ଦଳ ପରିବର୍ତ୍ତନ କରିବ ଭାରତ

ଚଣ୍ଡୀଗଡ଼,୯ା୩(ଏଜେନ୍ସି): ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଖେଳାଯିବ ଚତୁର୍ଥ ଦିନିକିଆ । ମୋହାଲି ଗ୍ରାଉଣ୍ଡରେ ବିପର୍ଯ୍ୟୟ ସୃଷ୍ଟି କରି ଅଷ୍ଟ୍ରେଲିଆ ସିରିଜ୍ ବରାବର କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ୨-୧ରେ ଆଗୁଆ ରହିଥିବା ଭାରତ ସିରିଜ୍ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ତୃତୀୟ ଦିନିକିଆରେ ପରାଜୟ ପରେ ଭାରତର ଚିନ୍ତା ବଢି ଯାଇଛି । ଅଷ୍ଟ୍ରେଲିଅଚୁ ହାଲ୍ଭା ଭାବେ ଗ୍ରହଣ କରିବାର ଫଳ ଭୋଗି ସାରିଛି କୋହଲି ବାହିନୀ । ତେଣୁ ଆସନ୍ତାକାଲି ବିଜୟ ସହ ସିରିଜ୍ ହାତେଇବା ପାଇଁ ଭାରତ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।
ପନ୍ତ, ରାହୁଲଙ୍କ ଉପରେ ନଜର: ଶେଷ ୨ଟି ଦିନିକିଆରୁ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯିବା ପରେ ଆସନ୍ତାକାଲି ଯୁବ ୱିକେଟ୍ କିପର ରିଶବ ପନ୍ତ ଖେଳିବା ନିଶ୍ଚିତ ହୋଇ ଯାଇଛି । ତାଙ୍କ ଉପରେ ବର୍ତ୍ତମାନ ସମଗ୍ର କ୍ରିକେଟ୍ପ୍ରେମୀଙ୍କ ନଜର । ଉନ୍ନତ ପ୍ରଦର୍ଶନ କରି ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ପାଇଁ ପନ୍ତ ଆସନ୍ତାକାଲି ପ୍ରୟାସ କରିବେ ।
ସେହିପରି ଟି-ଟ୍ୱେଣ୍ଟି ସିରିଜ୍ରେ ଉନ୍ନତ ପ୍ରଦର୍ଶନ ପରେ ଲୋକେଶ ରାହୁଲ ଦିନିକିଆ ସିରିଜ୍ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି । ଆସନ୍ତାକାଲି ତାଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଛି । ଓପନର ଶିଖର ଧାୱନ ୩ଟି ଯାକ ମ୍ୟାଚ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତାଙ୍କ ସ୍ଥାନରେ ରାହୁଲଙ୍କୁ ସୁଯୋଗ ମିଳିପାରେ । ସେ ଆସନ୍ତା କାଲି ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ ।
ବିଜୟ ଶଙ୍କରଙ୍କ ପାଇଁ ଆଉ ଏକ ପରୀକ୍ଷା: ପ୍ରଥମ ୩ଟି ମ୍ୟାଚ୍ରେ ଆକର୍ଷଣୀୟ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବିଜୟ ଶଙ୍କରଙ୍କୁ ଟିମ୍ ମ୍ୟାନେଜମେଣ୍ଟ ଆଉ ଏକ ପରୀକ୍ଷାରେ ଅବତ୍ତୀର୍ଣ୍ଣ କରାଇବ । ୩ଟି ଯାକ ମ୍ୟାଚ୍ରେ ଶଙ୍କରଙ୍କୁ ଚାପରେ ଖେଳିବାକୁ ଟିମ୍ ମ୍ୟାନେଜମେଣ୍ଟ ଗୁରୁତ୍ୱ ଦେଇ ଆସିଛି । ତୃତୀୟ ଦିନିକିଆରେ ତାଙ୍କୁ ଦଳର ପଞ୍ଚମ ବୋଲରଭାବେ ଖେଳାଇଥିଲା । ସେହିପରି ୩ଟି ଯାକ ମ୍ୟାଚ୍ରେ ତାଙ୍କୁ ବିଭିନ୍ନ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇ ଦକ୍ଷତା ମାପୁଛି । ଶଙ୍କର ମଧ୍ୟ ପ୍ରତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଶ୍ୱକପ୍ ପାଇଁ ଦୃଢ ଦାବିଦାର ରୂପେ ଉଭା ହୋଇଛନ୍ତି ।
ଭାରତର କମିନ୍ସ ଚିନ୍ତା: ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି ଅଷ୍ଟ୍ରେଲିଆର ଅଭିଜ୍ଞ ଫାଷ୍ଟ ବୋଲର ପ୍ୟାଟ୍ରିକ୍ କମିନ୍ସ । ବିଶେଷ କରି ଦଳର ଓପନିଂ ବିଭାଗକୁ କମିନ୍ସ ସହଳ ପାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି । ଆସନ୍ତାକାଲି କମିନ୍ସଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରୀ । ତୃତୀୟ ଦିନିକିଆରେ ରୋହିତଙ୍କ ୱିକେଟ୍ ନେଇ କମିନ୍ସ ଅଷ୍ଟ୍ରେଲିଆର ବିଜୟ ରାସ୍ତା ଶଫା କରିଦେଇଥିଲେ । ସେ ଏହି ମ୍ୟାଚ୍ରେ ୩ଟି ୱିକେଟ୍ ନେଇଥିଲେ ।
ଟସ୍ ଜିତିଲେ ବ୍ୟାଟିଂ: ମୋହାଲି ପିଚ୍ ପ୍ରାରମ୍ଭରୁ ପେସ୍ ବୋଲରଙ୍କୁ ସହାୟତା ପ୍ରଦାନ କରିବା ନିଶ୍ଚିତ । ମ୍ୟାଚ ଆଗେଇବା ସହ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ରନ୍ ସଂଗ୍ରହ ସହଜ ହୋଇଯିବ । ତେଣୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ରାତିରେ କାକର ପ୍ରଭାବିତ କରିବ । ତେଣୁ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର ସଂଗ୍ରହ କରିବା ସଠିକ୍ ନିଷ୍ପତ୍ତି ହେବ ।
ସମ୍ଭାବ୍ୟ ଦଳ
ଭାରତ: ଶିଖର ଧାୱନ/ଲୋକେଶ ରାହୁଲ,ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ, ରିଶବ ପନ୍ତ, କେଦାର ଯାଦବ, ବିଜୟ ଶଙ୍କର, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି/ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଜଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ: ଉସମାନ ଖୱାଜା, ଆରୋନ ଫିଞ୍ଚ(ଅଧିନାୟକ), ସନ ମାର୍ଶ, ମାର୍କସ ଷ୍ଟଇନିସ, ପିଟର ହ୍ୟାଣ୍ଡ୍ସକମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ୍, ଆଲେକ୍ସ କ୍ୟାରୀ, ନାଥାନ କଲ୍ଟର-ନାଇଲ, ପ୍ୟାଟ୍ରିକ୍ କମିନ୍ସ, ନାଥାନ ଲିୟନ, ଆଡାମ ଜାମ୍ପା ।