ନୂଆଦିଲ୍ଲୀ,୦୪/୧୧: ଇଣ୍ଡିଆ ଟୁଡେ ପକ୍ଷରୁ ଭାରତର ହାଇ ଆଣ୍ଡ ମାଇଟି ଲିଷ୍ଟ-୨୦୨୪  ପ୍ରକାଶ ପାଇଛି । ଏଥିରେ ଭାରତର ମୋଟ ୧୧୦  ଜଣ ପ୍ରଭାବଶାଳୀ ବ୍ୟକ୍ତି ସ୍ଥାନ ପାଇଛନ୍ତି । ରାଜନେତା, ପ୍ରଶାସକ, ଉଦ୍ୟୋଗପତି,  ଆଇକନିକ, କ୍ରୀଡାବିତ୍‌ ଓ କଳାକାର ଆଦି ୧୧ ଭିନ୍ନ ଭିନ୍ନ ବର୍ଗରେ ୧୦ ଜଣ ଲେଖାଏ  ପ୍ରମୁଖ ବ୍ୟକ୍ତି ରହିଛନ୍ତି । ଚଳିତଥର ଏଥିରେ  ଇନ୍‌ଭେଣ୍ଟର ଓ ଇନଫ୍ଲଏନ୍ସର ଦୁଇଟି ବର୍ଗକୁ ଯୋଡାଯାଇଛି । ଏହି ତାଲିକାରେ ଓଡ଼ିଶାର ଦୁଇ ପ୍ରଶାସକ ଯଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର  ପି.କେ ମିଶ୍ର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର  ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ଥାନ ପାଇଛନ୍ତି । 

ରାଜନେତା ତାଲିକାରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଲିକାର  ପ୍ରଥମ ସ୍ଥାନରେ ରହିଥିଲା ବେଳେ ଦ୍ୱିତୀୟରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ରହିଛନ୍ତି । ଏହା ତଳକୁ ଯଥାକ୍ରମେ ସ୍ୱରାଷ୍ଟ୍ରମନ୍ତ୍ରୀ  ଅମିତ ଶାହ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌  ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ  କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ  ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ  ରହିଛନ୍ତି । 

ସେହିଭଳି ପ୍ରଭାବଶାଳୀ ପ୍ରଶାସକଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଆରବିଆଇ  ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ, ଇଡି ନିର୍ଦ୍ଦେଶକ  ରାହୁଲ ନବୀନ ଏବଂ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ  ସୁଦ । ଏମାନେ ଭାରତର ପ୍ରଶାସନିକ ଢ଼ାଞ୍ଚାକୁ ବଳ ଦେଇଛନ୍ତି । ଡକ୍ଟର ମିଶ୍ର ବିଭିନ୍ନ ମନ୍ତ୍ରଣାଳୟର  ନୀତି ପ୍ରସ୍ତୁତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା  ବେଳେ ଦେଶର ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ  କରିବାରେ ଦାସଙ୍କ ବଡ ଅବଦାନ ରହିଛି । ପ୍ରଭାବଶାଳୀ ତାଲିକାରେ ସ୍ଥାନ ପାଇଥିବା  ଉଦ୍ୟୋଗପତିଙ୍କ ମଧ୍ୟରେ ଅଛନ୍ତି ମୁକେଶ  ଅମ୍ବାନି, ସଜ୍ଜନ ଜିନ୍ଦଲ, କୁମାର ମଙ୍ଗଳମ  ବିର୍ଲା, ଏନ୍‌ ନଟରାଜନ, ସୁନୀଲ ଭାରତି ମିତ୍ତଲ  ଏବଂ ଗୌତମ ଆଦାନି । 

ଆଇକନିକ ବର୍ଗରେ  କ୍ରିକେଟର ସଚିନ ତେନ୍ଦୁଲକର ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ ସ୍ଥାନ ପାଇଥିଲା  ବେଳେ ଫିଲ୍ମ ତାରକା ମେଗାଷ୍ଟାର ଅମିତାଭ  ବଚ୍ଚନ ଓ ସାଉଥଷ୍ଟାର ରଜୀନିକାନ୍ତ ରହିଛନ୍ତି । ସେହିଭଳି ମାରୁତି ସୁଜୁକି ଅଧ୍ୟକ୍ଷ ଆର.ସି ଭାର୍ଗବ,  ଇନଫୋସିସି ପ୍ରତିଷ୍ଠାତା ଏନ.ଆର ନାରାୟଣମୂର୍ତ୍ତି,  ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ମହିନ୍ଦ୍ରା ଗ୍ରୁପ  ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଶାସ୍ତ୍ରୀୟ ବଂଶୀ ବାଦକ  ପଣ୍ଡିତ ହରିପ୍ରସାଦ ଚୌରାସିଆ ଓ ୱିପ୍ରୋ ଅଧ୍ୟକ୍ଷ  ଅଜିମ ପ୍ରେମଜୀ ପ୍ରମୁଖ ଆଇକନିକ ବର୍ଗରେ  ସାମିଲ ଅଛନ୍ତି । କ୍ରୀଡାବିତ୍‌ଙ୍କ ମଧ୍ୟରେ ଏମ୍‌.ଏସ୍‌ ଧୋନୀ, ରୋହିତ ଶର୍ମା, ନୀରଜ ଚୋପ୍ରା ଓ ମନୁ  ଭାକର ସ୍ଥାନ ପାଇଥିଲା ବେଳେ ଫିଲ୍ମ କଳାକାର  ଭାବେ ଶାହରୁଖ ଖାନ, ଆଲିୟା ଭଟ୍ଟ ଓ ଦିଲ୍‌ଜିତ  ଦୋସାନ୍‌ଜଙ୍କୁ ସ୍ଥାନ ମିଳିଛି ।