ଦୁବାଇ,୨୧/୧୨: ସୁପର ସନ୍ଡେ ଟାଇଟଲ ମୁକାବିଲା। ୧୯ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲାରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବେ । ଏହି ମ୍ୟାଚ୍ ଉପରେ ଉଭୟ ଦେଶର ପ୍ରଶଂସକଙ୍କ ନଜର ରହିବା ସ୍ୱାଭାବିକ । ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇ ସାରିଛି। ଫଳରେ ଦଳର ପଲା ଭାରି ରହିବ । ଅନ୍ୟ ପଟରେ ପାକିସ୍ତାନ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ।
ଗତ ୧୪ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଭାରତ ୯୦ରନ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା । କନିଷ୍କ ଚୌହାନ (୪୬ରନ୍ ଓ ୩ ୱିକେଟ୍) ଅଲରାଉଣ୍ଡ୍ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ପାକିସ୍ତାନ ତୁଳନାରେ ଭାରତ ସବୁ ବିଭାଗରେ ଅପେକ୍ଷାକୃତ ଶକ୍ତିଶାଳୀ । ଭାରତୀୟ ଅଧିନାୟକ ଆୟୂଷ ମାହତ୍ରେଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟର ଫର୍ମରେ ରହିଛନ୍ତି । ମାହତ୍ରେ ଫର୍ମକୁ ଫେରିଲେ ଦଳ ବଡ଼ ସ୍କୋର କରିପାରିବ । ସେହିପରି ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ଶତକ ଏବଂ ଅଭିଜ୍ଞାନ କୁଣ୍ଡୁ ଗୋଟିଏ ଦ୍ୱିଶତକ ଅର୍ଜନ କରି ଫର୍ମରେ ରହିଛନ୍ତି । ମଧ୍ୟକ୍ରମରେ ଆରନ ଜର୍ଜ, ଭିହାନ ମାଲହୋତ୍ରା ଓ ବେଦାନ୍ତ ତ୍ରିବେଦୀ ପ୍ରଭାବୀ ପ୍ରଦର୍ଶନ କରି ଭାରତର ଆଗାମୀ ଭବିଷ୍ୟତ ରୂପେ ଉଭା ହୋଇଛନ୍ତି । ରବିବାର ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବୋଲିଂରେ ଖିଲାନ ପଟେଲ ଓ ଦୀପେଶ ଦେବେନ୍ଦ୍ରନ ପାକିସ୍ତାନ ବ୍ୟାଟରଙ୍କ ପାଇଁ ଦୁଃସ୍ୱପ୍ନ ପାଲଟି ପାରନ୍ତି ।
ଭାରତ ବିପକ୍ଷ ମ୍ୟାଚ୍କୁ ଛାଡ଼ି ପାକିସ୍ତାନ ଅନ୍ୟ ସମସ୍ତ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଛି । ଓପନର ସମୀର ମିନହାସ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୯୯ ରନ୍ ସଂଗ୍ରହ କରି ସାରିଛନ୍ତି। ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ମଧ୍ୟକ୍ରମ ବ୍ୟାଟର ହୁଜାଇଫା ଏହସାନ ମଧ୍ୟ ଫର୍ମରେ ରହିଛନ୍ତି । ବୋଲିଂରେ ଅବଦୁଲ ଶୁଭାନଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ସମ୍ଭାବ୍ୟ ଏକାଦଶ
ଭାରତ: ଆୟୂଷ ମାହତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଆରନ ଜର୍ଜ, ଭିହାନ ମାଲହୋତ୍ରା, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ, ଖିଲାନ ପଟେଲ, ଦୀପେଶ ଦେବେନ୍ଦ୍ରନ, କିଷନ ସିଂହ, ହେନିଲ ପଟେଲ, କନିଷ୍କ ଚୌହାନ ।
ପାକିସ୍ତାନ: ସମୀର ମିନହାସ, ହମ୍ଜା ଜାହୁର, ଉସମାନ ଖାନ, ଅହମ୍ମଦ ହୁସେନ, ଡାନିଏଲ ଅଲି ଖାନ, ଫରହାନ ୟୁସୁଫ୍ (ଅଧିନାୟକ), ହୁଜାଇଫା ଏହସାନ, ମହମ୍ମଦ ସାୟନ, ଅବଦୁଲ ଶୁଭାନ, ଅଲି ରାଜା, ମହମ୍ମଦ ସୟମ ।