ମୁଲନପୁର,୧୧/୧୨: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ନୂଆ ଚଣ୍ଡୀଗଡ଼ ସ୍ଥିତ ନବ ନିର୍ମିତ ଷ୍ଟାଡ଼ିୟମ୍(ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ ଷ୍ଟଡ଼ିୟମ୍)ରେ ଏହି ମ୍ୟାଚ ଆୟୋଜିତ ହେବ । ୫ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆଜି ବ୍ୟବଧାନ ବୃଦ୍ଧି କରିବାକୁ ଭାରତ ଗୁରୁତ୍ୱ ଦେବ । ଟେଷ୍ଟ ଓ ଦିନିକିଆ ସିରିଜରେ ଦମ୍‌ଦାର୍ ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ସିରିଜକୁ ଫେରିବା ପାଇଁ ପ୍ରସ୍ତୁତ ରହିଛି । ଫଳରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୬ଟି ମ୍ୟାଚରୁ ଭାରତ ୫ଟି ବିଜୟ ହାସଲ କରିଛି । ମାତ୍ର ଛୋଟ ଫର୍ମାଟ୍‌ରେ ଏଭଳି ରେକର୍ଡର କୌଣସି ଗୁରୁତ୍ୱ ନାହିଁ । ଭାରତକୁ ହରାଇବାର କ୍ଷମତା ଦକ୍ଷିଣ ଆଫ୍ରିକା ନିକଟରେ ରହିଛି ।

ପ୍ରଥମ ଦିନିକିଆକୁ ଭାରତ ୧୦୧ ରନ୍‌ରେ ଜିତିବା ପରେ ଖେଳାଳିଙ୍କ ମନୋବଳ ଶିଖର ଛୁଇଁଛି । ଏଭଳି ଆଧିପତ୍ୟକୁ ସିରିଜ ସାରା ଜାରି ରଖିବା ପାଇଁ ଘରୋଇ ଦଳ ପ୍ରସ୍ତୁତ । ତଥାପି ବ୍ୟାଟିଂ ବିଭାଗର ପ୍ରଦର୍ଶନକୁ ନେଇ ଚିନ୍ତା ରହିଛି । ଆଉ ମାତ୍ର ୨ ମାସ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ତେଣୁ ଏହା ପୂର୍ବରୁ ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଆଦି ପ୍ରମୁଖ ଖେଳାଳିଙ୍କୁ ଫର୍ମକୁ ଫେରିବାକୁ ହେବ ।

ବାରବଟୀ ଷ୍ଟାଡ଼ିୟମ୍‌ରେ ବିଫଳ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଭାଗ ଯଥେଷ୍ଟ ଅଭିଜ୍ଞ ଓ ଶକ୍ତିଶାଳୀ । କ୍ୱିଣ୍ଟନ ଡି କକ୍ ଓ ଆଡେନ ମାରକ୍ରମ ବିସ୍ଫୋରକ ବ୍ୟାଟିଂ କରିବାରେ ସିଦ୍ଧହସ୍ତ । ନିମ୍ନ ଭାଗରେ ଡେଭିଡ୍ ମିଲରଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ ସୁଦୃଢ କରିଛି । ମଧ୍ୟ କ୍ରମରେ ରହିଥିବା ଯୁବ ବ୍ୟାଟରମାନଙ୍କୁ ଦାୟିତ୍ୱ ନେବାକୁ ହେବ । 

ଆଜି ୩ ଘରୋଇ ଷ୍ଟାର୍ ଅଭିଷେକ ଶର୍ମା, ଶୁଭମନ ଗିଲ୍ ଓ ଅର୍ଶଦୀପ ସିଂହଙ୍କ ଉପରେ ନଜର ରହିବ । ପ୍ରଥମ ମ୍ୟାଚ୍‌ରେ ଅର୍ଶଦୀପ ଘାତକ ବୋଲିଂ କରିଥିଲେ ହେଁ ଦୁଇ ଓପନର ଗିଲ୍ ଓ ଅଭିଷେକଙ୍କ ବ୍ୟାଟ୍ ମୌନ ରହିଥିଲା । ଆଜି ଉଭୟଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ସଟ୍ ସବୁ ଦେଖିବାକୁ ଦର୍ଶକ ଆଶା ରଖିବେ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ପିଚ୍‌କୁ ଦେଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଆବଶ୍ୟକ ପଡ଼ିଲେ ଅର୍ଶଦୀପଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ହର୍ଷିତ ରାଣାଙ୍କୁ ମଧ୍ୟରୁ ଜଣଙ୍କୁ ଖେଳିବାକୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକା ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ । ଲୁଥୋ ସିପମାଲାଙ୍କ ସ୍ଥାନରେ ଜଣେ ଅଲ୍ରାଉଣ୍ଡରଙ୍କୁ ଖେଳିବାକୁ ସୁଯୋଗ ମିଳିବା ଆଶା କରାଯାଉଛି । କର୍ବିନ ବସ୍କ କିମ୍ବା ଜର୍ଜ ଲିଣ୍ଡେଙ୍କ ମଧ୍ୟରୁ ଜଣେ ଏକାଦଶକୁ ଫେରି ପାରନ୍ତି । ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଗତ ଆଇପିଏଲକୁ ବିଚାରକୁ ନିଆଗଲେ ଏଠାରେ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ଏଠାରେ ଆଇପିଏଲ୍‌ରେ ୧୧ଟି ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ଟି ମ୍ୟାଚ ଜିତିଛି ଓ ୫ଟି ମ୍ୟାଚ ପରାଜିତ ହୋଇଛି । ଷ୍ଟାଡ଼ିୟମ୍ ଚାରିପଟେ ସୁଉଚ୍ଚ ଗ୍ୟାଲେରୀ ନଥିବାରୁ କାକର ଗ୍ରାଉଣ୍ଡକୁ ପ୍ରଭାବିତ କରିବ ନାହିଁ ।

ସମ୍ଭାବ୍ୟ ଦଳ

ଭାରତ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍, ଆଡେନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଡିୱାଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନାଭାନ ଫେରେରା, ମାର୍କୋ ଜାନସେନ, ଲୁଥୋ ସିପାମଲା/କର୍ବିନ ବସ୍କ/ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନ୍ଗିଡ଼ି, ଆନରିଚ ନଜ