ନୂଆଦିଲ୍ଲୀ,୧୦/୦୭: ଭାରତ ବିପକ୍ଷରେ କ୍ରମାନ୍ୱୟରେ ୩ଟି ମ୍ୟାଚ ଜିତି ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ କବ୍‌ଜା କରିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏହାପରେ ଇଂଲଣ୍ଡ ୩ଟି ମ୍ୟାଚ ଜିତି ସାରିଛି । ଗୋଟିଏ ମ୍ୟାଚ ବାକି ରହିଛି । ଆଜି ଅନୁଷ୍ଠିତ ଚତୁର୍ଥ ଟିଟ୍ୱେଣ୍ଟିରେ ଇଂଲଣ୍ଡ ୯ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍‌ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୧୩.୫ ଓଭରରେ ୧ ୱିକେଟ୍‌ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୪୮ ରନ୍‌ରେ ପ୍ରଥମ ୩ଟି ୱିକେଟ୍‌ ହରାଇଥିଲା । ବୈଭବ ସୂର୍ଯ୍ୟବଂଶୀ ୧୫ (୧ଚୌକା, ୧ଛକା), ଇଶାନ କିଷନ ୪ ଓ ଅଭିଷେକ ଶର୍ମା ୧୬ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଆୟର ଓ ଶିବମ ଦୁବେ ୫୩ ରନ୍‌ର ଭାଗିଦାରୀ ଗଠନ କରଥିଲେ । ଦଳୀୟ ସ୍କୋର ୧୦୧ରେ ବେଳେ ଯୋଡ଼ି ଭାଙ୍ଗିଥିଲେ ୱିଲ ଜ୍ୟାକ୍ସ । ଦୁବେ ୨୨ ରନ କରି ଆଉଟ୍‌ ହୋଇଥିଲେ । ଆୟର ଗୋଟିଏ ପଟେ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିବା ଫଳରେ ଦଳୀୟ ସ୍କୋର ୧୫୮ରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ...Shreyas Iyer: ଅଧିନାୟକ ଭାବେ ଏହି ରେକର୍ଡ କଲେ ଶ୍ରେୟସ, ହେଲେ ବିରାଟଙ୍କ ସମକକ୍ଷ

ଅନ୍ୟ ପଟରେ ଭାରତ ତିଳକ ବର୍ମା (୧୧), ୱାସିଂଟନ ସୁନ୍ଦର (୫) ଓ ଅକ୍ଷର ପଟେଲ (୧) ଙ୍କ ୱିକେଟ୍‌ ହରାଇଥିଲା । ଆୟର ୪୯ଟି ବଲ୍‌ରୁ ୪ ଚୌକା ଓ ୫ ଛକା ବଳରେ ୮୦ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆର୍ଚର ଓ ଟଙ୍ଗ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ଇଂଲଣ୍ଡ ୧୩ ରନ୍‌ରେ ଜୋସ ବଟଲର(୮)ଙ୍କ ୱିକେଟ୍‌ ହରାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହ୍ୟାରୀ ବ୍ରୁକ୍‌ ଅପରାଜିତ ଓପନର ଫିଲ ସଲ୍ଟଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । କ୍ରିଜରେ ଜମିବା ପରେ ଉଭୟ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିବା ସହ ୩୭ଟି ବଲ୍‌ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ । ବ୍ରୁକ୍‌ ୩୫ଟି ବଲ୍‌ରୁ ୮ ଚୌକା ଓ ୪ ଛକା ବଳରେ ୭୯ ରନ କରିଥିଲେ । ସେହିପରି ସଲ୍ଟ ୪୨ଟି ବଲ୍‌ରୁ ୯ ଚୌକା ଓ ୧ଛକା ବଳରେ ୫୯ ରନ କରିଥିଲେ । ବିଶ୍ୱ ବିଜୟୀ ଟିମ୍ ଇଣ୍ଡିଆକୁ କାହା ନଜର ଲଗାଛି । ବ୍ୟାକ୍‌ ଟୁ ବ୍ୟାକ୍‌ ପରାଜୟ ଦଳ ଉପରେ ପ୍ରଶ୍ନ ଉଠାଇଛି । ଆୟର୍ଲାଣ୍ଡ ପରେ ଏବେ ଇଂଲଣ୍ଡଠୁ ସିରିଜ୍ ହାରିଛି ଶ୍ରେୟସ ବାହିନୀ । ପଞ୍ଚମ ଟି-ଟ୍ୱେଣ୍ଟି ସମ୍ମାନ ବଞ୍ଚାଇବାକୁ ଖେଳିବ ଭାରତ ।