ଥିରୁଅନନ୍ତପୁରମ,୨୬/୧୨: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ମହିଳା ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସାରିଛି । ଆଜି ବିଜୟ ସହ ଘରୋଇ ଦଳ ସିରିଜ କବ୍ଜା କରିବାକୁ ପ୍ରୟାସ କରିବ । ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।
ପ୍ରଥମ ୨ଟି ମ୍ୟାଚ୍ ଭଳି ଭାରତୀୟ ଦଳ ଆଜି ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ଉଭୟ ମ୍ୟାଚ୍ରେ ଟସ୍ ଭାରତୀୟ ଦଳର ସାଥ୍ ଦେଇଛି । ମାତ୍ର ଗ୍ରୀନଫିଲ୍ଡ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ଥିବାରୁ ପ୍ରଥମେ ବ୍ୟାଟିଂ ସୁଯୋଗକୁ ମଧ୍ୟ ଭାରତ ହାତଛଡ଼ା କରିବ ନାହିଁ । ଦୁଇ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧନା ଓ ହର୍ମନପ୍ରୀତ କୌରଙ୍କ ବ୍ୟାଟ୍ରୁ ଏପର୍ଯ୍ୟନ୍ତ ବଡ଼ ସ୍କୋର ବାହାରି ନାହିଁ । ଆଜି ଉଭୟଙ୍କ ବ୍ୟାଟ୍ରୁ ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ଅସୁସ୍ଥ ହୋଇ ଦ୍ୱିତୀୟ ମ୍ୟାଚ୍ ଖେଳି ନଥିବା ଦୀପ୍ତି ଶର୍ମା ଏକାଦଶକୁ ଫେରିବେ । ସେ ଆଉ ୨ଟି ୱିକେଟ୍ ନେଲେ ୧୫୦ ଟି-ଟ୍ୱେଣ୍ଟି ୱିକ୍ଟ କ୍ଲବରେ ସାମିଲ ହେବେ ।
ଶ୍ରୀଲଙ୍କା ଦଳର ପ୍ରମୁଖ ଖେଳାଳିମାନେ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ଭାରତୀୟ ଦଳର ବୋଲରଙ୍କୁ ସାମ୍ନା କରିବା ମଧ୍ୟ ଶ୍ରୀଲଙ୍କା ବ୍ୟାଟରଙ୍କ ପାଇଁ କଷ୍ଟକର ହେଉଛି ।
ସମ୍ଭାବ୍ୟ ଦଳ
ଭାରତୀୟ ଦଳ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର(ଅଧିନାୟିକା), ରିଚା ଘୋଷ, ସ୍ନେହ ରାଣା/ଦୀପ୍ତି ଶର୍ମା, ଅମନଜୋତ କୌର, ଅରୁନ୍ଧତି ରେଡ୍ଡୀ, କ୍ରାନ୍ତି ଗୌଡ଼, ବୈଷ୍ଣବୀ ଶର୍ମା, ଶ୍ରୀ ଚରଣୀ ।
ଶ୍ରୀଲଙ୍କା ଦଳ: ଚାମରି ଅଟ୍ଟାପଟୁ(ଅଧିନାୟିକା), ଭୀଷ୍ମି ଗଣରତ୍ନେ, ହାସିନି ପେରେରା, ହର୍ଷିତା ସମରବିକ୍ରମା, ନୀଳକ୍ଷିକା ସିଲଭା, କୌଶିନୀ ନୁତ୍ୟାଙ୍ଗନା, କବିଶା ଦିଲହାରୀ, ମଲିକି ମଦରା, ଇନୋକା ରଣାବୀରା, କାବ୍ୟା କାଭିଣ୍ଡି, ଶାସିନି ଗିହ୍ମାଣୀ ।