ନୂଆଦିଲ୍ଲୀ: ଭାରତରେ ରୋଜଗାରିଆଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ଆଗକୁ ସାରା ବିଶ୍ୱର ଶ୍ରମ ବଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତୀୟ ଶ୍ରମବଳକୁ ନେଇ ଏଭଳି କିଛି ଶୁଭ ଖବର ଦେଇଛି ଆଞ୍ଜେଲ ୱାନ ୱେଲ୍ଥ ନାମକ ଏକ ସଂସ୍ଥା। ସଂସ୍ଥା ଗବେଷଣା କରି କହିଛି ୨୦୩୦ରୁ ୨୦୫୦ ମଧ୍ୟରେ ସମଗ୍ର ବିଶ୍ୱର ମୋଟ ଶ୍ରମବଳରେ କେବଳ ଭାରତର ଅବଦାନ ୨୦ ପ୍ରତିଶତ ରହିବ। ସରଳ ଭାଷାରେ କହିବାକୁ ଗଲେ ଏହି ଅବଧି ମଧ୍ୟରେ ବିଶ୍ୱର ମୋଟ କର୍ମଜୀବୀଙ୍କ ସଂଖ୍ୟାରେ ୨୦ ପ୍ରତିଶତ କେବଳ ଭାରତର ହେବ। ହେଲେ ଚୀନର ଅବସ୍ଥା କିନ୍ତୁ ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି। ଆଗକୁ ଡ୍ରାଗନର ଶ୍ରମବଳ ଭୟଙ୍କର ଭାବେ ହ୍ରାସ ପାଇବ।
ସବୁଠାରୁ ବଡ଼ କଥା ହେଉଛି ଭାରତ ଉଚ୍ଚ ଆୟକାରୀ ପରିବାରଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଆଞ୍ଜେଲୱାନ ୱେଲ୍ଥ ସଂସ୍ଥାର ଗବେଷଣା ରିପୋର୍ଟ ଅନୁସାରେ, ୨୦୩୦ ସୁଦ୍ଧା ଦେଶରେ ଥିବା ଉଚ୍ଚ ଆୟକାରି ପରିବାରର ସଂଖ୍ୟା ତିନିଗୁଣ ବୃଦ୍ଧି ପାଇବ। ଉଚ୍ଚ ଆୟକାରି ପରିବାରର ସଂଖ୍ୟାରେ ଆଶାତୀତ ଅଭିବୃଦ୍ଧି ଯୋଗୁଁ ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଉଚ୍ଚ ଆୟକାରୀ ପରିବାର ସଂଖ୍ୟା ବଢ଼ିଲେ ସ୍ୱାଭାବିକ ଭାବେ ନିମ୍ନାଆୟକାରୀ ପରିବାର ସଂଖ୍ୟା କମିବ। ରିପୋର୍ଟ ଅନୁସାରେ, ଦେଶରେ ୨୦୧୮ ମସିହାରେ ଥିବା ୪୩ ପ୍ରତିଶତ ସ୍ୱଳ୍ପ ଆୟକାରି ପରିବାରର ସଂଖ୍ୟା ୨୦୩୦ ସୁଦ୍ଧା ୧୫ ପ୍ରତିଶତକୁ ଖସି ଆସିବ।
କେବଳ ଯେ ପାରିବାରିକ ଆୟ ବଢୁଛି ତାହା ନୁହେଁ, ଦେଶର ଜିଡିପି ଅନୁପାତରେ ପାରିବାରିକ ଋଣ ବି ବହୁତ କମ ରହିଛି, ଯାହା ଦେଶର ଅର୍ଥନୀତି ପାଇଁ ଶୁଭ ସଂକେତ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ଯୁବ ଜନସଂଖ୍ୟା ମଧ୍ୟ ଏହି ଅର୍ଥନୈତିକ ବୈପ୍ଳବିକ ପରିବର୍ତ୍ତନର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଭାରତରେ ବାସ କରୁଥିବା ଯୁବଗୋଷ୍ଟୀଙ୍କ ହାରାହାରି ବୟସ ୨୯ ରହିଛି। ଅଧିକ ଯୁବ ଜନସଂଖ୍ୟା ଥିବାର କର୍ମବଳ ଅଧିକ ରହିଛି ଓ ନିର୍ଭରଶୀଳତା କମ ରହିଛି। କିନ୍ତୁ ଚୀନ ଓ ୟୁରୋପରେ ସ୍ଥିତି ଓଲଟା ଦେଖିବାକୁ ମିଳିଛି। ଏଠାରେ ଡିପେଣ୍ଡେନ୍ସି ବା ନିର୍ଭରଶୀଳାତ ବଢ଼ୁଥିବା କାରଣରୁ ଏହି ଦେଶଗୁ଼ଡ଼ିକ ଆଗକୁ ବଡ଼ ଅର୍ଥନୈତିକ ଚ୍ୟାଲେଞ୍ଜ୍ ଦେଖା ଦେଇପାରେ ବୋଲି ଆଞ୍ଜେଲ ୱାନ ସଂସ୍ଥା କହିଛି।
ମଜଭୁତ ଅର୍ଥନୀତି ପାଇଁ ଖର୍ଚ୍ଚର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଆପଣ ଜାଣି ଖୁସି ହେବେ ଯେ ଭାରତୀୟମାନେ ଅନୁଚିତ ଖର୍ଚ୍ଚ ବଦଳରେ ଉଚିତ ଖର୍ଚ୍ଚ କରୁଛନ୍ତି। କାରଣ ଦେଶର ଜନସଂଖ୍ୟା ଅନୁପାତ ଠାରୁ ପରିବାର ସଂଖ୍ୟା ଅନୁପାତ ବଢ଼ୁଥିବାର ଖର୍ଚ୍ଚ ମଧ୍ୟ ଉଚିତ ହେଉଛି। ଯାହା ଦେଶକୁ ଏକ ଉତ୍ତମ ଖର୍ଚ୍ଚ ଶୈଳୀ ଆଡ଼କୁ ଅଗ୍ରସର କରାଉଛି। ଏଥିରେ ଭାରତୀୟ ପରିବାରର ସମୃଦ୍ଧି ପରିଲଖିତ ହେଉଛି। ଅନ୍ୟପଟେ ଟ୍ୟାକ୍ସ କଲେକ୍ସନ ବିଷୟରେ ଯଦି ବିଚାର କରାଯାଏ ତେବେ ରିପୋର୍ଟରେ ଏନେଇ ମଧ୍ୟ ସବୁଜ ସଂକେକ ମିଳିଛି।
ରିପୋର୍ଟ ଅନୁସାରେ, ୨୦୨୧ ଠାରୁ ବ୍ୟକ୍ତିଗତ ଆୟ କର କର୍ପୋରେଟ କର ଠାରୁ ବଢ଼ିଛି। ଏଥିରୁ ଜଣାପଡ଼ିଛି ଯେ ଦେଶର ଅର୍ଥନୀତି ମଜଭୁତ କରିବା ଦିଗରେ ଦେଶର ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଦେଶର ଦ୍ରୁତ ଆୟ ଅଭିବୃଦ୍ଧି, ସ୍ୱଳ୍ପ ଘରୋଇ ଋଣ ଏବଂ ଯୁବ କର୍ମଜୀବୀଙ୍କ ଉତ୍ତମ ସ୍ଥିତି ଭାରତକୁ ଏ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବରେ ସ୍ଥାନିତ କରିଛି। ଯାହା ଆଗାମୀ ଦଶନ୍ଧି ମଧ୍ୟରେ କେବଳ ଘରୋଇ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅଭିବୃଦ୍ଧି କରିବ ବୋଲି ଆଞ୍ଜେଲ ୱାନ ୱେଲ୍ଥ କହିଛି।