ନୂଆଦିଲ୍ଲୀ,୧୬/୦୨: ଭାରତ-ବ୍ରିଟେନ ବାଣିଜ୍ୟ ଚୁକ୍ତି ଚଳିତ ବର୍ଷ ଏପ୍ରିଲରୁ ଲାଗୁ ହୋଇପାରେ । ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଭାରତ ଏବଂ ବ୍ରିଟେନ ୨୦୨୫ ଜୁଲାଇରେ କମ୍ପ୍ରିହେନସିଭ ଇକୋନୋମିକ ଆଣ୍ଡ୍ ଟ୍ରେଡ୍ ଏଗ୍ରିମେଣ୍ଟ (ସିଇଟିଏ) ଘୋଷଣା କରିଥିଲେ । ଏହା ଜରିଆରେ ୯୯% ଭାରତୀୟ ସାମଗ୍ରୀ ବ୍ରିଟେନ ବଜାରରେ ଶୂନ ଟାରିଫ୍‌ରେ ପ୍ରବେଶ କରିବ । ଏହା ସହ ଭାରତ ବ୍ରିଟେନର କାର ଏବଂ ହ୍ୱିସ୍କି ସମେତ ବିଭିନ୍ନ ସାମଗ୍ରୀ ଉପରେ ଟାରିଫ ହ୍ରାସ କରିବ । ଏହି ଚୁକ୍ତି ଲାଗୁ ହେବା ପୂର୍ବରୁ ବ୍ରିଟେନ ସଂସଦରେ ଏହାର ଅନୁମୋଦନ ଲୋଡା ରହିଛି ।

ଆହୁରି ପଢ଼ନ୍ତୁ :- ଦୁବାଇ, କୁଏତ୍ ସାଉଦି ଆରବରେ ଚାକିରି ଖୋଜୁଛନ୍ତି କି? ଜାଣିରଖନ୍ତୁ ଆପଣଙ୍କ ପାଖରେ ଏହି ୫ ଦକ୍ଷତା ଅଛି କି ନାହିଁ...

ଏହି ଚୁକ୍ତିକୁ ଭାରତରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି । ବ୍ରିଟେନ ସଂସଦର ସବୁଜ ସଙ୍କେତ ପରେ ଉଭୟ ଦେଶର ସହମତିରେ ହୋଇଥିବା ଧାର୍ଯ୍ୟ ତାରିଖରେ ଏହାକୁୂ ଲାଗୁ କରାଯିବ । ଚଳିତ ସପ୍ତାହରେ ହାଉସ ଅଫ୍ କମନ୍ସ ଭାରତ ୟୁକେ ବାଣିଜ୍ୟ ଚୁକ୍ତି ଉପରେ ଚର୍ଚ୍ଚା ହେବ ।

ବ୍ରିଟେନର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ କ୍ରିସ ବ୍ରାଏଣ୍ଟ ଏହା ଉପରେ ବିବୃତ୍ତି ରଖିବେ । ଏହା ଉଭୟ ଦେଶ ଲାଗି ବାଣିଜ୍ୟର ନୂଆ ସମ୍ଭାବନା ଖୋଲିବ । ଉଭୟ ହାଉସ ଅଫ୍ ଲର୍ଡସ ଏବଂ ହାଉସ ଅଫ୍ କମନ୍ସରେ ଏହି ଚୁକ୍ତି ଉପରେ ଆଲୋଚନା ନେଇ ବ୍ରିଟେନ ଦିନ ଧାର୍ଯ୍ୟ କରିଛି । କମିଟିର ତର୍ଜମା ପରେ ଏହାକୁ କାର୍ଯ୍ୟକାରୀ କରାଯିବ । ସିଇଟିଏ ବାଦ ଉଭୟ ଦେଶ ଡବଲ କଣ୍ଟ୍ରିବ୍ୟୁଶନ କନଭେନସନ (ଡିସିସି) ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛନ୍ତି । ଫଳରେ ଉଭୟ ଦେଶର ଅସ୍ଥାୟୀ କର୍ମଚାରୀ ମାନେ ସାମାଜିକ ସୁରକ୍ଷା ଦେୟ ପ୍ରଦାନରୁ ମୁକ୍ତ କରାଯିବ । ସମାନ୍ତରାଳ ଭାବେ ସିଇଟିଏ ଏବଂ ଡିସିସିକୁ କାର୍ଯ୍ୟକାରୀ କରାଯିବ । ସିଏଟିଏ ଜରିଆରେ ବର୍ତ୍ତମାନର ୫୬ ବିଲିୟନ ଡଲାର ଦ୍ୱିପାକ୍ଷିକ କାରବାରକୁ ୨୦୩୦ ସୁଦ୍ଧା ଦୁଇ ଗୁଣ କରିବା ଲକ୍ଷ୍ୟ ରଖାଯାଇଛି । ଏହି ଚୁକ୍ତି ଜରିଆରେ ଭାରତ ସ୍କଟିସ ହ୍ୱିସ୍କି ଉପରେ ଆମଦାନି ଟାରିଫକୁ ୧୫୦%ରୁ ୭୫%କୁ ହ୍ରାସ କରିବ । ୨୦୩୫ ବେଳକୁ ଏହା ୪୦% ହ୍ରାସ ହେବ ।

ଆହୁରି ପଢ଼ନ୍ତୁ :- ପାହାଡ଼ ଖୋଳି ପରମାଣୁ ଠିକଣା ତିଆରି କରିଛି ଚୀନ, ସାଟେଲାଇଟ୍ ଫଟୋରୁ ବଢିଲା ଟେନସନ୍

ସେହିଭଳି ଅଟୋମୋବାଇଲ ଉପରେ ଟାରିଫ ଆଗାମୀ ୫ ବର୍ଷରେ ୧୧୦%ରୁ ୧୦%କୁ କମିବ । ଅନ୍ୟପଟେ ଭାରତୀୟ ରପ୍ତାନିକାରୀମାନେ ବ୍ରିଟେନ ବଜାରରେ ବୟନ,ଫୁଟୱେୟାର, ଜେମ୍ସ, ଜୁଏଲେରି, କ୍ରୀଡା ସାମଗ୍ରୀ ଏବଂ ଖେଳଣା କ୍ଷେତ୍ରରେ ବଡ ସୁଯୋଗ ପାଇବେ ।