ନାଗପୁର: ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଟିମ୍‌ ଇଣ୍ଡିଆ । ନାଗପୁର ଦିନିକିଆରେ ଇଂଲଣ୍ଡକୁ ଚାରି ଓ୍ବିକେଟ୍‌ରେ ହରାଇଲା ରୋହିତ ବାହିନୀ । ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଦମଦାର ରନ୍‌ ବଳରେ ଭାରତୀୟ ଦଳ ୩୮.୪ ଓଭରେ ମ୍ୟାଚ୍‌କୁ ଜିତିନେଇଛି । ଏହା ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଆଜି ଶୁଭମନ ଗିଲ୍‌ ସର୍ବାଧିକ ୮୭ ରନ୍‌ କରିଥିବା ବେଳେ ଶ୍ରେୟସ ଆୟର ୫୯ ରନ୍‌ କରିଛନ୍ତି । ସେହିଭଳି ଅକ୍ଷର ପଟେଲ ୫୨ ରନ୍‌ କରିଛନ୍ତି ।  ସେପଟେ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଛନ୍ତି ।  ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରୋହିତ ବାହିନୀ ୬ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି । ଆଜିର ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା (୯) ଏବଂ ରବୀନ୍ଦ୍ର ଜାଡେଜା ( ୧୨) ଅପରାଜିତ ଅଛନ୍ତି । ସେପଟେ ଇଂଲଣ୍ଡ ଟିମ୍‌ର ସାକିବ ମହମ୍ମଦ ଏବଂ ଆଦିଲ ରଶିଦ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏହା ସହ ଜୋଫ୍ରା ଆର୍ଚର ଏବଂ ଜାକୋବ ବେଥେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।