ଭୁବନେଶ୍ୱର, ୨୪।୮: ଭାରତ ଏହାର ସ୍ଥିରତା ଯୋଗୁଁ ବିଶ୍ୱ ପାଇଁ ଆଶା ସଞ୍ଚାର କରିଛି । ବିଶେଷଜ୍ଞଙ୍କ ଅନୁମାନ, ବିଶ୍ୱ ଅର୍ଥନୀତିକୁ ଭାରତର ଯୋଗଦାନ ଖୁବ୍ଶୀଘ୍ର ୨୦%କୁ ବୃଦ୍ଧି ପାଇବ । ଶନିବାର ଇକୋନୋମିକ୍ ଟାଇମ୍ସ ୱାର୍ଲଡ ଲିଡର୍ସ ଫୋରମ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଏ ଅବସରରେ ପ୍ରଧାନମନ୍ତ୍ରୀ ଚିପ୍, ମହାକାଶ ଏବଂ ଇ-ଯାନ କ୍ଷେତ୍ରରେ ଭାରତର ଲକ୍ଷ୍ୟଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ମୋଦି କହିଲେ ଯେ, ବର୍ଷ ଶେଷ ସୁଦ୍ଧା ଆସିବ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ । ମହାକାଶ କ୍ଷେତ୍ରରେ ଭାରତର ଲକ୍ଷ୍ୟକୁ ନେଇ ସେ କହିଲେ ଯେ, ଆଗାମୀ ଦିନରେ ଅନେକ ମହାକାଶ ଅଭିଯାନ ପାଇପ୍ଲାଇନ୍ରେ ଅଛି । ଚଳିତବର୍ଷ ସ୍ପେସ୍ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ଭାରତ ସରକାର ୧୦୦୦ କୋଟି ଟଙ୍କାର ଏକ ଭେଞ୍ଚର୍ କ୍ୟାପିଟାଲ ଫଣ୍ଡ୍ କରିଛନ୍ତି । ସମ୍ପ୍ରତି ଭାରତରେ ରହିଛି ୩୦୦ରୁ ଅଧିକ ସ୍ପେସ୍ ଷ୍ଟାର୍ଟଅପ୍, ଯାହାକି ୨୦୧୪ରେ ଥିଲା ମାତ୍ର ୧ ।
ମୋଦି କହିଲେ ଯେ, ସେ ଦିନ ଦୂର ନୁହେଁ, ଯେବେ ଭାରତର ନିଜସ୍ୱ ସ୍ପେସ୍ ଷ୍ଟେସନ୍ ଥିବ । ତେବେ ୧୦୦ରୁ ଊଦ୍ଧ୍ୱର୍ ଦେଶକୁ ଇ-ଯାନ ରପ୍ତାନି କରିବାକୁ ଭାରତ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଲେ ଯେ, କୋଭିଡ୍-୧୯ ମହାମାରୀ ପରେ ବି ଭାରତୀୟ ଅର୍ଥନୀତି ସ୍ଥିରତା ବଜାୟ ରଖିଛି । ମାକ୍ରୋ ଅର୍ଥନୈତିକ ସ୍ଥିରତା ଯୋଗୁ ଦେଶର ଅଭିବୃଦ୍ଧି ଜାରି ରହିଛି । ବିଭିନ୍ନ ପ୍ରକାର ମାପକରୁ ଜଣାପଡୁଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ରହିଛି । ପୂର୍ବ ତୁଳନାରେ ଭାରତୀୟ ବ୍ୟାଙ୍କଗୁଡ଼ିକ ଅଧିକ ଦୃଢ଼ ହୋଇଛନ୍ତି । ମୁଦ୍ରାସ୍ଫୀତି ଏବଂ ସୁଧ ହାର କମ୍ ରହିଛି । ଚଳନ୍ତି ଖାତା ନିଅଣ୍ଟ(ସିଏଡି) ନିୟନ୍ତ୍ରଣରେ ଅଛି । ଏହାସହିତ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବି ମଜଭୁତ ରହିଛି । ଯେତେବେଳେ ଭାରତର ଅର୍ଥନୈତିକ ଢାଞ୍ଚା ମଜଭୁତ ଅଛି, ମୂଳଦୂଆ ଦୃଢ଼ ରହିଛି, ପ୍ରଭାବ ମଧ୍ୟ ମଜଭୁତ ରହିବା ସ୍ୱାଭାବିକ । ୨୦୧୭ ପରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ସର୍ବନିମ୍ନ ଅଛି । ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଥିବା ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ, ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲା ସରକାର ଭାରତ ନିର୍ମାଣ ଆରମ୍ଭ କଲେ ଏବଂ ଆଜି ‘ଆତ୍ମନିର୍ଭର ଭାରତ’ ରେକର୍ଡ ରପ୍ତାନି କରୁଛି । ଗତ ବର୍ଷକରେ ବିଶ୍ୱରେ ୮୦୦ କୋଟି ଟିକା ଉତ୍ପାଦନ ହୋଇଥିଲା । ଏଥିମଧ୍ୟରୁ ଭାରତ ୪୦୦ କୋଟି ଉତ୍ପାଦନ କରିଛି । ଟିକସ ବ୍ୟବସ୍ଥାକୁ ସରଳ କରିବା ପାଇଁ ସଂସ୍କାରଗୁଡ଼ିକ ଉପରେ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ୬୦ ବର୍ଷ ପରେ ସରକାର ଆୟକର ବିଲ୍ରେ ସଂସ୍କାର ଆଣିଛନ୍ତି । ଦେଶର ସାଧାରଣ ଜନତାଙ୍କ ପାଇଁ ଏଥିରେ ଭାଷାଗୁଡ଼ିକୁ ସରଳ କରାଯାଇଛି । ପୂର୍ବରୁ ଥିବା ବିଲ୍ରେ ଯେଉଁ ଭାଷାର ବ୍ୟବହାର ହୋଇଥିଲା, ତାହାକୁ କେବଳ ଜଣେ ଓକିଲ କିମ୍ବା ସିଏ ବୁଝିପାରୁଥିଲେ । ଦିପାବଳୀ ସୁଦ୍ଧା ଜିଏସ୍ଟି ବ୍ୟବସ୍ଥାରେ ଆସିବାକୁ ଥିବା ବଡ଼ ପରିବର୍ତ୍ତନ ଟିକସ ଢାଞ୍ଚାକୁ ଆହୁରି ସରଳ କରିବ । ଏହାଦ୍ୱାରା ବିନିର୍ମାଣ ଏବଂ ଚାହିଦା ବଢ଼ିବ । ଏହା ସହିତ ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ୍ରେ ସୁଧାର ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।