ପୁରୀ ୧୦/୦୭: ରଥ ଅଧିଷ୍ଠିତ ହୋଇଛନ୍ତି ପାର୍ଶ୍ୱ ଦେବତା । ତିନି ରଥରେ ବିଜେ କରିଛନ୍ତି ୨୭ ପାର୍ଶ୍ୱଦେବଦେବୀ । ରଥ ସମ୍ମୁଖକୁ ଛାଡ଼ି ଅନ୍ୟ ତିନି ପାର୍ଶ୍ୱରେ ଦେବତାମାନେ ଅବସ୍ଥାନ କରିଛନ୍ତି । ଦେବଦେବୀଙ୍କୁ ସ୍ଥାପନ କରିବା ପରେ ଶିଖରଡ଼ମ୍ବରୁ ଲଗାଗଲା । ଶିଖରଡ଼ମ୍ବରୁ ହେଉଛି କାଠ ନିର୍ମିତ ଛୋଟ ମନ୍ଦିର । ଏଥିସହ ସିଂହାସନ ସମ୍ମୁଖରେ ରଥ ଦ୍ୱାରପାଳଙ୍କୁ ଅବସ୍ଥାପିତ କରାଯାଇଛି । ତିନି ରଥରେ ଦୁଇ ଜଣ କରି ଛଅ ଦ୍ୱାରପାଳଙ୍କୁ ନିର୍ମାଣକାରୀ ରଥରେ ରଖିଛନ୍ତି ।
ମହାପ୍ରଭୁଙ୍କ ନବକଳେବର ସମୟରେ ଏସବୁ ମୂର୍ତ୍ତି ନିର୍ମାଣ କରାଯାଏ । ପ୍ରତି ବର୍ଷ ରଥ ଯାତ୍ରାରେ ରଙ୍ଗ ଦେଇ ପ୍ରସ୍ତୁତ କରାଯାଉଛି । ପ୍ରତି ରଥରେ ୯ଜଣ ଲେଖାଏଁ ପାର୍ଶ୍ୱ ଦେବଦେବୀଙ୍କୁ ସ୍ଥାପନ କରାଯାଇଛି । ତାଳଧ୍ୱଜ ରଥରେ ପ୍ରଳମ୍ୱାରି ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନଟବର ଗଣେଶ, ଅଙ୍ଗଦ, ନାଟାମ୍ୱର, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁ କୈଟଭ ଓ ଅନନ୍ତ ବାସୁଦେବ ଅବସ୍ଥାନ କରିଛନ୍ତି । ଦେବୀ ରଥରେ ଅଧିଷ୍ଠିତା ଦେବୀ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ଉମା, କାତ୍ୟାୟାନୀ, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା । ନନ୍ଦିଘୋଷ ରଥରେ ଲାଗିଛନ୍ତି ଠାକୁରେ ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ମହାବୀର । ସେହିଭଳି ଦ୍ୱାରପାଳ ଭାବେ ତାଳଧ୍ୱଜ ରଥରେ ନନ୍ଦ ସୁନନ୍ଦ, ନନ୍ଦିଘୋଷରେ ଜୟ ବିଜୟ ଓ ଦେବୀ ରଥରେ ଗଙ୍ଗା ଯମୁନା ରଥ ସିଂହାସନ ସମ୍ମୁଖ ଭାଗରେ ଶୋଭା ପାଉଛନ୍ତି ।
ଅଧିକ ପଢ଼ନ୍ତୁ :- Anavasara Ritual: ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି, ଜାଗ୍ରତ ଅବସ୍ଥାକୁ ଆସିବେ ମହାପ୍ରଭୁ, ପହଞ୍ଚିବ ଦଶମୂଳ ମହୌଷଧି
ଦରଜି ସେବକମାନେ ଦୁଆର ଘଡ଼ା କନା କାର୍ଯ୍ୟ ଜାରି ରଖିଛନ୍ତି । କମାର, କରତି, ପାହି ମହାରଣା ଓ ଚିତ୍ରକର ସେବକମାନେ ନିଜ ନିଜ ରଥ କାର୍ଯ୍ୟରେ ଶେଷ ସ୍ପର୍ଶକରୁଛନ୍ତି । ରଥ ସ୍ପେଶାଲ ଡ଼୍ୟୁଟିରେ ଥିବା ବରିଷ୍ଠ ପୁଲିସ ଅଧିକାରୀ ତଥା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ସନ୍ଧ୍ୟାରେ ନିର୍ମାଣକାରୀଙ୍କ ସହ ଆଲୋଚନା କରିଛନ୍ତି ।