ନୂଆଦିଲ୍ଲୀ ୨୧/୦୨: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ବୈଠକରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ବୈଠକରେ ପାକ୍‌ କାଶ୍ମୀର ପ୍ରସଙ୍ଗ ଉଠାଇ ହଟହଟା ହୋଇଛି । ଆମେରିକା, ଇରାନ,  ଭାରତ, ବ୍ରିଟେନ୍‌ ଓ ଜର୍ମାନୀ ଭଳି ରାଷ୍ଟ୍ର ଏହାକୁ ତୀବ୍ର ସମାଲୋଚନା କରିବା ସହ ଏହାକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ ବିବେଚନା କରିଛନ୍ତି । 

ବୁଧବାର ନ୍ୟୁୟର୍କରେ  ଅନୁଷ୍ଠିତ ଜାତିସଂଘ ସାଧାରଣ ସଭାର ୭୯ତମ  ଅଧିବେଶନରେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା  ବିଦେଶ ମନ୍ତ୍ରୀ ମହମ୍ମଦ ଇଶାକ୍‌ ଦାର୍‌ ୨୦ ମିନିଟରୁ  ଅଧିକ ସମୟ ଧରି ଭାଷଣ ଦେଇଥିଲେ । ଏଥିରେ ସେ  ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଧାରା ୩୭୦କୁ  ପୁନର୍ବାର ଲାଗୁ କରାଯିବା ଆବଶ୍ୟକ ବୋଲି ଦାବି  କରିଥିଲେ । ଏହାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା  ରଖିଥିଲା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି  ହରିଶ ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ କହିବା  ସହ ଏହା ସୀମାପାର ଆତଙ୍କବାଦରେ ସବୁବେଳେ  ଜଡ଼ିତ ରହୁଥିବା କହିଥିଲେ ।

 ଏମିତି କି ଜମ୍ମୁ-କାଶ୍ମୀର  ପ୍ରସଙ୍ଗରେ ଏହା ଭୁଲ ତଥ୍ୟ ଦେଇ ବିଶ୍ୱକୁ ଭୁଆଁ ବୁଲାଉଥିବା ବି ସେ ଅଭିଯୋଗ କରିଥିଲେ । ସେହିଭଳି  ଆମେରିକା, ଇରାନ, ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନ୍‌ ଭଳି  ଦେଶ ପାକିସ୍ତାନ ବିରୋଧରେ ଆତଙ୍କବାଦକୁ ସମର୍ଥନ  ଦେବା ଓ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଉଥିବା  ଅଭିଯୋଗ କରିଥିଲେ । ଫଳରେ ପାକ୍‌ ବିଦେଶ ମନ୍ତ୍ରୀଙ୍କୁ  ବୈଠକରେ ହଟହଟା ହେବାକୁ ପଡ଼ିଥଲା।