ନୂଆଦିଲ୍ଲୀ,୦୮/୦୬; ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ (ରବିବାର) ଘରୋଇ ଦଳ ୮/୫୬୪ରନ୍‌ରେ ପ୍ରଥମ ଇନିଂସ୍ ଘୋଷଣା କରିଥିଲା । ଜବାବରେ ଆଫଗାନିସ୍ତାନ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟରେ ସମ୍ମୁଖୀନ ହେବା ସହ ୫/୧୧୩ରନ୍ ସଂଗ୍ରହ କରିଛି । ପଦାର୍ପଣ ମ୍ୟାଚ ଖେଳୁଥିବା ମାନବ  ସୂତାର ଘାତକ ବୋଲିଂ କରି ୨୧ ରନ୍‌ ଦେଇ ୩ ୱିକେଟ୍ ହାସନ କରିଛନ୍ତି । ଷ୍ଟମ୍ପ ଅପସାରଣ ସୁଦ୍ଧା ରହମତ ଶାହ ୪୩ରନ୍ କରି ଅପରାଜିତ ରହିଛନ୍ତି । ଆଫଗାନିସ୍ତାନ ଆହୁରି ୪୫୧ରନ୍ ପଛୁଆ ରହିଛି । ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ୩/୩୬୮ ରନ୍‌ରେ ବ୍ୟାଟିଂ ଆରମ୍ଭ କରିଥିଲା । 

ପୂର୍ବ ଦିନରୁ ଶତକ ପୂରଣ କରି ଅପରାଜିତ ଥିବା ଶୁଭମନ ଗିଲ୍ ଓ ଅର୍ଦ୍ଧଶତକ ହାସଲ କରିଥିବା ରିଷଭ ପନ୍ତ ଦୃଢ଼ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୪୧୬ରେ ପହଞ୍ଚାଇ ଥିଲେ । ଗିଲ ୧୨୬ (୧୫ଚୌକା, ୧ଛକା) ରନ୍ କରି ପାଭିଲିୟନ ଫେରିଥିଲେ । ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ (୧୯) ନିରାଶ କରିଥିଲେ । ପନ୍ତଙ୍କ ନିକଟରେ ଶତକ ସୁଯୋଗ ରହିଥିଲେ ହେଁ ସେ ବେପରବାୟ ସଟ୍ ଖେଳି ୱିକେଟ୍ ଫିଙ୍ଗି ଦେଇଥିଲେ । ସେ ୬ଚୌକା ଓ ୩ଛକା ବଳରେ ୮୧ରନ୍ କରିଥିଲେ । ଏହାପରେ ୱାସିଂଟନ ସୁନ୍ଦର ନିମ୍ନକ୍ରମ ବ୍ୟାଟରଙ୍କୁ ସ୍କୋରକୁ ଆଗେଇ ନେଇଥିଲେ । ମାନବ ସୂତାର (୨୮) ଓ ମହମ୍ମଦ ସିରାଜ (୨୨) ଉପଯୋଗୀ ଇନିଂସ୍ ଖେଳିଥିଲେ । ସୁନ୍ଦର ଅର୍ଦ୍ଧଶତକ ପୂରଣ କରିବା ସହ କୁଲଦୀପଙ୍କୁ ସାଥୀ କରି ସ୍କୋରକୁ ୮/୫୬୪ରେ ପହଞ୍ଚାଇବା ପରେ ଭାରତ ପାଳି ଘୋଷଣା କରିଥିଲା । ସୁନ୍ଦର ଅପରାଜିତ ୫୨ (୫ଚୌକା, ୧ଛକା) ଓ କୁଲଦୀପ ଅପରାଜିତ ୯ରନ୍ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ ୬ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଆଫଗାନିସ୍ତାନ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସାମ୍ନା କରିଥିଲା । ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ନବାଗତ ସ୍ପିନର ସୂତାର ଘାତକ ବୋଲିଂ କରିଥିଲେ । ସୂତାର ଇନିଂସ୍‌ର ଷଷ୍ଠ ତଥା ନିଜର ପ୍ରଥମ ଓଭରରେ ଓପନର ଅବଦୁଲ ମଲିକଙ୍କୁ (୧୬) ପାଭିଲିୟନ ପଠାଇ ସ୍ୱତନ୍ତ୍ର ରେକର୍ଡ଼ କ୍ଲବ୍ରେ ସାମିଲ ହୋଇଥିଲେ । ଅଷ୍ଟମ ଭାରତୀୟ ଭାବେ ସେ ଟେଷ୍ଟ ପଦାର୍ପଣରେ ପ୍ରଥମ ଓଭରରେ ୱିକେଟ ନେବାରେ ସଫଳ ହୋଇଥିଲେ । ଏହାପରେ ଆଫଗାନିସ୍ତାନର ନିୟମିତ ୱିକେଟ୍ ପତନ ଘଟିଥିଲା । ସେଦିକୁଲ୍ଲା ଅଟଳ ୧୭, ରହମନୁଲ୍ଲା ଗୁରବାଜ ୧୨, ହସମତୁଲ୍ଲା ସାହିଦ ୨୦ ଓ ଅଫଜର ଜାଜାଇ ୩ରନ୍ କରି ପଛକୁ ପଛ ପାଭିଲିୟନ ଫେରିଥିଲେ । ଭାରତ ପକ୍ଷରୁ ସୂତାର ୩ଟି ଓ ପ୍ରସିଦ୍ଧ ୨ଟି ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ...ICCର ନିରପେକ୍ଷତାକୁ ନେଇ ଏମିତି କହିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର