ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରନ୍‌ ବର୍ଷ କଲା ଭାରତୀୟ କ୍ରିକେଟ ଟିମ୍‌ । ହାଇଦ୍ରାବାଦରେ ସଞ୍ଜୁ ସାମସନ୍‌ ଶୋ’ ।  ୪୭ ବଲରେ ୧୧୧ ରନ୍‌ କରି ଖେଳପ୍ରେମୀଙ୍କୁ ଚକିତ କରିଦେଇଥିବା ସାମସନ୍‌ ବାଂଲାଦେଶର ଜିତିବା ଆଶାକୁ ଧୂଳିସାତ କରିଦେଇଛନ୍ତି । ସାମସନଙ୍କୁ ସାଥ୍‌ ଦେଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୩୫ ବଲ୍‌ରେ ଦମଦାର ୭୫ ରନ୍‌ କରି ଦଳୀୟ ସ୍କୋରକୁ ଆକାଶଛୁଆଁ କରିଦେଇଛନ୍ତି ।  

ରିୟାନ ପରାଗ ୩୪ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ୍‌ କରିଛନ୍ତି ।  ଏହା ବ୍ୟତୀତ ଅଭିଷେକ ଶର୍ମା (୪), ରିଙ୍କୁ ସିଂ (୮*) ଏବଂ ଓ୍ବାଶିଂଟନ (୧*) ବଳରେ ଭାରତୀୟ ଟିମ୍‌ ୨୦ ଓଭରରେ ୨୯୭ ରନ୍‌ କରିଛି । ଟି-୨୦ ଇତିହାସରେ ଦ୍ବିତୀୟ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଛି ଭାରତୀୟ ଟିମ୍‌ । ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ନିଜ ନାଁରେ କରିସାରିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍‌ ମଧ୍ୟ ନିଜ ନାଁରେ କରିପାରେ । ସେପଟେ ବାଂଲାଦେଶ ଶେଷ ମ୍ୟାଚ୍‌ ଜିତି ମାନ ରଖିବାକୁ ଚେଷ୍ଟା କରିବାକୁ ଥିବା ବେଳେ ଏତେ ବଡ଼ ସ୍କୋରକୁ ପିଛା କରିବା ଏତେ ସହଜ ହେବ ନାହିଁ । 

୬ ଓ୍ବିକେଟ ହରାଇ ଭାରତୀୟ ଦଳ ୨୯୭ ରନ୍‌ କରିଥିବା ବେଳେ ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବାଂଲାଦେଶର ତାଞ୍ଜିମ ହାସନ ସାକିବ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ତାସକିନ୍‌ ଅହମଦ, ମୁସ୍ତାଫିଜୁର ରହମାନ ଏବଂ ମହମଦୁଲ୍ଲାହ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।