ନୂଆଦିଲ୍ଲୀ,୧୧/୧୧; ଆସନ୍ତା ଶୁକ୍ରବାର ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଭାରତୀୟ ଦଳ ଆସନ୍ତା କାଲିଠୁ ଐତିହାସିକ ଇଡେନ ଗାର୍ଡେନ୍ସରେ ପ୍ରସ୍ତୁତି ଆରମ୍ଭ କରିବ । ଇତି ମଧ୍ୟରେ ସମସ୍ତ ଖେଳାଳି କୋଲକାତାରେ ପହଞ୍ଚି ସାରିଛନ୍ତି । ଦଳର ଅଭ୍ୟାସ ଶିବିର ଆରମ୍ଭ ହେବା ସହ ଟିମ୍‌ ମ୍ୟାନେଜମେଣ୍ଟ ଏକାଦଶ ଚୟନରେ ଲାଗି ପଡ଼ିବ । ବର୍ତ୍ତମାନ ଧ୍ରୁବ ଜୁରେଲଙ୍କ ଫର୍ମ ଟିମ୍‌ ଇଣ୍ଡିଆ ପାଇଁ ଖୁସିର ବିଷୟ ହୋଇଥିଲେ ହେଁ କୋଚିଂ ସଦସ୍ୟମାନଙ୍କ ପାଇଁ ମୁଣ୍ଡବିନ୍ଧା ସାଜିଛି । କାରଣ ଏକାଦଶରେ ଜୁରେଲଙ୍କୁ ସାମିଲ କରିବା କଷ୍ଟକର ହେବା ନିଶ୍ଚିତ । 

ଘରୋଇ ଟେଷ୍ଟ ସିରିଜ ପାଇଁ ପ୍ରାୟତଃ ଏକାଦଶ ଚୂଡ଼ାନ୍ତ ହୋଇ ସାରିଛି । ଭାରତ ୨ଜଣ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର, ୨ଜଣ ପେସ୍‌ ବୋଲର, ଜଣେ ସ୍ପିନର ନେଇ ଖେଳିବା ନିଶ୍ଚିତ । ବାକି ୬ଜଣ ବ୍ୟାଟର ରହିବେ । ଏଭଳି ହେଲେ ଜୁରେଲଙ୍କୁ ଏକାଦଶରେ ସ୍ଥାନ ମିଳି ପାରିବ ନାହିଁ । କାରଣ ପ୍ରାୟତଃ ସବୁ ଖେଳାଳି ଏକାଦଶରେ ସ୍ଥାନ ସୁରକ୍ଷିତ କରି ସାରିଛନ୍ତି । କିଛି ଖେଳାଳିଙ୍କ ପ୍ରତି ମୁଖ୍ୟ କୋଚ୍‌ ଓ ତାଙ୍କ ମ୍ୟାନେଜମେଣ୍ଟର ଜୋରଦାର ସମର୍ଥନ ରହିଛି । ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଦେଖିଲେ ସାଇ ସୁଦର୍ଶନ ଓ ନୀତିଶ କୁମାର ରେଡ୍ଡୀ ବାରମ୍ବାର ସୁଯୋଗ ପାଇବା ସତ୍ତେ୍ୱ ସଫଳ ହୋଇ ନାହାନ୍ତି । ଫଳରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ପରିବର୍ତ୍ତେ ଜୁରେଲଙ୍କୁ ଏକାଦଶରେ ସାମିଲ କରାଯାଇ ପାରିବ । ତେବେ ସବୁକିଛି ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଓ ତାଙ୍କ ଟିମ୍‌ ଉପରେ ନିର୍ଭର କରିବ । 

ଭରତୀୟ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ ଥିବାରୁ ମିଡିୟମ ପେସ୍‌ ବୋଲିଂ ଅଲରାଉଣ୍ଡରଙ୍କ ତୁଳନାରେ ଜଣେ ପ୍ରମୁଖ ବ୍ୟାଟରଙ୍କୁ ଖେଳାଇବା ଉପଯୁକ୍ତ ନିଷ୍ପତ୍ତି ହୋଇପାରେ । ଏକାଦଶରେ ସ୍ଥାନ ପାଇଲେ ଜୁରେଲ ୬ନଂ ସ୍ଥାନରେ ଖେଳିବେ । ୭ ଓ ୮ ନଂ ସ୍ଥାନରେ ରବିନ୍ଦ୍ର ଜାଡ଼େଜା ଓ ୱାସିଂଟନ ସୁନ୍ଦର ରହିବେ । ବାକି ଶେଷ ୩ଟି ସ୍ଥାନରେ ୨ଜଣ ପେସ୍‌ ବୋଲର ଓ କୁଲଦୀପ ଯାଦବ ଖେଳିବେ । ଏହା ସମ୍ଭବ ହେଲେ ଏକ ସନ୍ତୁଳିତ ଏକାଦଶ ଗଠନ ହୋଇ ପାରିବ । ନଚେତ ୩ନଂ ସ୍ଥାନରୁ ସାଇ ସୁଦର୍ଶନଙ୍କୁ ବାଦ ଦେଇ ଜୁରେଲଙ୍କୁ ଖେଳାଯାଇ ପାରିବ । ଘରୋଇ ପରିବେଶ ଓ ପିଚ୍‌ରେ ଜୁରେଲ ସବୁ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି ।