ନୂଆଦିଲ୍ଲୀ,୨୬/୦୧: ରୁଷ ତେଲ କିଣାକୁ ନେଇ ଭାରତ ଉପରେ ୫୦% ଟାରିଫ ଲଗାଇଛି ଆମେରିକା । ବିଶ୍ୱ ବଜାରର ଅନିଶ୍ଚିତତା ଏବଂ ଟାରିଫ ଯୁଦ୍ଧ ମଧ୍ୟରେ ଭାରତ ବିନିର୍ମାଣ କ୍ଷେତ୍ରର ଉନ୍ନତିକରଣ ସହ ୨୦୩୫ ରପ୍ତାନିକୁ ୩ ଗୁଣା ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ପ୍ରକ୍ରିୟା ସହ ଜଡିତ ଜଣେ ସରକାରୀ ଅଧିକାରି କହିଛନ୍ତି, ୧୫ଟି କ୍ଷେତ୍ରରେ ବିନିର୍ମାଣ ବୃଦ୍ଧି ଯୋଜନା ରହିଛି । ଏଥିରେ ହାଇଏଣ୍ଡ ସେମିକଣ୍ଡକ୍ଟର, ଧାତବ ଏବଂ ଶ୍ରମିକ କୈନ୍ଦ୍ରିକ ଶିଳ୍ପ କ୍ଷେତ୍ର ସାମିଲ ରହିଛି ।
ଏହା ଦ୍ୱାରା ଦେଶର ଅଭିବୃଦ୍ଧିକୁ ବଳ ଦେବା ଏବଂ ରପ୍ତାନିକୁ ୧.୩ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଦେଶର ଜିଡିପିକୁ ବିନିର୍ମାଣ କ୍ଷେତ୍ରର ଅଂଶ ୨ ଗୁଣ କରିବା ଦିଗରେ ଲକ୍ଷ୍ୟ ଏବେ ଯାଏ ପୂରଣ ହୋଇନି । ୨୦୨୪ରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଏବଂ ୨୦୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ସରକାର ବିନିର୍ମାଣ କ୍ଷେତ୍ରକୁ ଦୃଢ଼ କରିବା ଲାଗି ୨୩ ବିଲିୟନ ଡଲାରର ପ୍ୟାକେଜ ପ୍ରଦାନ କରିଥିଲେ ।
ଅଧିକାରୀ ଜଣକ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟରେ ରଣନୀତିକୁ ଦୃଢ଼ କରାଯିବ । ଏ ଦିଗରେ ବିସ୍ତୃତ ଭାବେ ଅଧ୍ୟୟନ କରିବା ଲାଗି ସରକାର ଏକ କମିଟି ଗଠନ କରିଛନ୍ତି । ବଡ ପ୍ରକଳ୍ପ ଲାଗି ତ୍ୱରିତ ମଞ୍ଜୁରି, ଜମି ଯୋଗାଣ, ଫାଇନାନ୍ସ ଉପଲବ୍ଧତା ଉପରେ କମିଟି ବିଚାର କରିବ । ଭିତ୍ତିଭୂମି, ଭୌଗୋଳିକ ସୁବିଧା ଏବଂ ବନ୍ଦର ଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖାଯିବ । ସେହିଭଳି ବିନିର୍ମାଣ ହବ୍ ଲାଗି ସୁଲଭ ବିଜୁଳି ଯୋଗାଣ ଉପରେ ଫୋକସ କରାଯିବ । ୩୦ ବିନିର୍ମାଣ ହବ୍ କ୍ଷେତ୍ରରେ ନିବେଶ କରିବେ କେନ୍ଦ୍ର ସରକାର । ସେହିଭଳି ସେମିକଣ୍ଡକ୍ଟର, ଏନର୍ଜି ଷ୍ଟୋରେଜ, ଆଡଭାନ୍ସ ୟୁରିଆ ଭଳି କ୍ଷେତ୍ର ଲାଗି ମଧ୍ୟ ସରକାର ୨୧.୮ କୋଟି ଡଲାର ଗ୍ରାଣ୍ଟ ପ୍ରଦାନ କରିବେ ।
ଆମେରିକା ଉଚ୍ଚ ଟାରିଫ ଲଗାଇବା ପରେ ସେଠାକୁ ଏବେ ରପ୍ତାନି ବଡ ମାତ୍ରାରେ ପ୍ରଭାବିତ ହୋଇଛି । ଭାରତ ଏହାର ରପ୍ତାନି ବାସ୍କେଟକୁ ବିସ୍ତୃତ କରିବା ସହ ଆମେରିକା ବାହାରେ ଅନ୍ୟ ଦେଶ ଗୁଡ଼ିକ ଉପରେ ଫୋକସ କରୁଛି । ଏଥିଲାଗି ଏବେ ବିଭିନ୍ନ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ହେଉଛି । ୟୁରୋପୀୟ ସଂଘ ସହ ଭାରତ ଏଫ୍ଟିଏ କରିବ । ଏହା ଦେଶ ଲାଗି ବେଶ ଲାଭକାରି ହେବ ବୋଲି କୁହାଯାଉଛି ।