କୋଲକାତା,୧୩/୧୧: ଶୁକ୍ରବାର ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ । ଉଭୟ ଦଳ ଇଡେନ ଗାର୍ଡେନ୍ସରେ ଅଭ୍ୟାସ ଜାରି ରଖିଛନ୍ତି। ମ୍ୟାଚ୍ ଆଉ ଗୋଟିଏ ଦିନ ବାକି ଥିବାବେଳେ ଏହା ପୂର୍ବରୁ ଉଭୟ ଦଳ ଏକାଦଶ ଚୟନ ଓ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ପ୍ରଥମ ଟେଷ୍ଟ ପାଇଁ ଏକ ଆଦର୍ଶ ପିଚ୍ ପ୍ରସ୍ତୁତ କରାଯାଇଥିଲେ ହେଁ ଉଭୟ ଦଳ ୩ଜଣ ଲେଖାଏଁ ସ୍ପିନରଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । ତଥାପି ଏହି ଟେଷ୍ଟରେ ପେସ୍ ବୋଲରମାନଙ୍କ ପ୍ରଭାବ ଜାରି ରହିବ ବୋଲି ମତ ପ୍ରକାଶ ପାଇଛି ।
୨ପେସର, ୩ ସ୍ପିନର ରଣନୀତି
ଉଭୟ ଦଳ ୩ଜଣିଆ ସ୍ପିନ ବାହିନୀ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ । ଭାରତୀୟ ଗ୍ରାଉଣ୍ଡ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମ କରି ୩ଜଣ ସ୍ପିନରଙ୍କୁ ଖେଳାଇବାକୁ ଯାଉଛି। ଭାରତ ଆସିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ପାକିସ୍ତାନରେ ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା । ଏହି ସିରିଜରେ ୩ ସ୍ପିନର କେଶବ ମହାରାଜ, ସେନୁରାନ ମୁଥୁସାମି ଓ ସିମନ ହାର୍ମର ୩୩ଟି ୱିକେଟ୍ ଅକ୍ତିଆର କରିଥିଲେ ।
ସ୍ପେଶାଲିଷ୍ଟ ପେସ୍ ବୋଲର ଭାବେ ଏକମାତ୍ର କାଗିସୋ ରାବାଡ଼ା ଦଳରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ପେସ୍ ବୋଲିଂ ଅଲ୍ରାଉଣ୍ଡର ମାର୍କୋ ଜାନସେନ, ୱିଆନ ମୁଲ୍ଡର ଓ କର୍ବିନ ବସ୍କ ଦଳରେ ଅଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗ ଭାରତ ତୁଳନାରେ ଅଧିକ ସନ୍ତୁଳିତ ଓ ଶକ୍ତିଶାଳୀ । କେବଳ ଅଭିଜ୍ଞତା ଫରକ ପକାଇବ । ଦକ୍ଷିଣ ଆଫ୍ରିକାର ଦଳରେ ରହିଥିବା ୮ଜଣ ଖେଳାଳି ଏପର୍ଯ୍ୟନ୍ତ ଭାରତରେ ଟେଷ୍ଟ ଖେଳି ନାହାନ୍ତି ।
ଟସ ଜିତିଲେ ବ୍ୟାଟିଂ
ପ୍ରଥମ ଟେଷ୍ଟ ପାଇଁ ଏକ ଆଦର୍ଶ ପିଚ୍ ପ୍ରସ୍ତୁତ କରାଯାଇଛି । ଉଭୟ ଦଳ ପିଚକୁ ନେଇ ଉତ୍ସାହିତ ରହିଛନ୍ତି । ପ୍ରଥମ ଦୁଇ ଦିନ ପର୍ଯ୍ୟନ୍ତ ପେସ୍ ବୋଲରମାନେ ପିଚ୍ରୁ ଭରପୁର ସହାୟତା ପାଇବେ । ତୃତୀୟ ଦିବସ ଅପରାହ୍ଣରୁ ପିଚ୍ ସ୍ପିନରଙ୍କୁ ସହାୟତା କରିବ । ତେଣୁ ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର ଛିଡ଼ା କରିବାକୁ ପ୍ରୟାସ କରିବ ।
ଦକ୍ଷିଣ ଆଫ୍ରିକାର ସ୍ପିନ ବାହିନୀ ଭାରତର ଚିନ୍ତା ବଢାଇବା ଆଶଙ୍କା କରାଯାଉଛି । ଗତ ବର୍ଷ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ବ୍ୟାଟରଙ୍କ ତ୍ରୁଟି ନଜରକୁ ଆସିଛି । ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କୁ ଖେଳିବାରେ ବିଫଳ ହେଉଛନ୍ତି ।
ସମ୍ଭାବ୍ୟ ଭାରତୀ ଦଳ: ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ରିଷଭ ପନ୍ତ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ/ଅକ୍ଷର ପଟେଲ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।