ଗୌହାଟୀ,୨୨/୧୧: ଆଜିଠୁ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ହାରି ସାରିଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସବୁ ଶକ୍ତି ଖଟାଇ ଏହି ମ୍ୟାଚ ଜିତିବାକୁ ହେବ । ଦକ୍ଷିଣ ଆଫ୍ରିକା ଅତି କମ୍ରେ ମ୍ୟାଚ୍ ଡ୍ର’ ରଖି ସିରିଜ ବିଜୟ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ । ଫଳରେ ଆଗାମୀ ୫ଦିନ ଧରି ବର୍ଷାପଡ଼ା ଗ୍ରାଉଣ୍ଡ୍ରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ ।
ଗୌହାଟୀରେ ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଆୟୋଜନ ହେଉଛି । ତେଣୁ ପିଚ୍ରୁ ଆରମ୍ଭ କରି ସ୍ଥାନୀୟ ଜଳବାୟୁ ମଧ୍ୟ ଉଭୟ ଦଳ ପାଇଁ ନୂଆ ଅନୁଭୂତି ଆଣିବ । ଏହି ଅଞ୍ଚଳରେ ଆଗୁଆ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ହୋଇଥାଏ । ତେଣୁ ପିଚ୍ ସହ ଏଠାରେ ପରିସ୍ଥିତି ଓ ପରିବେଶ ମଧ୍ୟ ପ୍ରଭାବ ପକାଇବ । ଅଧଘଣ୍ଟାଏ ପୂର୍ବରୁ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ଅଧିବେଶନ ପରେ ଚା’ପାନ ବିରତି ଓ ଦ୍ୱିତୀୟ ଅଧିବେଶନ ପରେ ମଧ୍ୟାହ୍ନ ଭୋଜନ ବିରତିର ନିଆରା ଅନୁଭୂତି ନେବେ ଉଭୟ ଦଳର ଖେଳାଳି ।
ପନ୍ତ ଅଧିନାୟକ:
ପ୍ରଥମ ଟେଷ୍ଟରେ ମାତ୍ର ୩ଟି ବଲ୍ ଖେଳି ଆହତ ହୋଇଥିବା ଶୁଭମନ ଗିଲ୍ ଏପର୍ଯ୍ୟନ୍ତ ଫିଟ୍ ହୋଇ ନଥିବାରୁ ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ । ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇ ପଠାଇବାକୁ ମଧ୍ୟ ବିସିସିଆଇ ନିର୍ଦ୍ଦେଶ ଦେଇଛି । ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ନେତୃତ୍ୱ ନେବେ । ସେ ଭାରତର ୩୮ତମ ଅଧିନାୟକ ଭାବେ ଟେଷ୍ଟ ଖେଳିବାକୁ ଯାଉଛନ୍ତି ।
ଖେଳିବେ ନୀତିଶ
ଗିଲଙ୍କ ଅନୁପସ୍ଥିତିରେ ସାଇ ସୁଦର୍ଶନ ଏକାଦଶକୁ ଫେରିବା ନିଶ୍ଚିତ । ସେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ଗିଲଙ୍କ ୪ନଂ ସ୍ଥାନ ଧ୍ରୁବ ଜୁରେଲଙ୍କୁ ମିଳିବ । ସୁଦର୍ଶନଙ୍କ ବ୍ୟତୀତ ଯୁବ ଅଲ୍ରାଉଣ୍ଡର ନୀତିଶ କୁମାର ରେଡ୍ଡୀ ମଧ୍ୟ ଏକାଦଶକୁ ଫେରିବା ଆଶା କରାଯାଉଛି । ସେ ଅକ୍ଷର ପଟେଲଙ୍କ ସ୍ଥାନରେ ଖେଳିବେ । ଏହା ପଛରେ ଏକ ବଡ଼ କାରଣ ରହିଛି। ପ୍ରଥମ ଟେଷ୍ଟରେ ଭାରତ ୬ଜଣ ବାମ ହାତି ବ୍ୟାଟର ନେଇ ଖେଳିଥିଲା । ଏଥର ସୁଦର୍ଶନ ସପ୍ତମ ବାମ ହାତି ବ୍ୟାଟର ହେବେ । ତେଣୁ ଜଣେ ବାମ ହାତି ବ୍ୟାଟରଙ୍କୁ ବାଦ୍ ଦେଇ ଡାହାଣ ହାତି ବ୍ୟାଟର ଭାବେ ନୀତିଶଙ୍କୁ ଖେଳାଇବା ଉପଯୁକ୍ତ ରଣନୀତି ହେବ ।
ବ୍ରେଭିସ, ମୁଥୁସାମିଙ୍କ ମଧ୍ୟରୁ ଜଣେ:
ଦକ୍ଷିଣ ଆଫ୍ରିକା ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ଭାରତ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍ ପ୍ରସ୍ତୁତ କରୁଥିବାରୁ ଦକ୍ଷିଣ ଆଫ୍ରିକା ଏକାଦଶରେ ଆଉ ଜଣେ ସ୍ପିନରଙ୍କ ସଂଖ୍ୟା ବୃଦ୍ଧି କରିବା ଆଶା କରାଯାଉଛି । ତେଣୁ ସ୍ପିନ୍ ବୋଲିଂ ଅଲରାଉଣ୍ଡର ସେନୁରାନ ମୁଥୁସାମିଙ୍କୁ ଏକାଦଶରେ ସାମିଲ କରି ୱିଆନ ମୁଲ୍ଡରଙ୍କୁ ବାଦ ଦିଆଯାଇପାରେ । ନଚେତ ଜଣେ ସ୍ପେଶାଲିଷ୍ଟ ବ୍ୟାଟର ଭାବେ ଡିୱାଲ୍ଡ ବ୍ରେଭିସଙ୍କୁ ମଧ୍ୟ ସାମିଲ କରାଯାଇପାରେ । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ପ୍ରଥମତଃ ବର୍ଷାପଡ଼ା ଗ୍ରାଉଣ୍ଡ୍ ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । ଦ୍ୱିତୀୟତଃ ପ୍ରଥମ ଟେଷ୍ଟ ଖେଳାଯାଇଥିବା ଇଡେନ ଗାର୍ଡେନ୍ସ ପିଚ୍ ଓ ଗୌତମ ଗମ୍ଭୀରଙ୍କ ଟିମ ମ୍ୟାନେଜମେଣ୍ଟର ମନୋଭାବ ଦେଖିବା ପରେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍କୁ ପରଖିବା କଷ୍ଟକର ହୋଇ ପଡ଼ିଛି । ଏଠାରେ ଏକ ନାଲି ମାଟି ପିଚ୍ ପ୍ରସ୍ତୁତ କରାଯାଇଛି । ନାଲି ମାଟି ପିଚ୍ ସାଧାରଣତଃ ପେସ୍ ବୋଲରଙ୍କୁ ସହାୟତା କରିଥାଏ । ଏଭଳି ପିଚରୁ ଅତିରିକ୍ତ ବାଉନ୍ସ ମିଳେ । ମାତ୍ର ପିଚ୍କୁ ଶୁଷ୍କ ରଖାଗଲେ କମ୍ ସମୟ ମଧ୍ୟରେ ସ୍ପିନରମାନେ ଅତିରିକ୍ତ ବାଉନ୍ସ ସହ ବଲ୍କୁ ମାତ୍ରାଧିକ ଟର୍ଣ୍ଣ କରାଇପାରିବେ । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ରେ ଗୁରୁବାର ଅପରାହ୍ଣରେ ପାଣି ଛିଞ୍ଚା ଯାଇଥିଲା । ତେଣୁ ପିଚ୍ରେ ଆଦ୍ରତା ବଜାୟ ରହିଥିବ । ଆସନ୍ତାକାଲି ପିଚ୍ରୁ ଘାସ ସବୁ କଟାଯିବ । ତେଣୁ ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର ଆଶା ରଖିବେ ।
ସମ୍ଭାବ୍ୟ ଦଳ
ଭାରତ: ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ (ଅଧିନାୟକ/ୱିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।
ଦକ୍ଷିଣ ଆଫ୍ରିକା: ଆଡେନ ମାରକ୍ରମ, ର୍ୟାନ ରିକେଲଟନ, ୱିଆନ ମୁଲ୍ଡର/ଡିୱାଲ୍ଡ ବ୍ରେଭିସ/ସେନୁରାନ ମୁଥୁସାମି, ଟୋନି ଡି ଜର୍ଜି, ତେମ୍ବା ବଭୁମା (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, କେଲି ଭେରନ, କର୍ବିନ ବସ୍କ, ମାର୍କୋ ଜାନସେନ, ସିମନ ହାର୍ମର, କେଶବ ମହାରାଜ ।