ନୂଆଦିଲ୍ଲୀ,୨୪/୦୧: ମିଳିତ ଜାତିସଂଘ ମାନବାଧିକାର ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଭାରତ ପୁଣି ଥରେ ନିଜର ସ୍ୱାଧୀନ ବୈଦେଶିକ ନୀତି ସହିତ ବିଶ୍ୱକୁ ଚକିତ କରିଛି । ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରବଳ ଚାପ ସତ୍ତ୍ୱେ, ଭାରତ ଇରାନ ବିରୋଧରେ ଆଗତ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛି । ବିଶ୍ୱ ମଞ୍ଚରେ ଇରାନକୁ ଖୋଲା ଖୋଲି ସମର୍ଥନ କରିଛି ଭାରତ । ଏହି ପଦକ୍ଷେପ ଭାରତ ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମ୍ପର୍କକୁ ପ୍ରତିଫଳିତ କରିଛି । ଜାନୁଆରୀ ୨୨ରେ ଅନୁଷ୍ଠିତ ଭୋଟ୍ରେ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟ ହସ୍ତକ୍ଷେପକୁ ସମର୍ଥନ କରେ ନାହିଁ ବୋଲି ଭାରତ ସ୍ପଷ୍ଟ କରିଥିଲା ।
ଜାତିସଂଘ ମାନବାଧିକାର ପରିଷଦର ୩୯ତମ ସ୍ୱତନ୍ତ୍ର ଅଧିବେଶନରେ ଏକ ବଡ଼ ଭୂରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଆଗତ ଇରାନ ମାନବାଧିକାର ପରିସ୍ଥିତିକୁ ନିନ୍ଦା କରୁତିବା ଏକ ପ୍ରସ୍ତାବରେ ଭାରତ ଖୋଲାଖୋଲି ଭାବରେ ତେହେରାନକୁ ସମର୍ଥନ କରିଛି । ଭାରତ କେବଳ ଏହି ପ୍ରସ୍ତାବକୁ ବିରୋଧ କରିନଥିଲା ବଂର 'ନୋ' ଭୋଟ୍ ଦେଇ ପାଶ୍ଚାତ୍ୟ ଦେଶକୁ ବିଶେଷ କରି ଆମେରିକା ଏବଂ ୟୁରୋପୀୟ ଦେଶ ମେଣ୍ଟକୁ ଆଶ୍ଚର୍ଯ୍ୟ କରିଥିଲା । ଭାରତ ତାର ପାରମ୍ପରିକ କୂଟନୈତିକ ମନୋଭାବରୁ ଓହରି ଭୋଟ ଦେବାରୁ ବିରତି ନେଇଥିଲା । ମାନବଧିକାର ପ୍ରସ୍ତାବ ଉପରେ ନିରପେକ୍ଷ ମନୋଭାବ ବଜାୟ ରଖିଥିଲେ ।
ପ୍ରସ୍ତାବ କଣ ଥିଲା ? ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଆଗତ ଏହି ପ୍ରସ୍ତାବ, ୨୮ ଡିସେମ୍ବର, ୨୦୨୫ରେ ଇରାନରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ ପ୍ରତିବାଦ ସହିତ ଜଡିତ ଥିଲା । ସେଥିରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗ କରାଯାଇଥିଲା । ଏହି ପ୍ରତିବାଦ ମୁଖ୍ୟତଃ ଇରାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଅର୍ଥନୈତିକ ସଙ୍କଟ ଓ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ହୋଇଥିଲା । ପ୍ରସ୍ତାବରେ ଇରାନ ସରକାରଙ୍କ ଦ୍ୱାରା ପ୍ରଦର୍ଶନକାରୀଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ ଓ ଗିରଫଦାରୀର ଅନ୍ତର୍ଜାତୀୟ ତଦନ୍ତ ଦାବି କରାଯାଇଥିଲା । ଏହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା।
୧୪ ଦେଶ ଭୋଟିଂରୁ ଦୂରେଇ ରହିଲେ
ଫ୍ରାନ୍ସ, ମେକ୍ସିକୋ ଓ ଦକ୍ଷିଣ କୋରିଆ ଭଳି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ଭାରତ ଓ ଚୀନ୍ ସମେତ ୭ଟି ଦେଶ ଏହାକୁ ଦୃଢ଼ ବିରୋଧ କରିଥିଲେ । ଏହା ବ୍ୟତୀତ, ୧୪ ଦେଶ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଏକ ସାଧାରଣ ମତ ବଜାୟ ରଖିଥିଲେ ତଥା ଭୋଟିଂ ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ଫଳରେ ପଶ୍ଚିମ ମେଣ୍ଟ ଆଶାତୀତ ସଫଳତାରୁ ବଞ୍ଚିତ ହୋଇଥିଲା । ଇରାନ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଓ ନିଜ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟ ହସ୍ତକ୍ଷେପ ବୋଲି କହି ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲା ।
ଭୋଟ ଗଣତି, କିଏ କାହା ସହିତ ?
ଭୋଟ ଦାନ ସମୟରେ ବିଧାନସଭା ହଲ ପରିବେଶ ବେଶ୍ ଉତ୍ତେଜନାପୂର୍ଣ୍ଣ ଥିଲା । ସ୍କ୍ରିନରେ ଫଳାଫଳ ସାରା ବିଶ୍ୱକୁ ବିଭକ୍ତ କରିଥିଲେ ।
ମୋଟ୍ ଭୋଟ୍ ଫଳାଫଳ
ପ୍ରସ୍ତାବ ସପକ୍ଷରେ ୨୫ ଭୋଟ୍
ଦୂରେଇ ରହିଲେ ୧୪ ଭୋଟ୍
ପ୍ରସ୍ତାବ ବିରୋଧରେ- ୭ ଭୋଟ୍
ଏହା ବି ପଢନ୍ତୁ...‘ମୋ ପାଇଁ ଇରାନ ଅଟକାଇଛି ୮ ଶହ କଏଦୀଙ୍କ ଫାଶୀ’…ଟ୍ରମ୍ପଙ୍କ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ୍, ବଦଳରେ ଶୁଣାଇଲା କଡା ଚେତାବନୀ…
ପାଶ୍ଚାତ୍ୟ ଚାପ ଆଗରେ ନଇଁଲାନି ଭାରତ
ଭାରତ କହିଥିଲା ମାନବାଧିକାର ଭଳି ପ୍ରସଙ୍ଗକୁ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ । ସମସ୍ତ ଦେଶଙ୍କୁ ସେମାନଙ୍କର ଆଭ୍ୟନ୍ତରୀଣ ବିବାଦ ସମାଧାନ ପାଇଁ ଏକ ନ୍ୟାୟସଙ୍ଗତ ସୁଯୋଗ ମିଳିବା ଉଚିତ। ଏହି ଭୋଟ ସହିତ, ଭାରତ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ନିଜର ବୈଦେଶିକ ନୀତି ନିଷ୍ପତ୍ତିରେ କୌଣସି ବାହ୍ୟ ଶକ୍ତି କିମ୍ବା ପାଶ୍ଚାତ୍ୟ ଚାପ ଆଗରେ ଦେଶ ମୁଣ୍ଡ ନୁଆଁଇବ ନାହିଁ ।