ୍ସିଡ୍ ଏବଂ କର୍ଣ୍ଣ ଅଲଏ କ୍ଷେତ୍ରରେ ଲାଗୁ ହେବ । ଏହବାଦ ନିୟମ ମିଶ୍ରିତ ଖାଇବା ତେଲ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ । ଖାଇବା ତେଲ ୨୦୦ ମିଲିଗ୍ରାମ, ୫୦୦ ମିଲି, ୧ ଲିଟର, ୨ ଲିଟର, ୩ ଲିଟର, ୪ ଲିଟର, ୫ ଲିଟର, ୧୫ ଲିଟର ଏବଂ ୨୦ ଲିଟରରେ ମିଳିବ । ସେହିଭଳି ପ୍ୟାକେଟରେ କେତେ ତେଲ ରହିଛି ତାହା ମଧ୍ୟ ସ୍ପଷ୍ଟ ଭାବେ ଦେଖାଇବାକୁ ହେବ ।
ଦେଶରେ ଉତ୍ପାଦିତ ଏବଂ ବିଦେଶରୁ ଆମଦାନି ହେଉଥିବା ଖାଇବା ତେଲ କ୍ଷେତ୍ରରେ ସମାନ ନିୟମ ଲାଗୁ ହେବ । ଛୋଟ ପ୍ୟାକେଟ ଲାଗି ସରକାର ନିୟମରେ କିଛିଟା କୋହଳ କରିଛନ୍ତି । ୨୦୦ ମିଲି ବା ୨୦୦ ଗ୍ରାମରୁ କମ୍ ଓଜନ ବିଶିଷ୍ଟ ପ୍ୟାକେଟ ଗୁଡିକୁ ଷ୍ଟାଣ୍ଡାର୍ଡ ପ୍ୟାକ୍ ସାଇଜ୍ ନିୟମରୁ ବାହାରେ ରଖାଯାଇଛି । ସେହିଭଳି କମ୍ ବ୍ୟବହାର ହେଉଥିବା ତେଲ ଗୁଡିକୁ ଏହି ନିୟମ ବହି ର୍ଭୂତ କରାଯାଇଛି । ତ୍ୱରିତ ଭିତ୍ତିରେ ନୂଆ ନିୟମ ଆପଣାଇବାକୁ ଚାହୁଁଥିବା କମ୍ପାନି ଏହାକୁ ଆପଣାଇପାରିବେ । ୯୦% ଶିଳ୍ପ ପ୍ରତିନିଧିଙ୍କ ସହମତିରେ ଏହି ନିଷ୍ପତ୍ତି ହୋଇଛି । ଇଣ୍ଡିଆନ ଭେଜିଟେବୁଲ ପ୍ରଡ୍ୟୁସର୍ସ ଆସୋସିଏସନ ଅଧ୍ୟକ୍ଷ ସୁଧାକର ଦେଶାଇ ସରକାରଙ୍କ ଏହି ନିୟମକୁ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ସବୁ କମ୍ପାନିଙ୍କ ସମାନ ସୁଯୋଗ ମିଳିବ ବୋଲି ସେ କହିଛନ୍ତି । ପ୍ୟାକେଟ୍ ସାଇଜ୍ ଠିକ ନ ରହିବା ଯୋଗୁ ଶିଳ୍ପ ଉପରେ ଏହାର ପ୍ରଭାବ ରହୁଥିଲା ।
ଅଧିକ ପଢ଼ନ୍ତୁ :- AC, ଗୀଜର ଓ ଇଣ୍ଡକସନ୍ ଏକାଠି ଚଲାଇଲେ ଫାଟିଯିବ କି ମିଟର ? ଜାଣନ୍ତୁ ଗୁଜବ ପଛର ଅସଲ ସତ...